କେନ୍ଦ୍ରାପଡ଼ା ଅଶାନ୍ତ : ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା

କେନ୍ଦ୍ରାପଡା/ମାର୍ଶଘାଇ : ଆଜି ପୁଣିଥରେ କେନ୍ଦ୍ରାପଡା ଅଶାନ୍ତ ହୋଇଛି। ଜିଲ୍ଲା ଅନ୍ତର୍ଗତ ମର୍ଶାଘାଇ ଥାନା ଅଞ୍ଚଳରେ ଜଣେ ‌ଔଷଧ ଦୋକାନୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଦୁର୍ବୃତ୍ତ ଗୁଳି ଫୁଟାଇ ଫେରାର ହୋଇଯାଇଥିବାବେଳେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି। ମୃତ ବ୍ୟବସାୟୀ ହେଉଛନ୍ତି ମଣିକୁଣ୍ଡ ଗ୍ରାମର ଗଗନ ସାହୁ (୨୭)। ଗୋଟିଏ ଗୁଳି ଗଗନଙ୍କ କାନମୁଣ୍ତାରେ ବାଜି ଥିବାବେଳେ ଆଉ ଗୋଟିଏ ଗୁଳି ବେକରେ ବାଜିଛି। ଘଟଣାସ୍ଥଳରୁ ପୁଲିସ୍‌ ୩ଟି ଖୋକା ଜବତ କରିଛି।

ସୂଚନା ଅନୁଯାୟୀ, ମଣିକୁଣ୍ଡ ଗ୍ରାମର ଉମେଶ ସାହୁଙ୍କ ପୁଅ ଗଗନ ଆଜି ବାଇକ୍‌ରେ ସକାଳ ପ୍ରାୟ ୯ଟାବେଳେ କେନ୍ଦ୍ରାପଡ଼ା ଗରାପୁରରେ ଥିବା ହୋଲ୍‌ସେଲ୍‌ ଔଷଧ ଦୋକାନକୁ ଆସୁଥିଲେ। ହାତିଆ ଓ ହଜାରୀ ଛକ ମଝିରେ ଏକ ନିଛାଟିଆ ସ୍ଥାନରେ ପୂର୍ବରୁ ଛକି ରହିଥିବା ୩ ଜଣ ଯୁବକ ତାଙ୍କୁ ଅତି ନିକଟରୁ ଗୁଳି କରିଥିଲେ। ଏହି ଯୁବକମାନେ ସମସ୍ତେ ହେଲମେଟ୍‌ ପିନ୍ଧିଥିଲେ। ଗୁଳିମାଡ଼ କରି ସେମାନେ ୫ ନମ୍ବର (କ)ଜାତୀୟ ରାଜପଥ ଦେଇ ଖସି ପଳାଇଥିଲେ। ଗଗନଙ୍କ ଉପରକୁ ସେମାନେ ୬ ରାଉଣ୍ଡ ଗୁଳିମାଡ଼ କରିଥିବା କୁହାଯାଉଛି। ରକ୍ତ ଜୁଡ଼ୁବୁଡ଼ ଅବସ୍ଥାରେ ଗଗନ ତଳେ ପଡ଼ି ଛଟପଟ ହେଉଥିବା ବେଳେ ପାଖ ବିଲରେ କାମ କରୁଥିବା କିଛି ଲୋକ ତାଙ୍କୁ ଉଦ୍ଧାର କରିଥିଲେ। ମଣିକୁଣ୍ତ ଗାଁକୁ ସେମାନେ ଖବର ଦେବା ପରେ ଚନ୍ଦନ ସ୍ବାଇଁ ଓ ଅନ୍ୟ ଜଣେ ଯୁବକ ଘଟଣାସ୍ଥଳରେ ପହଞ୍ଚି ଗଗନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ଘଟଣାକୁ କେନ୍ଦ୍ର କରି ମଣିକୁଣ୍ତ ଗ୍ରାମରେ ଓ ହସ୍‌ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। କେନ୍ଦ୍ରାପଡ଼ା ଏସ୍‌ପି ନିତି ଶେଖର, ଏସ୍‌ଡ଼ିପିଓ ରାଜୀବ ଲୋଚନ ପଣ୍ତା, ଟାଉନ ଥାନା ଆଇଆଇସି ଜ୍ୟୋତି ର˚ଜନ ସାମନ୍ତରାୟ, ମାର୍ଶାଘାଇ ଥାନା ଆଇଆଇସି କାଳନ୍ଦୀ ବେହେରା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଗଗନଙ୍କର ମାଣତିରା ଗଡାରେ ଏକ ଔଷଧ ଦୋକାନ ରହିଛି। କେନ୍ଦ୍ରାପଡା ଗରାପୁର ନିକଟରେ ସେ ଜଣେ ହୋଲସେଲର୍‌ଙ୍କ ସହିତ ମିଶି ଷ୍ଟକିଷ୍ଟ୍‌ ପଏଣ୍ଟରେ କାମ କରୁଥିଲେ। ଏଥିପାଇଁ ପ୍ରତ୍ୟେକ ଦିନ ଗାଁକୁ ଯିବା ଆସିବା କରୁଥିଲେ। ତେବେ କେଉଁ କାରଣରୁ ତାଙ୍କୁ ଏଭଳି ଯୋଜନାବଦ୍ଧ ଭାବେ ହତ୍ୟା କରାଗଲା, ତାହା ସ୍ପଷ୍ଟ ହୋଇନାହିଁ।

ସୂଚନାଯୋଗ୍ୟ ଯେ ଗତମାସ ୧୪ ତାରିଖ ରାତିରେ କେନ୍ଦ୍ରାପଡା ସଦରଥାନା ଅର୍ନ୍ତଗତ କଳପଡା ଲୁଣାସେତୁ ଉପରେ ଗୁଳିକାଣ୍ତ ଘଟି ଜଣେ ଅପରାଧୀ ଗୁରୁତର ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର