ବ୍ରହ୍ମପୁର: ନୂଆ ଖଜୁରିଆରେ ଫୁଟିଲା ଗୁଳି, ଯୁବକ ଗୁରୁତର, ୪ ଅଟକ

ବ୍ରହ୍ମପୁର: ବ୍ରହ୍ମପୁର ଗୋସାଇଁ ନୂଆଗାଁ ଥାନା ଅନ୍ତର୍ଗତ ନୂଆ ଖଜୁରିଆରେ ରାତି ପ୍ରାୟ ୮ଟା ବେଳେ ଫୁଟିଛି ଗୁଳି। ଗୁଳିମାଡ଼ରେ ଗୌରହରି ପ୍ରଧାନ ନାମକ ଜଣେ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କର ଅଣ୍ଟାରେ ଗୋଟିଏ ଗୁଳି ବାଜିଛି। ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୋସାଇଁ ନୂଆଗାଁ ଥାନା ପୁଲିସ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସମେତ ୪ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ ନୂଆ ଖଜୁରିଆ ବିଲସାହିରେ ରହୁଥିବା ଗୌରହରି ଓ ତାଙ୍କ ଭାଇ ବନବାସୀ ପ୍ରଧାନ ଘର ବାହାରେ ବସିଥିଲେ। ଏହି ସମୟରେ ବୁଡ଼ୁ ନାମକ ଜଣେ ଯୁବକ ଓ ତାଙ୍କର ୪ଜଣ ସହଯୋଗୀ ବାଇକ୍‌ରେ ସେଠାରେ ପହଞ୍ଚିଥିଲେ। କୌଣସି ଏକ ପୂର୍ବ ଶତ୍ରୁତାକୁ ନେଇ ବୁଡ଼ୁ ଓ ଅନ୍ୟମାନେ ଗୌରହରିଙ୍କୁ ଆକ୍ରମଣ କରିଥିଲେ। ସମସ୍ତଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ବୁଡ଼ୁ ଏକ ମାଉଜର୍‌ ଧରିଥିବା ବେଳେ ୩ ରାଉଣ୍ଡ୍‌ ଗୁଳି ଫୁଟାଇଥିଲା ବୋଲି ଭାଇ ବନବାସୀ ଅଭିଯୋଗ କରିଛନ୍ତି। ବନବାସୀ ଜୀବନ ବିକଳରେ ଧାଇଁ ପଳାଇଥିବା ବେଳେ ଗୌରହରିଙ୍କ ଅଣ୍ଟାରେ ଗୋଟିଏ ଗୁଳି ବାଜିଥିଲା। ଘଟଣା ପରେ ଅଭିଯୁକ୍ତମାନେ ଚମ୍ପଟ ମାରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୌରହରିଙ୍କୁ ଉଦ୍ଧାର କରି ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ପରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ବୁଡ଼ୁ ସମେତ ୪ଜଣଙ୍କୁ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି। ଟାଉନ୍ ଏସ୍‌ଡିପିଓ ବିଷ୍ଣୁପ୍ରସାଦ ପତି ଓ ଗୋସାଇଁ ନୂଆଗାଁ ଥାନା ଅଧିକାରୀ ସୁମିତ କୁମାର ସୋରେନ୍‌ ବଡ଼ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖା ଦେଇଥିବାରୁ ସେଠାରେ ମଧ୍ୟ ପୁଲିସ ମୁତୟନ କରାଯାଇଛି।

ସମ୍ବନ୍ଧିତ ଖବର