ବାଉଁଶୁଣି : ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ପୂର୍ବରୁ ଅଧ୍ୟକ୍ଷ ପ୍ରାର୍ଥୀଙ୍କ ଗାଡ଼ିକୁ ଗୁଳିମାଡ଼ ଏବଂ ସମିତି ସଭ୍ୟ ପ୍ରାର୍ଥୀଙ୍କ ଦିଅର ଏବଂ ଭାଇଙ୍କୁ ଶୁକ୍ରବାର ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ସୁନ୍ଦରଗଡ଼ ଜିଲ୍ଲା ତଳସରାର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀଙ୍କ ନାଁରେ ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନାରେ ସଙ୍ଗିନ ଅଭିଯୋଗ ହୋଇଛି। ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ୫୭ନଂ ଜାତୀୟ ରାଜପଥର ସିଙ୍ଗାରି ଛକରେ। ସୁନ୍ଦରଗଡ଼ ଜିଲ୍ଲା ବାଲିଶଂକରା ବ୍ଲକ୍‌ର ଜଣେ ଆଶାୟୀ ଅଧ୍ୟକ୍ଷ ପ୍ରାର୍ଥୀଙ୍କ ଦିଅର ଓ ଭାଇଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି।

Advertisment

ଶନିବାର ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ। ତେଣୁ, ଭୋଟ ଗଣତି ପରଠାରୁ ବାଲିଶଂକରା ପଞ୍ଚାୟତ ସମିତିର ଅଧ୍ୟକ୍ଷ ପଦ ଆଶାୟୀ କୁଂଜଲତା ଭିତିରିଆ ମଧ୍ୟ ନିଜ ସମର୍ଥକଙ୍କୁ ନେଇ ଭୁବନେଶ୍ବରରେ ଅଜ୍ଞାତବାସରେ ଥିଲେ। ଆଜି ସେ ନିଜ ସମର୍ଥକଙ୍କୁ ନେଇ ଗାଡ଼ିରେ ଫେରୁଥିବା ସମୟରେ ବୌଦ୍ଧ ଜିଲ୍ଲାର ୫୭ନଂ ଜାତୀୟ ରାଜପଥ ରାସ୍ତାର ସିଙ୍ଗାରି ଛକରେ ହଠାତ୍‌ ପଛପଟରୁ ପିଛା କରୁଥିବା ୩ଟି ଗାଡ଼ି ସେମାନଙ୍କ ଗାଡ଼ି ଉପରକୁ ଗୁଳିମାଡ଼ କରିଥିଲେ। ପରେ ବନ୍ଧୁକ ଦେଖାଇ ଆଶାୟୀ ଅଧ୍ୟକ୍ଷ କୁଂଜଲତା ଭିତିରିଆଙ୍କ ଭାଇ ରଂଜନ ମାଝୀ ଏବଂ ଦିଅର ବିଶ୍ବଜିତ ଭିତିରିଆକୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି। ଅପରହରଣକାରୀଙ୍କ ମଧ୍ୟରେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ ରହିଥିବା ଅଭିଯୋଗ ହୋଇଛି। ଗୁଳିମାଡ଼ରେ ଟ୍ରାଭେଲର ଗାଡ଼ି ଭାଙ୍ଗିଥିବା ଅଭିଯୋଗ ଆସିଛି। ଖବର ପାଇ ବୌଦ୍ଧ ଏସ୍‌ଡିପିଓ ଆନନ୍ଦ ବର୍ଦ୍ଧନ ଗୁରୁ ବାଉଁଶୁଣି ଥାନାରେ ପହଞ୍ଚିଛନ୍ତି। ବାଉଁଶୁଣି ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ତୁରନ୍ତ ଉଭୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହିତ ନବ ନିର୍ବାଚିତ ସମିତି ସଭ୍ୟଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ବାଉଁଶୁଣି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।