୪ ରାଉଣ୍ଡ ଗୁଳି ଫୁଟାଇ ଦୁର୍ବୃତ୍ତ ପାର,
Sambad is now on WhatsApp
Join and get latest news updates delivered to you via WhatsApp
ଆସାମ୍ ନମ୍ବର ଥିବା ସ୍କର୍ପିଓ, ୨ଟି ଖୋକା, ବୁଲେଟ୍, ବାଇକ୍ ଜବତ
କଟକ-ଜଗତପୁର : ଟେଣ୍ଡର ଫିକ୍ସିଂକୁ ନେଇ କଟକ ଜଗତପୁର ଅଞ୍ଚଳରେ ଗୁଳି ଫୁଟିଛି। ଗୁଳି ମାଡ଼ର ଶିକାର ହୋଇଛନ୍ତି ଆତଙ୍କବାଦୀ ସଂଗଠନ ସହ ସଂପର୍କ ଅଭିଯୋଗରେ ଗିରଫ ହୋଇଥିବା ଅବଦୁର୍ ରହେମାନ୍ର ବଡ଼ ଭାଇ ମହମ୍ମଦ ତାହିର ଅଲ୍ଲୀ ଖାଁ (୪୮)। ତାଙ୍କ ଦୁଇ ଗୋଡ଼କୁ ୩ ରାଉଣ୍ଡ ଗୁଳି ଫୁଟାଇ ଦୁର୍ବୃତ୍ତମାନେ ତାଙ୍କୁ ଅଟୋରେ ନେଇ କିଛି ଦୂରରେ ଫିଙ୍ଗି ଫେରାର ହୋଇଯାଇଛନ୍ତି। ତାହିରଙ୍କୁ ପ୍ରଥମେ ଜଗତପୁର ଅଞ୍ଚଳର ସଦଗୁରୁ ହସ୍ପିଟାଲରେ ଚିକିତ୍ସିତ କରାଯିବା ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୁଲିସ୍ ଘଟଣାସ୍ଥଳରୁ ୨ଟି ଖୋକା, ଗୋଟିଏ ସ୍କର୍ପିଓ (ଏଏସ୍ ୦୧ ଏଜି ୦୨୦୭), ଗୋଟିଏ ହିରୋହୋଣ୍ଡା (ଓଆର ୦୫ ଏଏଚ୍ ୮୧୪୦) ଏବଂ ଗୋଟିଏ ବୁଲେଟ୍ (ଓଡି ୦୫ ଭି ୪୬୭୬) ଜବତ କରିଛି ବୋଲି ଏସିପି ତ୍ରିନାଥ ମିଶ୍ର ସୂଚନା ଦେଇଛନ୍ତି। ତାହିର ସ୍ଥାନୀୟ ଅଞ୍ଚଳରେ ବିଜେଡିର ଜଣେ ଆଗଧାଡିର କର୍ମୀ ଥିବା ବେଳେ ଠିକାଦାରୀ କରୁଥିଲେ।
ସୂଚନା ଅନୁଯାୟୀ ଜଗତପୁର ଥାନା ପଶ୍ଚିମକଚ୍ଛ ସାତବାଟିଆ ଗ୍ରାମର ତାହିର ଅଲ୍ଲୀ ନିକଟରେ ଜଳସେଚନ ବିଭାଗ ପକ୍ଷରୁ ବାହାରିଥିବା ବିଭିନ୍ନ କାମ ପାଇଁ ଟେଣ୍ଡର ପକାଇ ତାହାକୁ ନେବାରେ ସଫଳ ହୋଇଥିଲେ। ତାହିର୍ ଟେଣ୍ଡର ପାଇବା ଦିନଠାରୁ ତାଙ୍କୁ ଫୋନ୍ରେ ଧମକ ମିଳିବା ଆରମ୍ଭ କରିଥିଲା। ବୁଝାମଣା ପାଇଁ ଆସିବାକୁ ଫୋନରେ ତାଗିଦ କରାଯାଉଥିଲା। ଗତକାଲି ତାହିରଙ୍କୁ ଏଭଳି ଫୋନ୍ ମିଳିଥିବା ବେଳେ ଆଜି ମଧ୍ୟ ତାଙ୍କୁ ତୁରନ୍ତ ଆସି ଭେଟିବାକୁ କୁହାଯାଇଥିଲା। ଆଜି ସଂଧ୍ୟା ପ୍ରାୟ ୬ଟା ବେଳେ ତାହିର ନିଜର ବୁଲେଟରେ ଗୋରି ନାମକ ଜଣେ ଯୁବକଙ୍କୁ ବସାଇ ଘରୁ ବାହାରିଥିଲେ। ତାଙ୍କ ସହ ତାଙ୍କର ଜଣେ ସହଯୋଗୀ ମୁନସଫ୍ ହୁସେନ୍ (୩୮) ତାଙ୍କ ସୁଜୁକି ସାମୁରାଇ ବାଇକ୍ ଧରି ବାହାରିଥିଲେ। ସେମାନେ ପ୍ରଥମେ ଜଗତପୁର ଆସି ଆଇବି ଛକ ନିକଟରେ ଥିବା ତାଙ୍କ ଭଣଜାର ଟାୟାର ରିସୋଲିଂ ଦୋକାନରେ ଅଟକି ଥିଲେ। ତାହିରଙ୍କୁ ପୁଣି ଫୋନ୍ କରି ଡେଲଟା କଲୋନିର ନିର୍ଦ୍ଦିଷ୍ଟ ଏକ ଭଙ୍ଗା ଘର ନିକଟକୁ ଆସିବାକୁ କୁହାଯାଇଥିଲା। ଏ ସଂପର୍କରେ ତାହିରଙ୍କ ଗାଁର ଅନ୍ୟ କିଛି ଯୁବକ ମଧ୍ୟ ଜାଣିଥିଲେ। ସେମାନେ ବି ତାହିରଙ୍କ ସହ ସେଠାକୁ ଯିବାକୁ ବାହାରିଥିଲେ। କିନ୍ତୁ ତାହିର ଡେଲଟା କଲୋନିର ସେହି ନିର୍ଦ୍ଦିଷ୍ଟ ଆଡ଼ାକୁ କେବଳ ଗୋରି ଓ ମୁନସଫ୍ଙ୍କୁ ଧରି ଯାଇଥିଲେ। ଅନ୍ୟମାନଙ୍କୁ ସେଠାରୁ ଫେରି ଯିବାକୁ କହିଥିଲେ।
