ପୋଖରୀ ଖୋଳାରୁ ଗୁଳିମାଡ଼ : ଅଳ୍ପକେ ବର୍ତ୍ତିଲେ ବନ ସୁରକ୍ଷା ସମିତି ସଭାପତି , ବନ୍ଧୁକ ଧରି ଅଭିଯୁକ୍ତ ଜଙ୍ଗଲକୁ ଛୁ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅଞ୍ଚଳରେ ବନ ବିଭାଗର ଏକ ପୋଖରୀ ଖୋଳାକୁ ବିରୋଧ କରି ଆଜି ଗୁଳି ମାଡ଼ କରାଯାଇଛି। ବନ ସୁରକ୍ଷା ସମିତିର ସଭାପତି ଗୁଳି ମୁହଁରୁ ଅଳ୍ପକେ ବର୍ତିଯାଇଥିବା ବେଳେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି।

ବିଭାଗ ସୂତ୍ରରୁ ପ୍ରକାଶ, ଉକ୍ତ ରେଞ୍ଜ ଅନ୍ତର୍ଗତ କଙ୍କଡ଼ାହାଡ଼ ବ୍ଲକ୍‌ ପଥରଗଡ଼ ଗାଁ ବାଉଁଶମୁଣ୍ଡା ସାହି ନିକଟରେ ବନ ବିଭାଗ ପକ୍ଷରୁ ୪ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ ଅଟକଳରେ ଆଜି ଏକ ପୋଖାରୀ ଖେଳାଯାଉଥିଲା। ପଥରଗଡ଼ ଗାଁର ଦୁର୍ଯ୍ୟୋଧନ ସାହୁ ସେହି ଅଞ୍ଚଳରେ କିଛି ଜଙ୍ଗଲ ଜମି ନିଜ ଅକ୍ତିଆରରେ ରଖିଛନ୍ତି। ସେ ତେଣୁ ପୋଖରୀ ଖୋଳାକୁ ବିରୋଧ କରିଥିଲେ। ସେଠାରେ ଉପସ୍ଥିତ ଥିଲେ ପଥରଗଡ଼ ଗାଁର ଅଧିବାସୀ ତଥା ସ୍ଥାନୀୟ ବନ ସୁରକ୍ଷା ସମିତିର ସଭାପତି ଲୋଚନ ସାହୁ। ଦୁର୍ଯ୍ୟୋଧନ ଆଜି ସକାଳେ ଲୋଚନଙ୍କୁ ଲକ୍ଷ୍ୟ କରି ଏକ ଦେଶୀ ବନ୍ଧୁକରୁ ଗୁଳି ଚଳାଇଥିଲେ। ଲୋଚନ ଏକ ଖାଲକୁ ଡେଇଁ ପଡ଼ିବାରୁ ଅଳ୍ପକେ ଗୁଳି ମୁହଁରୁ ରକ୍ଷା ଯାଇଥିଲେ। ଗୁଳିମାଡ଼ କରିବା ପରେ ଦୁର୍ଯ୍ୟୋଧନ ନିକଟ ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଥିଲେ। ଅପରାହ୍ଣ ୪ଟାବେଳେ ଦୁର୍ଯ୍ୟୋଧନ ବନ୍ଧୁକ ସହ ଜଙ୍ଗଲରୁ ଆସି ପୁନର୍ବାର ଗୁଳିମାଡ଼ କରିବାକୁ ଗୋଡ଼ାଇଥିଲେ। ବନ ବିଭାଗ କର୍ମଚାରୀମାନେ ତାଙ୍କୁ ଧରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସେ ଜଙ୍ଗଲ ଭିତରକୁ ପଳାଇଥିଲେ। ଘଟଣାସ୍ଥଳରେ ଦୁର୍ଯ୍ୟୋଧନ ବାରୁଦ ଓ ଏକ ଛୁରି ପକାଇ ପଳାଇଥିବା ଜଣାପଡ଼ିଛି। ଏହି ଖବର ସେ ପାଇଛନ୍ତି ବୋଲି କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜର ବିଭୁଦାନନ୍ଦ ମିଶ୍ର କହିଛନ୍ତି। ଏ ସଂପର୍କରେ ଥାନାରେ ଅଭିଯୋଗ କରିବାକୁ ବନ ସୁରକ୍ଷା ସମିତି ସଭାପତି ଶ୍ରୀ ସାହୁଙ୍କୁ ପରାମର୍ଶ ଦିଆଯାଇଥିବା ରେଞ୍ଜର ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର