ମାଲକାନଗିରି,: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବିଜାପୁର ଜିଲ୍ଲାରେ ଆଜି ସନ୍ଧ୍ୟାରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟରେ ଜଣେ ୬ ମାସ ଶିଶୁକନ୍ୟାର ମୃତ୍ୟୁ ହୋଇଛି। ଏହିସହ ମୃତ ଶିଶୁର ମା ଓ ୨ ଜଣ ଡିଆରଜି ଯବାନଙ୍କୁ ଗୁଳି ବାଜି ଗୁରୁତର ହୋଇଛନ୍ତି। ସେମାନଙ୍କୁ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆହତମାନଙ୍କୁ ଚିକିତ୍ସା କରାଯାଉଛି। ସୂଚନା ଅନୁଯାୟୀ, ବିଜାପୁର ଜିଲ୍ଲାର ଗଙ୍ଗାଲୁର ଥାନା ଅଞ୍ଚଳରେ ଥିବା ଜଙ୍ଗଲରେ ଭୈରମଗଡ ଏରିଆ କମିଟି ସଚିବ ଚନ୍ଦ୍ରନ୍ନା ସମେତ ମାଓବାଦୀନେ ଲୁଚିଥିବା ନେଇ ପୁଲିସ ବିଶେଷସୁତ୍ରରୁ ଖବର ପାଇଥିଲା।

Advertisment

ଏହାପରେ ଅପରାହ୍ନରେ ଡିଆରଜି ଯବାନମାନେ ସର୍ଚ୍ଚ ଅପରେସନରେ ବାହାରିଥିଲେ। ଯବାନଙ୍କୁ ଦେଖି ମାଓବାଦୀମାନେ ଗୁଳି ଚାଳନା କରିଥିବା ବେଳେ ଏହାର ପାଲଟା ଜବାବ ଦେଇ ଯବାନମାନେ ମଧ୍ୟ ଗୁଳିଚାଳନା କରିଥିଲେ। ଉଭୟଙ୍କ ମଧ୍ୟରେ ବହୁ ସମୟ ଧରି ଗୁଳିବିନିମୟ ହୋଇଥିଲା। ଏହି ଗୁଳିବିନିମୟ ସମୟରେ ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ତାର ୬ ମାସର କୁନି ଝିଅକୁ ଧରିଥିବା ବେଳେ କୁନି ଝିଅର ମୃତ୍ୟୁ ହୋଇଛି ଓ ମହିଳାଙ୍କ ହାତରେ ଗୁଳି ବାଜିଛି। ମହିଳା ଜଣଙ୍କ ବେହୋଶ ହୋଇ ପଡିଯାଇଥିବା ବେଳେ ଯବାନମାନେ ତାଙ୍କୁ ଉଦ୍ଧାର କରି ଚିକିତ୍ସାଳୟକୁ ପଠାଇଛନ୍ତି। ଏଥିସହ ୨ ଜଣ ଡିଆରଜି ଯବାନ ମଧ୍ୟ ଆହତ ହୋଇଥିବା ବିଜାପୁର ଅତିରିକ୍ତ ଏସପି ବୈଭବ ବାଂକେର ସୂଚନା ଦେଇଛନ୍ତି ।