ଘର ଆଗରେ ପୁତୁରା, ମାଉସୀଙ୍କୁ ଗୁଳିମାଡ଼

ଜଣେ ଅଟକ, ୪ ଫେରାର

ରାଉରକେଲା : ରାଉରକେଲାରେ ପୁଣି ଗ୍ୟାଙ୍ଗୱାର। ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ରେଲୱେ କଲୋନୀ ରିମ୍‌ଝିମ୍‌ ବସ୍ତିରେ ଘଟିଛି ଗୁଳିକାଣ୍ଡ। ୫-୬ ଜଣ ଆତତାୟୀଙ୍କ ଆଖିବୁଜା ଗୁଳିମାଡରେ ଜିତେନ୍ଦ୍ର ଓରଫ ଗୋରେ ସାହା (୩୬) ଓ ତାଙ୍କ ମାଉସୀ ଲକ୍ଷ୍ମୀ ଦେବୀ ଗୁରୁତର ଆହତ ହୋଇଛନ୍ତି। ୮ରୁ ୧୦ ରାଉଣ୍ଡ ଗୁଳି ଚାଳନା କରାଯାଇଥିବା ଜଣାପଡିଛି। ଚାରି ଗୁଳି ଜିତେନ୍ଦ୍ରଙ୍କ ଦେହରେ ବାଜିଛି। ଗୁଳି ମାଡ ସହ ଖଣ୍ଡାରେ ମଧ୍ୟ ହାଣିଛନ୍ତି। ଦୁହିଁଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌) ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁଳିକାଣ୍ଡର କାରଣ ଏଯାଏ ଅସ୍ପଷ୍ଟ ରହିଥିବାବେଳେ ସହରରେ ସକ୍ରିୟ ପରସ୍ପର ବିରୋଧୀ ଦୁଇଟି ଗ୍ୟାଙ୍ଗ୍ ମଧ୍ୟରେ ଥିବା ପୁରୁଣା ଶତ୍ରୁତାରୁ ଗୁଳିକାଣ୍ଡ ହୋଇଛି ବୋଲି ରାଉରକେଲା ଏସ୍‌ପି ମୁକେଶ କୁମାର ଭାମୁ କହିଛନ୍ତି। ରାତି ଅଧିଆ ସାମ୍ବାଦିକ ସମ୍ମିଳନୀ କରି ଏସ୍‌ପି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଗୁଳିକାଣ୍ଡ ଘଟଣାରେ ଅମିତ ନାମକ ଯୁବକକୁ ଅଟକ ରଖାଯାଇଛି। ଅନ୍ୟ ୪ ଯୁବକ ଫେରାର ଅଛନ୍ତି। ସେମାନଙ୍କୁ ଖୁବ୍‌ଶୀଘ୍ର ଧରାଯିବ ବୋଲି ‌ଶ୍ରୀ ଭାମୁ କହିଛନ୍ତି। ସେପଯେ ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ସହ ଅତିରିକ୍ତ ଏସ୍‌ପି ସଂଗ୍ରାମ କେଶରୀ ବେହେରା ଓ ପ୍ଲାଣ୍ଟସାଇଟ୍‌ ପୁଲିସ ଅଧିକାରୀମାନେ ଘଟଣାସ୍ଥଳ ଓ ଆଇଜିଏଚ୍‌ରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି। ସେପଟେ ଗୁଳିମାରି ଫେରାର ହୋଇ ଯାଇଥିବା ଯୁବକମାନଙ୍କୁ ଧରିବାକୁ ପୁଲିସ ସହରର ପ୍ରମୁଖ ଛକ ଓ ବାହାର ରାଜ୍ୟକୁ ସଂଯୋଗ କରୁଥିବା ରାସ୍ତାକୁ ସିଲ୍‌ କରି ଯାଞ୍ଚ ଚଳାଇଛି।

 

