ପୂର୍ବତନ ବିଧାୟକଙ୍କ ଗାଡିକୁ ଗୁଳିମାଡ ଘଟଣା : ସପ୍ତାହ ପରେ ବି ପତ୍ତା ମିଳୁନି,ଝୁଲାଇ ରଖିଛି ପୁଲିସ

ଫୁଲବାଣୀ :ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କ ଗାଡିକୁ ଗୁଳିମାଡ। ଏହି ଘଟଣାକୁ ସପ୍ତାହ ପୁରିଲା। ହେଲେ ଏହାର କାହାର କାମ ସେ ନେଇ ପତ୍ତା ମଳି ପାରି ନାହିଁ। ପୁଲିସ ମାମଲାଟିଏ ରୁଜୁ କରି ତଦନ୍ତକୁ ଝୁଲାଇ ରଖିଥିବାରୁ ଏହାର ରହସ୍ୟ କଣ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଶ୍ରୀ କହଁର ଗତ ୨୯ ତାରିଖ ରାତିରେ ସ୍ଥାନୀୟ ଜଳସେଚନ କଲୋନୀ ନିଜ ସମ୍ପର୍କୀୟଙ୍କ ଘରକୁ ଯାଇ ରାତିରେ ରହିଥିବା ବେଳେ ଘର ବାହାରେ ଥିଲା ତାଙ୍କର ବୋଲେରୋ, ତାପର ଦିନ ସକାଳେ ଦେଖିଲା ବେଳକୁ ଗାଡିର ପଛ କାଚ ଡାହାଣ ପଟରୁ ଗୁଳିମାଡ ହୋଇଛି। ତାହା ବାମ ପଟ କାଚ ଦେଇ ବାହାରିଛି। ଏ ନେଇ ଶ୍ରୀ କହଁର ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିଥିଲା। କରୋନା କଟକଣା ପାଇଁ ବ୍ୟସ୍ତ ଥିବା ପୁଲିସ ଏହାକୁ ଆରମ୍ଭରୁ ସେତେଟା ଗୁରୁତ୍ବ ଦେଇ ନଥିଲା। ତାପରେ କରୋନା କଟକଣା କୋହଳ ହେବା ପରେ ବି ପୁଲିସ ତଦନ୍ତକୁ ଯେତିକି ଗୁରୁତ୍ୱ ଦେବା କଥା ଦେଉ ନାହିଁ ବୋଲି ଜଣା ପଡିଛି।

ପୁଲିସ ଏହାକୁ ହାଲୁକା ଭାବେ ନେଉଛି ନାଁ ଆଉ କିଛି କାରଣ ଅଛି ତାହା ବୁଝା ପଡୁ ନାହିଁ। ବ୍ୟକ୍ତିଗତ ଶତ୍ରୁ କିମ୍ବା ରାଜନୈତିକ ବିରୋଧୀ କେହି ଭୟଭୀତ କରାଇବାକୁ ଏଭଳି କରିଥାଇ ପାରନ୍ତି ବୋଲି ଶ୍ରୀ କହଁର ସନ୍ଦେହ କରୁଛନ୍ତି। ହେଲେ ଏଭଳି କଥାକୁ ସହଜରେ କେହି ବିଶ୍ବାସ କରି ପାରୁ ନାହାନ୍ତି। କାରଣ ଯାହାର ରାଗ ଥାଉ କି ଶତ୍ରୁତା, ସେ ସିଧାସଳଖ ଶ୍ରୀ କହଁରଙ୍କ ଉପରକୁ ଗୁଳିମାଡ କରିପାରି ଥାନ୍ତା। ଏହା ନ କରି ସେ କାହିଁକି ଗାଡି ଉପରକୁ ଗୁଳିମାଡ କରିବ ପୁଣି ବିଳମ୍ବିତ ରାତିରେ। ଏହି ଘଟଣା ସସ୍ପପେନସ୍ ରହୁଥିବା ବେଳେ ପୁଲିସ ସମ୍ପୂର୍ଣ୍ଣ ଘଟଣାକୁ ଗୁରୁତର ସହ ନେଇ ତନାଘନା କଲେ ପ୍ରକୃତ ରହସ୍ୟ ପଦାକୁ ଆସି ପାରନ୍ତା ବୋଲି ସାଧାରଣରେ କୁହାଯାଉଛି। ଏ ନେଇ ତଦନ୍ତ ଚାଲିଛି। ଖୁବ ଶୀଘ୍ର ଘଟଣାର ପର୍ଦ୍ଦାଫାଶ କରିବାରେ ସକ୍ଷମ ହେବୁ ବୋଲି ଟାଉନ ଥାନାଧିକାରୀ ନରେଶ କୁମାର ସାହୁ କହିଛନ୍ତି। ଦେଖାଯାଉ ପୂବର୍ତନ ବିଧାୟକଙ୍କ ଗାଡିକୁ ଗୁଳିମାଡ ଘଟଣା ଉପରୁ ପରଦା କେବେ ପୁଲିସ ଉଠାଇବା ସଫଳ ହେଉଛି।

ସମ୍ବନ୍ଧିତ ଖବର