ବନ ବିଭାଗ ପାଟ୍ରୋଲିଂ ଗାଡ଼ିକୁ ଗୁଳିମାଡ଼ ଘଟଣା: ନିଦ ହଜାଇଛି ୭.୬୨ ଏମ୍‌ଏମ୍‌ କ୍ୟାଟ୍ରିଜ୍‌

ଆକ୍ରମଣକାରୀଙ୍କ ହାତରେ ଅତ୍ୟାଧୁନିକ ରାଇଫଲ

ବୌଦ୍ଧ : ବନବିଭାଗ ପାଟ୍ରୋଲିଂ ଗାଡ଼ିକୁ ଗୁଳିମାଡ଼ ଘଟଣାରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍‌ନାକୁ ଆସିଛି। ଘଟଣାସ୍ଥଳରୁ ଯେଉଁ ଖୋକା ମିଳିଛି, ସେଥିରେ ନମ୍ବର ‘ଓଏଫ୍‌ଭି- ୭.୬୨’ ବୋଲି ଲେଖାଯାଇଛି। ଏହା କୌଣସି ସରକାରୀ ବନ୍ଧୁକର କି? କାରଣ ଏହି ଧରଣର ବୁଲେଟ୍ (୭.୬୨ ଏମ୍‌ଏମ୍‌ କ୍ୟାଟ୍ରିଜ) ମୁଖ୍ୟତଃ ନାଟୋ ଦେଶଗୁଡ଼ିକର ଯୁଦ୍ଧାସ୍ତ୍ର ଯଥା- ରାଇଫଲ, ମେସିନଗନ ଓ ସ୍ନାଇପରରେ ବ୍ୟବହାର ହୁଏ। ତେଣୁ ଏହା ଅପରାଧୀଙ୍କ ହାତକୁ ଆସିଲା କେମିତି, ତାହା ପ୍ରଶ୍ନବାଚୀ ସୃଷ୍ଟିକରିଛି। ଯାହାକୁ ନେଇ ତଦନ୍ତକାରୀ ସଂସ୍ଥାଗୁଡ଼ିକର ମଧ୍ୟ ନିଦହଜାଇ ଦେଇଛି।

ମୁଖ୍ୟତଃ ୭.୬୨ ଏମ୍‌ଏମ୍‌ କ୍ୟାଟ୍ରିଜବିଶିଷ୍ଟ ମାରଣାସ୍ତ୍ର ନାଟୋ ଦେଶସମୂହର ରାଇଫଲଗୁଡ଼ିକରେ ବ୍ୟବହାର ହୋଇଥାଏ। ଏହାର ବେଗ ହେଉଛି ସେକେଣ୍ଡ ପ୍ରତି ପ୍ରାୟ ୮୩୩ ମିଟର। ଏଇଥିରୁ ଅନୁମାନ କରାଯାଇ ପାରିବ, ଏ ଗୁଳିର ବେଗ ଆଉ ରେଞ୍ଜ କେତେ ଅଧିକ। ତଥ୍ୟ କହୁଛି ଏହିପରି କ୍ୟାଟ୍ରିଜ ସାଧାରଣତଃ ବେଲଜିୟମର ଯୁଦ୍ଧ ରାଇଫଲ ଓ ମେସିନଗନରେ ବ୍ୟବହାର ହୁଏ। ତା’ଛଡ଼ା ଫ୍ରାନ୍ସର ମେସିନଗନ, ଜର୍ମାନୀର ଯୁଦ୍ଧ ରାଇଫଲ ଓ ସ୍ନାଇପର, ଇଟାଲୀର ଯୁଦ୍ଧ ରାଇଫଲ, ଜାପାନର ଯୁଦ୍ଧ ରାଇଫଲ ଓ ମେସିନ ଗନ ଏବଂ ପାକିସ୍ତାନର ରାଇଫଲ ଓ ସେମି ଅଟୋମେଟିକ ସ୍ନାଇପରରେ ମଧ୍ୟ ବ୍ୟବହାର କରାଯାଏ ସମାନ ଧରଣର ଗୁଳି। ଏହାବାଦ୍ ପୋଲାଣ୍ଡର ମେସିନଗନ୍, ସ୍ବିଡେନର ଯୁଦ୍ଧ ରାଇଫଲ ଓ ମେସିନ ଗନ୍, ଆମେରିକାର ରାଇଫଲ ତଥା ସେମି ଅଟୋମେଟିକ ସ୍ନାଇପର ଏବଂ ଆମ ଭାରତର ବୋଲ୍ଟ ଆକ୍ସନ ରାଇଫଲରେ ବ୍ୟବହାର କରାଯାଏ ୭.୬୨ ଏମ୍‌ଏମ୍‌ କ୍ୟାଟ୍ରିଜ ବା ଗୁଳି।

ସମ୍ଭବତଃ ଏହା କୌଣସି ସରକାରୀ ବନ୍ଧୁକର ଗୁଳି ହୋଇଥିବା ମଧ୍ୟ ଆଲୋଚନା ହେଉଛି। ଯଦି ଏହା ସତ ହୋଇଥାଏ, ତେବେ ମାମଲା ଆହୁରି ସାଂଘାତିକ। ସରକାରୀ ରାଇଫଲ ଲୁଟ୍ ହେବା ପରେ କୌଣସି ବିଚ୍ଛିନ୍ନତାବାଦୀ ସଂଗଠନ ହାତକୁ ଆସିଥାଇପାରେ। ଏହି ଆକ୍ରମଣ ପଛରେ ସେଭଳି କିଛି ସଂଗଠନ ସଂପୃକ୍ତ ଥିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ।

ଉଲ୍ଲେଖଯୋଗ୍ୟ ଯେ ଗତ ମଙ୍ଗଳବାର ରାତିରେ ବନବିଭାଗ ପାଟ୍ରୋଲିଂ ଗାଡ଼ିକୁ ଗୁଳିମାଡ଼ ହୋଇଥିଲା, ଯେଉଁଥିରେ ଦୁଇଜଣ ଆହତ ହୋଇଛନ୍ତି। ଘଟଣାକୁ ଦେଖିଲେ ପ୍ରଥମେ ସାମ୍ନାପଟୁ ଆକ୍ରମଣ ଉଦ୍ୟମ କରିଥିଲେ ଆତତାୟୀ। ଗାଡ଼ି ଅଟକାଇବା ପାଇଁ ରାସ୍ତା ମଝିରେ ବାଇକ୍‌ ରଖି ଅବରୋଧ କରିଥିଲେ। ବିଫଳ ହେବାରୁ ପଛପଟୁ ଅନ୍ଧାଧୁନ ଗୁଳି କରିଥିଲେ। ତେବେ, ସ୍କର୍ପିଓ ଚାଳକଙ୍କ ସମୟୋପଯୋଗୀ ପଦକ୍ଷେପ ଯୋଗୁଁ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି। ବନ ବିଭାଗ ପାଟ୍ରୋଲିଂ ଗାଡ଼ିକୁ ଏଭଳି ଆକ୍ରମଣ ଘଟଣା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇଛି।

ସମ୍ବନ୍ଧିତ ଖବର