ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା ଅଧୀନ ଶେରଗଡ଼ ବଜାରରେ ଗୁଳିମାଡ଼ରେ ଜଣେ ବ୍ୟବସାୟୀ ଗୁରୁତର

ବାଲେଶ୍ୱର/ବାହାନଗା : ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା ଅଧୀନ ଶେରଗଡ଼ ବଜାରରେ ଆଜି ଜଣେ ବ୍ୟବସାୟୀ ଲୁଟ୍‌ ଓ ଗୁଳିମାଡ଼ର ଶିକାର ହୋଇ ଗୁରୁତର ହୋଇଛନ୍ତି। ବ୍ୟବସାୟୀ ଜଣକ ହେଲେ ସ୍ଥାନୀୟ ଅଞ୍ଚଳର ଭାଗବତ ରାଉତ(୬୦)। ସ୍ଥାନୀୟ ଲୋକଙ୍କ ଦ୍ବାରା ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ଖବର ଅନୁସାରେ ଭାଗବତ ଆଜି ଦିନ ୨ଟା ସମୟରେ ଶେରଗଡ଼ ବଜାରସ୍ଥିତ ତାଙ୍କ ଦୋକାନରେ ବସିଥିଲେ। ଏହି ସମୟରେ ୪ରୁ ୫ଜଣ ଯୁବକ ଦୁଇଟି ବାଇକ୍‌ରେ ଆସି ସେଠାରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରୁ ୨ଜଣ ଦୋକାନକୁ ଯାଇ ମିକ୍ସଚର କିଣିଥିଲେ। ଏହି ସମୟରେ ଭାଗବତ ତଳକୁ ନଇଁଯିବାରୁ ଅନ୍ୟ ଯୁବକମାନେ ତାଙ୍କ ବେକରୁ ସୁନାଚେନ୍‌ ଛିଡ଼ାଇନେଇ ପଳାଇଥିଲେ। ଭାଗବତ ବଡ଼ ପାଟିରେ ଚିତ୍କାର କରିବା ସହ ସେମାନଙ୍କ ପିଛା କରି ଜଣଙ୍କୁ ଧରି ପକାଇଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଲଗାତର ୨ ରାଉଣ୍ଡ ଗୁଳିଚଳାଇ ସେଠାରୁ ଫେରାର ହୋଇଯାଇଥିଲେ। ଗୁଳି ଭାଗବତଙ୍କ ମୁଣ୍ଡ ଓ ଡାହାଣ ହାତରେ ବାଜିଥିଲା। ଏହାପରେ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ପୁଲିସକୁ ଖବର ଦେବା ସହ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। ଖନ୍ତାପଡ଼ା ଥାନାଧିକାରୀ ଶ୍ରୀବଲ୍ଲଭ ସାହୁ, ଏଏସ୍‌ଆଇ ଗୌରହରି ଦାସ, ସେରଗଡ଼ ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ଗୋସ୍ୱାମୀ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରିଥିଲେ। ଘଟଣାସ୍ଥଳରୁ ପୁଲିସ ୨ଟି ଖାଲି ଖୋକା, ୨ଟି ଅଫୁଟା ଗୁଳି ଓ ଗୋଟିଏ ମାଗାଜିନ୍‌ ଜବତ କରିଛି। ଗୁଳିକାଣ୍ଡର ପ୍ରକୃତ କାରଣ ଅଦ୍ୟାବଧି ଜଣାପଡ଼ିନାହିଁ।

ସମ୍ବନ୍ଧିତ ଖବର