ତାହିର, ଗୋରି ଓ ମୁନସଫ୍ ସେଠାରେ ସଂଧ୍ୟା ପ୍ରାୟ ୭ଟା ବେଳେ ପହଞ୍ଚିଥିଲେ। ସେମାନେ ପହଞ୍ଚିଲା ବେଳକୁ ସେହି ଘର ନିକଟରେ ପୂର୍ବରୁ ୬/୭ ଜଣ ଯୁବକ ଜଗି ରହିଥିଲେ। ସେମାନଙ୍କ ଭିତରେ ପ୍ରଥମେ କିଛି ସମୟ କଥାବାର୍ତ୍ତା ପରେ ବଚସା ଆରମ୍ଭ ହୋଇଯାଇଥିଲା। ସେମାନଙ୍କ ଭିତରେ ଥିବା ଜଣେ ଯୁବକ ହଠାତ୍ ଗୋଟିଏ ରାଉଣ୍ଡ୍ ବ୍ଲାଙ୍କ୍ ଫାୟାରିଂ କରିବା ସହ ତାହିରଙ୍କ ଦୁଇ ଗୋଡ଼କୁ ୩ଟି ଗୁଳି ଫୁଟାଇଥିଲେ। ସେଠାରେ ଥିବା ଏକ ଅଟୋରେ ତାହିରଙ୍କୁ ବସାଇ ନାଳ ବନ୍ଧ ରାସ୍ତାରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ପାଖରେ ପକାଇ ଦେଇ ଫେରାର ହୋଇଯାଇଥିଲେ। ସେମାନେ ଗୋରି ଓ ମୁନସଫ୍ଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଏ ସଂପର୍କରେ ଖବର ପାଇବା ପରେ ତାହିରଙ୍କ ସହଯୋଗୀମାନେ ତାଙ୍କୁ ଉଦ୍ଧାର କରି ଜଗତପୁରର ସଦ୍ଗୁରୁ ହସ୍ପିଟାଲ ନେଇ ଭର୍ତ୍ତି କରିଥିଲେ। ପରେ ସେଠାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଅନ୍ୟପଟେ ଏହି ଘଟଣାରେ ଟିଟୋ ଗ୍ୟାଙ୍ଗର କେତେକ ସଦସ୍ୟ ସଂପୃକ୍ତ ଥିବା କୁହାଯାଉଛି। ସେମାନେ ଜଳସେଚନ ବିଭାଗର ଟେଣ୍ଡରକୁ ସଂପୂର୍ଣ୍ଣ ଭାବେ ନିଜ କବ୍ଜାରେ ରଖି ଆସିଥିବା ବେଳେ କୌଣସି ନୂଆ ଲୋକ କାମ ପାଇଗଲେ ଦାବି ମୁତାବକ ବଟି ଦେବା ନଚେତ୍ କାମ ଛାଡ଼ିବାକୁ ଧମକ ଦେଉଥିବା କୁହାଯାଉଛି। ଧଳସାମନ୍ତ ଭାଇ ଓ ତାଙ୍କ ସହଯୋଗୀଙ୍କ ଗିରଫଦାରି ପରେ ଟେଣ୍ଡର ଫିକ୍ସିଂ ଥଣ୍ଡା ପଡ଼ିଥିବା ବେଳେ ଏବେ ପୁଣି ଦୁର୍ବୃତ୍ତମାନେ ମୁଣ୍ଡ ଟେକିବାକୁ ଆରମ୍ଭ କରିଥିବା କୁହାଯାଉଛି।
ଘଟଣାସଂପର୍କରେ ଖବର ପାଇ ଜଗତପୁର ଥାନା ପୁଲିସ ଡେଲଟା କଲୋନିର ନିର୍ଦ୍ଦିଷ୍ଟ ଘରକୁ ଯାଇ ଛାନଭିନ୍ କରିଥିବା ବେଳେ ସେଠାରୁ ଦୁଇଟି ଖୋକା, ଗୋଟିଏ ସ୍କର୍ପିଓ, ଗୋଟିଏ ବୁଲେଟ୍ ଓ ଗୋଟିଏ ବାଇକ୍ ଜବତ କରିଛି। ତାହିରଙ୍କ ସଂପର୍କୀୟ ଓ ସହଯୋଗୀଙ୍କୁ ପଚରାଉଚରା କରି ପୁଲିସ୍ ବିଭିନ୍ନ ସ୍ଥାନରେ ଚଢଉ ଆରମ୍ଭ କରିଥିଲେ ବି ଦୁର୍ବୃତ୍ତଙ୍କ ପତ୍ତା ମିଳିପାରି ନାହିଁ।