ଭବାନୀପାଟଣା/ମ. ରାମପୁର: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ୍ ଟାପରେଙ୍ଗ ଅଞ୍ଚଳରେ ଆଜି ମାଓବାଦୀ ଓ ପୁଲିସ ମଧ୍ୟରେ ଗୁଳି ବିନିମୟରେ ୩ ମାଓବାଦୀ ନିହତ ହୋଇଛନ୍ତି। ଗୁଳି ବିନିମୟରେ ଗୁରୁତର ହୋଇଥିବା ପୁଲିସ ଡିଏସ୍ପି ଅତୁଲ ଦାସଙ୍କୁ ପ୍ରଥମେ ବଲାଙ୍ଗୀର ଓ ପରେ ଭୁବନେଶ୍ବରକୁ ଚିକିତ୍ସା ନିମନ୍ତେ ଏୟାର ଲିଫ୍ଟ କରାଯାଇଛି। ଘଟଣା ପରେ ସର୍ଚ ଅପରେସନ ଜାରି ରହିଛି।
ପୁଲିସ ସୂତ୍ରରୁ ପ୍ରକାଶ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ୍ର ମୋହନଗିରି-ଲୁବେନଗଡ଼ ରାସ୍ତାରେ ଥିବା ଟାପରେଙ୍ଗ ଗାଁରେ ପୁଲିସର ମାଓ ଗୋଇନ୍ଦା ବିଭାଗର ଡିଏସ୍ପି ଅତୁଲ ଦାସଙ୍କ ନେତୃତ୍ବରେ ଏକ ଟିମ ମାଓ ଗତିବିଧି ଉପରେ ନଜର ରଖିବା ପାଇଁ ଆଜି ସକାଳେ ଯାଇଥିଲେ। ସେଠାରେ ଲୋକଙ୍କୁ ପଚରାଉଚରା ସମୟରେ ହଠାତ ମାଓବାଦୀମାନେ ଅତର୍କିତ ଗୁଳି ଚଳାଇଥିଲେ। ଏଥିରେ ଡିଏସ୍ପି ଅତୁଲ ଦାସଙ୍କ ଗୋଡ଼ରେ ଗୁଳି ବାଜିଥିଲା। ଏହାର ପାଲଟା ଜବାବରେ ୨ ଜଣ ମାଓବାଦୀ ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ। ଅନ୍ୟ ଜଣେ ମାଓବାଦୀ ଗୁରୁତର ଥିବା ଯୋଗୁଁ ତାକୁ ମଦନପୁର ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତୃତୀୟ ମାଓବାଦୀର ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ଗୁରୁତର ଥିବା ଡିଏସ୍ପି ଶ୍ରୀ ଦାସଙ୍କୁ ବଲାଙ୍ଗୀର ଭୀମ ଭୋଇ ସରକାରୀ ମେଡିକାଲ କଲେଜରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବା ପରେ ସେଠାରୁ ଭୁବନେଶ୍ବରକୁ ଚିକିତ୍ସା ନିମନ୍ତେ ଏୟାର ଲିଫ୍ଟ କରାଯାଇଥିବା ଏସ୍ପି ସୂଚନା ଦେଇଛନ୍ତି।
୩ ମାଓବାଦୀଙ୍କ ଶବକୁ ଭବାନୀପାଟଣା ପୁଲିସ ରିଜର୍ଭକୁ ଅଣାଯାଇଛି। ଘଟଣା ସ୍ଥଳରୁ ଏକେ-୪୭ ବନ୍ଧୁକ, ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ ସର୍ଚ ଅପରେସନ ବେଳେ ଜବତ ହୋଇଛି। ପୁଲିସ ପକ୍ଷରୁ କମ୍ବିଂ ଅପରେସନ ଓ ସର୍ଚ ଅପରେସନ ଜାରିରହିଛି। ମୃତକ ମଧ୍ୟରୁ ଜଣେ ମାଓନେତା ବୋଲି ସନ୍ଦେହ କରାଯାଉଛି। ଗତ କିଛି ଦିନ ତଳେ ଛତିଶଗଡ଼ର ଦାନ୍ତେୱାଡ଼ାରେ ଯବାନଙ୍କ ଉପରକୁ ନକ୍ସଲ ଆକ୍ରମଣ କରିଥିଲେ। ଏଥିରେ ୧୦ ଜଣ ଯବାନ ସହିଦ ହୋଇଥିଲେ। ଏହା ପରେ କଳାହାଣ୍ଡି ଜିଲ୍ଲାରେ ମାଓବାଦୀଙ୍କ ଗତିବିଧିକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ କମ୍ବିଂକୁ ଜୋରଦାର କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/5sf6h465hsffhfhf.jpg)