ବୈପାରିଗୁଡା : ବୈପାରିଗୁଡା ବିଏସ୍‌ଏଫ୍‌ କ୍ୟାମ୍ପ ନିକଟରେ ଗୁରୁବାର ରାତିରେ ଗୁଳି ଫୁଟିଛି। ବାଲିମେଳାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଓଏସ୍‌ଆର୍‌ଟିସି ବସ୍‌କୁ ଲକ୍ଷ୍ୟକରି କେହି ଗୁଳିମାଡ଼ କରିଥିବା ସୂଚନା ମିଳିଛି। ସୌଭାଗ୍ୟବଶତଃ କୌଣସି ଯାତ୍ରୀଙ୍କୁ ଗୁଳି ବାଜିନାହିଁ। କିଏ ଏବଂ କାହିଁକି ଚଳନ୍ତା ବସ୍‌ ଉପରକୁ ଗୁଳିମାଡ଼ କଲା ସ୍ପଷ୍ଟ ହୋଇପାରୁନି। କିନ୍ତୁ, ପାରିପାର୍ଶ୍ବିକ ପରିସ୍ଥିତି ଏବଂ ଯାତ୍ରୀଙ୍କ ବୟାନକୁ ନେଇ ଅନେକ କଥା ଶୁଣିବାକୁ ମିଳୁଛି।

Advertisment

ସୂଚନା ଅନୁଯାୟୀ, ଗୁରୁବାର ସଂଧ୍ୟାରେ ବାଲିମେଳାରୁ ୧୦ଜଣ ଯାତ୍ରୀଙ୍କୁ ନେଇ ଓଏସ୍‌ଆରଟିସି ବସ୍‌ (ଓଡି ୦୭ଏକେ ୪୨୫୫) ବ୍ରହ୍ମପୁର ଅଭିମୁଖେ ବାହାରିଥିଲା। ରାତି ପ୍ରାୟ ୧୦ଟାରେ ବୈପାରିଗୁଡ଼ାଠାରୁ ଅଳ୍ପ ଦୂରରେ ରହିଥିବା ବିଏସ୍‌ଏଫ୍‌ କ୍ୟାମ୍ପ ନିକଟରେ ହଠାତ୍‌ ଗୁଳି ଫୁଟିବା ଶବ୍ଦ ଶୁଭିଥିଲା। ଏହାପରେ ବସ୍‌ର ଡ୍ରାଇଭର ଓ କଣ୍ଡକ୍ଟର୍‌ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ। ବସ୍‌ର ଗୋଟିଏ ଝରକାରେ ଗୁଳିବାଜି ଚାଲିଯାଇଥିବା ଦେଖି ତୁରନ୍ତ ଗାଡ଼ିକୁ ବୈପାରିଗୁଡ଼ା ଅଭିମୁଖେ ନେବାସହିତ ସ୍ଥାନୀୟ ଥାନାରେ ଖବର ଦେଇଥିଲେ।

ପୁଲିସ ପହଞ୍ଚି ବସ୍‌ରେ ରହିଥିବା ୧୦ଜଣ ଯାତ୍ରୀଙ୍କୁ ଓହ୍ଲାଇ ପୁଲିସ ବ୍ୟାଗ୍‌ ଗୁଡ଼ିକୁ ଯାଞ୍ଚ କରିଥିଲା । ଯାଞ୍ଚ ସମୟରେ ଝରକା କାଚଖଣ୍ଡ ବାଜି ଜଣେ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଥିଲା। ଜୟପୁର ଏସ୍‌ଡିପିଓ ହରିଶ ବି.ସି ଯାତ୍ରୀ ଓ ବସ୍‌ କର୍ମଚାରୀଙ୍କ ସହ ଆଲୋଚନା କରିବା ସହିତ ଗୁଳି ଫୁଟିଥିବା ସ୍ଥାନରେ ତଦନ୍ତ କରିଥିଲେ।

ଅନ୍ୟପକ୍ଷରେ, ଓଏସ୍‌ଆରଟିସି ବସ୍‌ ଉପରେ ବାରମ୍ବାର ହମ୍‌ଲା ହେଉଛି। ଗତ ୩ମାସ ମଧ୍ୟରେ ଚାରୋଟି ଭଲ୍‌ବୋ ବସ୍‌ ଉପରକୁ ଦୁର୍ବୃତ୍ତ ଟେକା ମାରିସାରିଲେଣି। ତେଣୁ ଥାନାରେ ଏତଲା ଦିଆଯାଇଥିବା ଡିଟିଏମ୍‌ ଶ୍ରୀନିବାସ ପାଣିଗ୍ରାହୀ ସୂଚନା ଦେଇଛନ୍ତି।