ଯାତ୍ରୀବାହୀ ବସ୍‌ ଉପରକୁ ଗୁଳି, ଗାଡ଼ି କାଚ ଭାଙ୍ଗିଲା, ଅଳ୍ପକେ ବର୍ତ୍ତିଲେ ଚାଳକ, ଯାତ୍ରୀ

ଭୁବନ : ଭୁବନ ବ୍ଲକର ଜନଗହଳିପୂର୍ଣ୍ଣ ନୀଳକଣ୍ଠପୁର ଛକରେ ଆଜି ସନ୍ଧ୍ୟାରେ ୩ଜଣ ଯୁବକ ଆତଙ୍କ ଖେଳାଇଛନ୍ତି। ରାସ୍ତାରେ ସାଇଡ୍ ଦେବାକୁ କେନ୍ଦ୍ର କରି ଏକ ବାଇକରେ ଆସୁଥିବା ୩ଜଣ ଯୁବକ ଏକ ଯାତ୍ରୀବାହୀ ବସ୍‌ ଉପରକୁ ଗୁଳିଚାଳନା କରିଛନ୍ତି। ଗୁଳିମାଡ଼ରୁ ଚାଳକ ଓ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

ମିଳିଥିବା ସୂଚନା ଅନୁଯାୟୀ, କଟକରୁ ଭୁବନକୁ ଆସୁଥିବା ‘ମଲ୍ଲିକ’ ନାମକ ବସ୍‌କୁ ଢେଙ୍କାନାଳରୁ ଭୁବନ ଏକ ବାଇକରେ ଯାଉଥିବା ୩ଜଣ ଯୁବକ ରାସ୍ତାରେ ଓଭରଟେକ୍ କରିଥିଲେ। ଏହାକୁ ନେଇ ବସ୍‌ର ଚାଳକ ଓ ଯୁବକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ସଂପୃକ୍ତ ଯୁବକମାନେ ଉକ୍ତ ଗାଡ଼ିର ପିଛା କରିଥିଲେ। ବାଜିରାଉତ ସେତୁ ପାର ହେଲାପରେ ଉକ୍ତ ବସ୍‌କୁ ସେମାନେ ନୀଳକଣ୍ଠପୁର ଛକରେ ସଂଧ୍ୟା ସାଢେ ୫ଟା ସମୟରେ ଅଟକାଇଥିଲେ। ପରେ ଯୁବକମାନେ ଉକ୍ତ କ୍ୟାଣ୍ଟର ଚାଳକଙ୍କୁ ଲକ୍ଷ୍ୟ କରି ଗୁଳିଚାଳନା କରିଥିଲେ। ଗୁଳିମାଡ଼ରେ ବସ୍‌ର ସାମ୍‌ନା କାଚ ଭାଙ୍ଗିଯାଇଥିବା ବେଳେ ଚାଳକ ଗୁଳିମାଡ଼‌ରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏହା ଦେଖି ଯାତ୍ରୀମାନେ ଭୟଭୀତ ହୋଇ ଏଣେତେଣେ ଦୌଡ଼ି ପଳାଇଥିଲେ। ଯୁବକମାନେ ପ୍ରାୟ ଅଧଘଣ୍ଟା ଧରି ସେଠାରେ ଆତଙ୍କ ସୃଷ୍ଟି କରିଥିଲେ।ଏ ସଂପର୍କରେ ଖବର ପାଇ ଭୁବନ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସକୁ ଦେଖି ଆତଙ୍କ ସୃଷ୍ଟି କରୁଥିବା ଯୁବକମାନେ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ଗୁଳି ଚଳାଇଥିବା ଯୁବକମାନେ ସ୍ଥାନୀୟ ଅଞ୍ଚଳର ବୋଲି ସନ୍ଦେହ କରାଯାଉଛି। ତେବେ ଭୁବନରେ ଯୁବକମାନେ ମାଉଜର୍ ଧରି ବୁଲିବା ସହ ଆତଙ୍କ ସୃଷ୍ଟି କରିବା ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ଏ ସଂପର୍କରେ ପୁଲିସ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି।

ସମ୍ବନ୍ଧିତ ଖବର