କେନ୍ଦ୍ରାପଡ଼ା: ବଜାର କମିଟି ସଭାପତିଙ୍କୁ ଗୁଳିମାଡ଼

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ତିନିମୁହାଣି ବଜାର କମିଟି ସଭାପତି ତଥା ଜିଲ୍ଲା ଧର୍ମରକ୍ଷା ସେନାର ମୁଖ୍ୟ ବିବେକାନନ୍ଦ ମହାରଣା (ବାବୁଲି)ଙ୍କୁ ଆଜି ରାତିରେ ଗୁଳିମାଡ଼ ହୋଇଛି। ଗୁଳି ତାଙ୍କ ପେଟରେ ବାଜିଛି। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାକୁ ନେଇ କେନ୍ଦ୍ରାପଡ଼ାରେ ଉତ୍ତେଜନା ପ୍ରକାଶ ପାଇଛି। ତିନିମୁହାଣି ଠାରେ ଲୋକେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ଏହି ଘଟଣାରେ ତିନିମୁହାଣି ଅଞ୍ଚଳରେ ସମସ୍ତ ଦୋକାନବଜାର ବନ୍ଦ ହୋଇଯାଇଛି।

ମିଳିଥିବା ସୂଚନା ଅନୁସାରେ, ରାମନଗରଠାରେ ବିବେକାନନ୍ଦଙ୍କ ଏକ ସୋ’ରୁମ୍‌ ରହିଛି। ଆଜି ରାତି ପ୍ରାୟ ୯ଟାରେ ‌ସେ ସୋ’ରୁମ୍‌ ବନ୍ଦ କରି ତିନିମୁହାଣି ଆଡ଼କୁ ଏକ ବୁଲେଟରେ ଆସୁଥିଲା ବେଳେ ଏକ ବାଇକ୍‌ରେ ପିଛା କରି ଆସୁଥିବା ୨ ଜଣ ଯୁବକ ଗୁଲନଗର ପୋଲ ନିକଟରେ ତାଙ୍କ ଉପରକୁ ୨ ରାଉଣ୍ଡ ଗୁଳିମାଡ଼ କରିଥିଲେ। ଗୋଟିଏ ଗୁଳି ତାଙ୍କ ପେଟରେ ବାଜିଥିଲା। ବିବେକାନନ୍ଦ ତଳେ ପଡ଼ି ଚିତ୍କାର କରୁଥିବା ବେଳେ ଦୁର୍ବୃତ୍ତମାନେ ଖସି ପଳାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ସେଠାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଗୁଳିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ। ଏସ୍‌ପି ନୀତିଶେଖର, ଅତିରିକ୍ତ ଏସ୍‌ପି ଅରୁଣ ଜେନା ପୁଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ ଚଳାଇଛନ୍ତି।

ସମ୍ବନ୍ଧିତ ଖବର