ବ୍ରାଉନସୁଗାର ମାଫିଆ ସୋମନାଥକୁ ଗୁଳି

ପିକ୍‌ଅପ୍ ଭ୍ୟାନରେ ଆସି ୫ ରାଉଣ୍ଡ ଗୁଳି ଫୁଟାଇଲେ ଅଜଣା ଦୁର୍ବୃତ୍ତ

ଖୋର୍ଦ୍ଧା : ଖୋର୍ଦ୍ଧାର କୁଖ୍ୟାତ ବ୍ରାଉନ୍‌ସୁଗାର୍‌ ବେପାରୀ ସୋମନାଥ ଭୂଜବଳକୁ ଆଜି ରାତିରେ ଗୁଳିମାଡ଼ ହୋଇଛି। ସୋମନାଥ ଦେହରେ ୫ଟି ଗୁଳି ବାଜିଥିବା ଜଣାଯାଇଛି। ତେବେ ଘଟଣାସ୍ଥଳରୁ ତିନିଟି ଖୋଖାକୁ ପୁଲିସ ଜବତ କରିଛି। ଗୁରୁତର ଅବସ୍ଥାରେ ପ୍ରଥମେ ତାକୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ଭୁବନେଶ୍ବରସ୍ଥ ଏକ ଘରୋଇ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି।

ସୋମନାଥ ନାଁରେ ପୁରୀ ଓ ‌ଖୋର୍ଦ୍ଧା ଜିଲ୍ଲାରେ ୧୪ରୁ ଅଧିକ ମାମଲା
ଦୁଇ ବର୍ଷ ତଳେ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ପଦକ୍ଷେପ ନିଆଯାଇଥିଲା

ସୋମବାର ରାତି ପ୍ରାୟ ୧୦ଟା ବେଳେ ସୋମନାଥ ଓ ତା’ର ଦୁଇ ସାନଭାଇ ଏକ ବାହାଘର ଭୋଜିରେ ଯୋଗଦେବାକୁ ଯାଉଥିଲେ। ଅନତି ଦୂରରେ ବରଯାତ୍ରୀ ଶୋଭାଯାତ୍ରା ମଧ୍ୟ ଯାଉଥିଲା। ଠେଙ୍ଗାହାଟ ଦୋଳପଡ଼ିଆ ନିକଟରେ ଏକ ଦୋକାନରୁ ସୋମନାଥ ଏକ ଲଫାଫା କିଣିଥିଲା। ଏହି ସମୟରେ ତା’ର ମୋବାଇଲ୍‌କୁ କଲ୍ ଆସିଥିଲା। ବାଣଆଦି ଫୁଟୁଥିବାରୁ ସେ ଦୋକାନ କଡ଼କୁ ଯାଇ କଥା ହେଉଥିଲା। ଏହି ସମୟରେ ଏକ ପିକ୍ଅପ୍ ଭ୍ୟାନ୍ ସେଠାରେ ପହଞ୍ଚି ସୋମନାଥ ଉପରକୁ ଆଖିବୁଜା ଗୁଳିମାଡ଼ କରି ସେଠାରୁ ୧୬ ନମ୍ବର ଜାତୀୟ ରାଜପଥ ଆଡ଼କୁ ଚାଲିଯାଇଥିଲା। ଆଖପାଖ ଲୋକ ବାଣଫୁଟୁଥିବା ଶବ୍ଦ ପାଇଁ ଗୁଳିମାଡ଼ କଥା ପ୍ରଥମେ ଜାଣିପାରିନଥିଲେ, କିନ୍ତୁ ସୋମନାଥ ଯେତେବେଳେ ରକ୍ତ ଜୁଡ଼ୁବୁଡ଼ୁ ହୋଇ ଦୌଡ଼ିବା ଆରମ୍ଭ କଲା, ସେତେବେଳେ ଲୋକେ ଏକଥା ଜାଣିପାରିଥିଲେ। ତୁରନ୍ତ ସୋମନାଥକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା। ସୋମନାଥର ଡାହାଣ ହାତ, ଛାତି, ପେଟ ଆଦିରେ ଗୁଳି ବାଜିଥିବା ଜଣାଯାଇଛି। ସୂଚନା ପାଇ ଖୋର୍ଦ୍ଧା ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ୩ଟି ଖାଲି ଖୋଖା ଜବତ କରିଛି। ଏନେଇ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ କହିଛନ୍ତି ଯେ ସେ ନିଜେ ବର୍ତ୍ତମାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଗୁଳିକାଣ୍ଡର କାରଣ ଓ ଦୁର୍ବୃତ୍ତଙ୍କ ସଂପର୍କରେ ତଦନ୍ତ କରାଯାଉଛି।

ସୂଚନାଯୋଗ୍ୟ, ୨୦୨୧ରେ ତତ୍କାଳୀନ ଆରକ୍ଷୀ ଅଧୀକ୍ଷକ ରାଜକିଶୋର ଦୋରାଙ୍କ ନେତୃତ୍ବରେ ସୋମନାଥର ସମ୍ପତ୍ତି ବାଜ୍ୟାପ୍ତି ପାଇଁ ପଦକ୍ଷେପ ନିଆଯାଇଥିଲା। ୨୦୧୪ରୁ ୨୦୨୧ ମଧ୍ୟରେ ନିଶା କାରବାର କରି ସୋମନାଥ ତା’ର ସମ୍ପତ୍ତି ୧୩ ଲକ୍ଷରୁ ଅଢ଼େଇ କୋଟି ବୃଦ୍ଧି କରିଥିଲା। ସମ୍ପତ୍ତି ବାଜ୍ୟାପ୍ତିରେ ଜବତ ୩ଟି ଦାମୀ କୁକୁରଙ୍କୁ ମଧ୍ୟ ସାମିଲ କରାଯାଇଥିଲା। ସୋମନାଥ ବିରୋଧରେ ବ୍ରାଉନ୍‌ସୁଗାର୍‌ କାରବାର, ବେଆଇନ ବନ୍ଧୁକ ରଖିବା, ଦୁଷ୍କର୍ମ ଆଦି ଅପରାଧରେ ପୁରୀରେ ୨ଟି ଓ ଖୋର୍ଦ୍ଧା ଗ୍ରାମାଞ୍ଚଳରେ ୧୨ଟି ମାମଲା ରହିଛି। ଏହା ମଧ୍ୟରୁ ୫ଟି ମାମଲା ବର୍ତ୍ତମାନ ବିଚାରାଧୀନ ରହିଥିବା ବେଳେ ବଳକା ମାମଲାରେ ସେ ଜାମିନ ପାଇଛି। ୫ ଅକ୍ଟୋବର ୨୦୨୦ରେ ପୁରୀ ବାସେଳିସାହିରେ ପୁଲିସ ଚଢ଼ଉ କରି ସୋମନାଥ ଭୂଜବଳ ଓ ତା’ ବାପା କୃଷ୍ଣଚନ୍ଦ୍ର ଭୂଜବଳଙ୍କ ସମେତ ୮ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ୨୭୩ ଗ୍ରାମ (ପ୍ରାୟ ୨୭ ଳକ୍ଷ ଟଙ୍କାର) ବ୍ରାଉନ୍‌ସୁଗାର୍‌ ଜବତ ହୋଇଥିଲା। ସେହିଭଳି ୨୦୧୭ ଜୁନ୍ ମାସରେ ଅବକାରୀ ବିଭାଗ ଚଢ଼ଉ କରି ଠେଙ୍ଗାହାଟଠାରୁ ସୋମନାଥକୁ ଗିରଫ କରିଥିଲା। ସେହି ସମୟରେ ସୋମନାଥ ନିକଟରୁ ୨୦ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର୍‌ ସହ ୨ଲକ୍ଷ ଟଙ୍କା ନଗଦ ଜବତ କରିଥିଲା ପୁଲିସ। ଏହା ବ୍ୟତୀତ ଗତ ୫ ବର୍ଷ ଧରି ଖୋର୍ଦ୍ଧା, ପୁରୀ ଆଦି ଅଞ୍ଚଳରେ ବିଭିନ୍ନ ବ୍ରାଉନ୍‌ସୁଗାର୍‌ ମାମଲାରେ ଧରାପଡ଼ିଥିବା ଅଭିଯୁକ୍ତଙ୍କଠାରୁ ମିଳିଥିବା ସୂଚନାରେ ସୋମନାଥ ଓ କୃଷ୍ଣଚନ୍ଦ୍ର ଉଭୟଙ୍କ କାରବାର ଖୋର୍ଦ୍ଧା, ନୟାଗଡ଼, ପୁରୀ, ଗଂଜାମ, ବୌଦ୍ଧ ଓ କନ୍ଧମାଳ ଯାଏଁ ବ୍ୟାପିଥିବା କଥା ପୁଲିସ କହିଥିଲା।

ସମ୍ବନ୍ଧିତ ଖବର