ଜିତେନ୍ଦ୍ର ସାହା ପରିବାର ସହ ରେଲୱେ କଲୋନି ରିମ୍‌ଝିମ୍‌ ବସ୍ତିରେ ରହନ୍ତି। ସ୍ଥାନୀୟ ଲୋକଙ୍କ କହିବାମୁତାବକ, ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ଘରେ ଆଗରେ ଗଣେଶ ପୂଜା ହେଉଥିବାରୁ ଜିତେନ୍ଦ୍ର, ତାଙ୍କ ମାଉସୀ ଲକ୍ଷ୍ମୀ ଦେବୀ ଓ ପରିବାର ଅନ୍ୟ ସଦସ୍ୟମାନେ ସେଠାରେ ଛିଡା ହୋଇଥିଲେ। ହଠାତ୍‌ ୩ଟି ମୋଟରବାଇକ୍‌ରେ ୫-୬ ଜଣ ଯୁବକ ପହଞ୍ଚି ଜିତେନ୍ଦ୍ରଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇ ସେଠାରୁ ଫେରାର ହୋଇଯାଇଥିଲେ। ଜିତେନ୍ଦ୍ରଙ୍କ ହାତ, ଛାତି, କାନ୍ଧ ଓ ପାଖରେ ଛିଡା ହୋଇଥିବା ଲକ୍ଷ୍ମୀ ଦେବୀଙ୍କ ଗୋଡରେ ଗୁଳି ବାଜିବାରୁ ଦୁ‌ହେଁ ବେହୋସ ହୋଇ ତଳେ ପଡିଯାଇଥିଲେ। ପଡୋଶୀମାନେ ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ଅଟୋରିକ୍ସାରେ ଆଇଜିଏଚ୍‌କୁ ପଠାଇଥିଲେ। ଜିତେନ୍ଦ୍ରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ଲକ୍ଷ୍ମୀ ଦେବୀଙ୍କ ସ୍ବାସ୍ଥ୍ୟ ଭଲ ଥିବା ଜଣାପଡିଛି।

ଉଲ୍ଲେଖନୀୟ ଯେ ଗତ ୨୦୨୦ ଜୁନ୍‌ ୭ ରେଲୱେ କଲୋନି ବଡ ପାର୍କରେ ଦିଲ୍‌ସାଦ୍‌ ଖାନ (୪୫) ହତ୍ୟା ଘଟଣାରେ ଜିତେନ୍ଦ୍ର ଗିରଫ ହୋଇ ଜେଲ ଯାଇଥିଲେ। ଏହା ପୂର୍ବରୁ ବାସନ୍ତୀ କଲୋନିରେ ପୂର୍ବତନ କାଉନ୍‌ସିଲ୍‌ର ବୁଲୁ ମହାନ୍ତିଙ୍କୁ ଦିଲ୍‌ସାଦ୍‌ ଖାନ୍‌ ଓ ତାଙ୍କର କିଛି ସହଯୋଗୀ ବୋତଲବୋମା ଫିଙ୍ଗି ହତ୍ୟା ଉଦ୍ୟମ କରିଥିଲେ। ମାତ୍ର ବୁଲୁ ମହାନ୍ତି ଅଳ୍ପକେ ବର୍ତ୍ତି ଯାଇଥିଲେ। ଉଲ୍ଳେଖଯୋଗ୍ୟ, ଦିଲ୍‌ସାଦ୍‌ ଖାନ୍‌ ହତ୍ୟା ଘଟଣାରେ ଜିତେନ୍ଦ୍ର ଓ ସରୋଜଙ୍କ ସମେତ ୯ରୁ ଅଧିକ ଅଭିଯୁକ୍ତଙ୍କୁ ପ୍ଲାଣ୍ଟସାଇଟ୍‌ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। କିଛି ମାସ ଜେଲ୍‌ରେ ରହିବାପରେ ସେ ଜାମିନରେ ଆସିଛନ୍ତି। ଦିଲ୍‌ସାଦ ଓ ଜିତେନ୍ଦ୍ର ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ବ ଥିବା ଶତ୍ରୁତାର ପ୍ରତିଶୋଧ ନେବାକୁ ମୁଖ୍ୟ ଅଭିଯୁକ୍ତ ଓ ତା’ର ସହଯୋଗୀମାନେ ପିଟି ପିଟି ଦିଲ୍‌ସାଦ ଖାଁଙ୍କୁ ହତ୍ୟା କରିଥିଲେ ବୋଲି ତତ୍କାଳୀନ ରାଉରକେଲା ଏସ୍‌ପି କେ. ଶିବା ସୁବ୍ରମଣି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଥିଲେ।

ଏସ୍‌ପି କହିଥିଲେ, ୨୦୧୮ରେ ଆଇଡିସି କଲୁଙ୍ଗାର ଏକ ଫ୍ୟାକ୍ଟ୍ରିରେ ମୃ୍ତ ଦିଲ୍‌ସାଦ୍‌ ଏକ ପାର୍ଟିର ଆୟୋଜନ କରିଥିଲେ। ଏଥିରେ ତାଙ୍କର ଓ ଜିତେନ୍ଦ୍ର ସାହା ଗ୍ରୁପ୍‌ର ପ୍ରାୟ ୨୦୦ରୁ ଅଧିକ ଯୁବକ ଯୋଗ ଦେଇଥିଲେ। ପାର୍ଟି ଚାଲିଥିବାବେଳେ କୌଣସି କଥାକୁ କେନ୍ଦ୍ରକରି ଦିଲ୍‌ସାଦ୍‌ ଓ ଜିତେନ୍ଦ୍ର ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ସମସ୍ତଙ୍କ ଉପସ୍ଥିତିରେ ଦିଲ୍‌ସାଦ୍‌ ଗ୍ରୁପର କିଛି ଯୁବକ ଜିତେନ୍ଦ୍ର ଓ ତାଙ୍କର ସହଯୋଗୀଙ୍କୁ ଚାପୁଡା ମାରିବା ସହ ଗାଳି ଗୁଲଜ କରିଥିଲେ। ସେଥିରେ ଜିତେନ୍ଦ୍ର ଓ ତା’ର ସହଯୋଗୀମାନଙ୍କୁ ଅପମାନ ଲାଗିଥିଲା। ଫଳରେ ସେମାନେ ଅଧାରୁ ପାର୍ଟି ଛାଡ଼ି ଚାଲି ଯାଇଥିଲେ। ଚାପୁଡା ଓ ଗାଳିଗୁଲଜର ପ୍ରତିଶୋଧ ନେବାକୁ ଯାଇ ଦିଲ୍‌ସାଦ୍‌ଙ୍କୁ ହତ୍ୟା କରିବାକୁ ଜିତେନ୍ଦ୍ର ଓ ତାଙ୍କର ସହଯୋଗୀମାନେ ଯୋଜନା କରିଥିଲେ। କିନ୍ତୁ ଦିଲ୍‌ସାଦ୍‌ ସବୁବେଳେ ନିଜର କିଛି ସହଯୋଗୀଙ୍କ ସହ ବୁଲୁଥିବାରୁ ଯୋଜନା ସବୁବେଳେ ଫେଲ୍‌ ମାରୁଥିଲା। ତେବେ ଜୁନ୍‌ ୭ରେ ଯୋଜନାକୁ ବାସ୍ତବ ରୂପ ଦେବାକୁ ଜିତେନ୍ଦ୍ର ଓ ସୁରଜ ରେଲୱ କଲୋନି ପଡିଆରେ ଏକ ଛୋଟିଆ ପାର୍ଟିର ଆୟୋଜନ କରିଥିଲେ। ପାର୍ଟିକୁ ଦିଲ୍‌ସାଦ୍‌ଙ୍କୁ ଡାକିଥିଲେ। ଦିଲ୍‌ସାଦ୍‌ ତାଙ୍କ ଯୋଜନା ସଂପର୍କରେ କିଛି ନବୁଝି ପାରି ପାର୍ଟିରେ ଯୋଗ ଦେଇଥିଲେ। ଅପରାହ୍‌ଣ ସାଢ଼େଚାରିଟାରୁ ପଡିଆରେ ପାର୍ଟି ଚାଲିଥିଲା। ସଂଧ୍ୟା ହେବାପରେ ଯୋଜନା ମୁତାବକ ପୂର୍ବରୁ ପଡିଆର ଆଖପାଖରେ ଲୁଚିଥିବା ଜିତେନ୍ଦ୍ରଙ୍କର କିଛି ସହଯୋଗୀ ଅତର୍କିତ ଭାବେ ଦିଲ୍‌ସାଦ୍‌ଙ୍କୁ ଆକ୍ରମଣ ହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର