ସୁନ୍ଦରଗଡ଼/ଲେଫ୍ରିପଡ଼ା: ଲେଫ୍ରିପଡ଼ା ଥାନା ଅଞ୍ଚଳରେ ଅବକାରୀ ଟିମ୍ ଉପରକୁ ଗୁଳି ମାଡ଼ କରିଛନ୍ତି ଗୋରୁ ମାଫିଆ। ଶନିବାର ଭୋର୍ ସାଢ଼େ ୪ଟାରେ ଅବକାରୀ ଟିମ୍ ଗଞ୍ଜେଇ କିମ୍ବା ମହୁଲ ଚାଲାଣ କରୁଥିବା ସନ୍ଦେହ କରି ଗାଡ଼ି ଅଟକାଇବା ବେଳେ ଗୋରୁ ମାଫିଆ ୨ ରାଉଣ୍ଡ ଗୁଳି ଫୁଟାଇଛନ୍ତି। ଅବକାରୀ ଟିମ୍ର କାର୍ ବନେଟ୍କୁ ଗୁଳି ଭେଦି ଯାଇଥିବା ବେଳେ ଅଧିକାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପରେ ଅବକାରୀ ଟିମ୍ ଗୋଡ଼ାଇ ଗୋଡ଼ାଇ ଜଣକୁ ଧରିଥିବାବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି। ଅବକାରୀ ବିଭାଗ ଗୋରୁ ବୋଝେଇ ଗାଡ଼ି ସହ, ବନ୍ଧୁକ ଓ କିଛି ଟଙ୍କା ଜବତ କରି ପୁଲିସକୁ ହସ୍ତାନ୍ତର କରିଛି।
ହେମଗିର ଭାରପ୍ରାପ୍ତ ଅବକାରୀ ଅଧିକାରୀ ବିଜୟ ବୀରେନ୍ଦ୍ର ଲାକ୍ରାଙ୍କ ଏତଲା ଅନୁସାରେ, ୧୨ ତାରିଖ ଭୋର୍ ୪ଟା ୩୦ରେ ସେ ଓ ତାଙ୍କ ଟିମ୍ ଏକ ବ୍ରିଜା ଗାଡ଼ି (ଓଡି୧୬ଏନ୍ ୧୬୯୨ )ରେ ଗଞ୍ଜେଇ ଓ ଚୋରା ମହୁଲ ଧରପଗଡ଼ କରିବାକୁ ବାହାରିଥିଲେ। ଟିମ୍ ହେମଗିର-ଡୁଡୁକା ରାସ୍ତାରେ ପାଟ୍ରୋଲିଂ କରୁଥିବାବେଳେ ଏକ ପିକ୍ଅପ୍ ଭ୍ୟାନ୍ (ଓଡି ୧୪ଡି ୮୮୨୪)
ଦ୍ରୁତଗତିରେ ଲେଫ୍ରିପଡ଼ା ପଟକୁ ଯାଉଥିଲା। ଗାଡ଼ିର ପଛପଟ ଢଙ୍କା ହୋଇଥିବାରୁ ସନ୍ଦେହରେ ପାଟ୍ରୋଲିଂ ଟିମ୍ ଅଟକାଇବା ପାଇଁ ଚେଷ୍ଟା କରିଥିଲା। କିନ୍ତୁ ଗାଡ଼ି ନ ଅଟକି ଦ୍ରୁତଗତିରେ ପଳାଇ ଯାଇଥିଲା। ଫଳରେ ଅବକାରୀ ଟିମ୍ ଗାଡ଼ିକୁ ପିଛା କରିଥିଲା। ଏହି ସମୟରେ ମାଫିଆ ଅତର୍କିତ ଭାବେ ଅବକାରୀ ଟିମ୍ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ। ସୌଭାଗ୍ୟବଶତଃ ଗୁଳି କାହା ଦେହରେ ଲାଗି ନଥିଲା। ତଥାପି ସାହସ କରି ଟିମ୍ ପିଛା କରିଥିଲା।
ଅନ୍ୟପଟେ ଅବକାରୀ ଅଧୀକ୍ଷକ ପ୍ରମୋଦ ପଣ୍ଡାଙ୍କଠାରୁ ସୂଚନା ପାଇ ରାଉରକେଲା ସାଟେଲାଇଟ୍ ୟୁନିଟ୍ ବି ପହଞ୍ଚି ଯାଇଥିଲା। ଏହା ଦେଖି ଲେଫ୍ରିପଡ଼ା ଥାନା ଗୁଣ୍ଡିଆଡିହି ପାଖରେ ଚାଳକ ଗାଡ଼ି ଛାଡ଼ି ଫେରାର ହେବାକୁ ଉଦ୍ୟମ କରୁଥିବାବେଳେ ଅବକାରୀ କର୍ମଚାରୀ ଗୋଡ଼ାଇ ଧରିଥିଲେ। ତା’ଠାରୁ ପିସ୍ତଲ, ୨ହଜାର ଟଙ୍କା ସହ ଗୋରୁ ବୋଝେଇ ଗାଡ଼ି ଜବତ କରି ଟିମ୍ ପୁଲିସକୁ ହସ୍ତାନ୍ତର କରିଥିଲେ। ଅନ୍ୟ ଜଣେ ସହଯୋଗୀ ଚମ୍ପଟ ମାରିଥିବା ଜଣାଯାଇଛି। ଏନେଇ ଲେଫ୍ରିପଡ଼ା ଥାନାରେ ଭାରତୀୟ ନ୍ୟାୟ ସଂହିତାର ଧାରା ୩୦୩(୨), ୧୦୯, ୩(୫) ଓ ଅସ୍ତ୍ରଶସ୍ତ୍ର ନିରୋଧ ୨୫/୨୭ ଆଇନରେ ମାମଲା ରୁଜୁ କରି ଚାଳକ କୁତ୍ରା ଥାନା ଖତକୁରବାହାଲର ମହମ୍ମଦ ଅଭ୍ୟଜ (୨୧)କୁ କୋର୍ଟଚାଲାଣ କରାଯାଇଛି। ତା’ ସହଯୋଗୀ ମହମ୍ମଦ ଅରବାଜକୁ ତୁରନ୍ତ ଗିରଫ କରାଯିବ ବୋଲି ଉପଖଣ୍ଡ ପୁଲିସ ଅଧିକାରୀ ନିର୍ମଳ ମହାପାତ୍ର କହିଛନ୍ତି।