ରସୁଲପୁର/ହରିପୁର : ଶୁକ୍ରବାର ରାତି ପ୍ରାୟ ୮ଟା ୩୦ ସମୟରେ କୁଆଖିଆ ଥାନା ଅନ୍ତର୍ଗତ ହରିପୁର ବଜାରର ଏମଏସ ଜୁଏଲାରି ମାଲିକଙ୍କଠାରୁ ଲୁଟ୍ ଉଦ୍ୟମ ହୋଇଛି। ଡକାୟତମାନଙ୍କୁ ପ୍ରତିରୋଧ କରିବାକୁ ଯାଇ ଅଳଙ୍କାର ବ୍ୟବସାୟୀ ଓ ଦୋକାନ କର୍ମଚାରୀ ଗୁଳିମାଡ଼ର ଶିକାର ହୋଇଛନ୍ତି। ଏଥିରେ ଅଳଙ୍କାର ବ୍ୟବସାୟୀ ଆଶିଷ ପାତ୍ର ଓ ଦୋକାନ କର୍ମଚାରୀ ସୋନୁ ସାହୁ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକମାନେ ଆସିଯିବାରୁ ଲୁଟ୍ କରିବାରେ ଡକାୟତମାନେ ସକ୍ଷମ ହୋଇନାହାନ୍ତି।
ଶୁକ୍ରବାର ରାତି ପ୍ରାୟ ସାଢ଼େ ୮ଟାରେ ଦୋକାନ ବନ୍ଦ କରି ଏମଏସ ଜୁଏଲାରିର ମାଲିକ ଦୁଇଭାଇ ଦେବାଶିଷ ପାତ୍ର ଓ ଆଶିଷ ପାତ୍ର ମେଡିକାଲ ଛକ ଦେଇ ଘରକୁ ଫେରୁଥିଲେ। ମେଡିକାଲ ଛକ ପାଖରୁ ପ୍ରାୟ ୧୦୦ ମିଟର ଦୂରରେ ଆଗରେ ବାଇକ୍ରେ ଯାଉଥିବା ଦେବାଶିଷ ପାତ୍ରଙ୍କ ଆଖିକୁ ଏକ କଳା ପଲସର୍ ବାଇକ୍ରେ ଆସି ୩ଜଣ ଯୁବକ ଲଙ୍କାଗୁଣ୍ତ ପକାଇଥିଲେ। ଫଳରେ ଦେବାଶିଷ ଅଟକିଯାଇଥିଲେ। ଦୁର୍ବୃତ୍ତମାନେ ତାଙ୍କ ପାଖରେ ଥିବା ବ୍ୟାଗ୍ ଛଡ଼ାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ପଛରେ ଅନ୍ୟ ଏକ ବାଇକ୍ରେ ଆସୁଥିବା ଦେବାଶିଷଙ୍କ ସାନଭାଇ ଆଶିଷ ପାତ୍ର ଓ ଜଣେ ଦୋକାନ କର୍ମଚାରୀ ସୋନୁ ସାହୁ ସେଠାରେ ପହଞ୍ଚି ଡକାୟତମାନଙ୍କ ସହିତ ମୁକାବିଲା କରିଥିଲେ।
ସେମାନଙ୍କ ପାଟି ଶୁଣି ପାଖ ଲୋକମାନେ ଆସିଯାଇଥିଲେ। ଏହା ଦେଖି ଦୁର୍ବୃତ୍ତମାନେ ପ୍ରଥମେ ବ୍ଲାଙ୍କ ଫାୟାର କରିଥିଲେ। ପରେ ଆଶିଷ ପାତ୍ର ଓ ସୋନୁ ସାହୁଙ୍କ ଗୋଡ଼କୁ ଲକ୍ଷ୍ୟ କରି ଗୁଳିମାଡ଼ କରିଥିଲେ। ଗୁଳିବାଜି ଦୁଇଜଣ ତଳେ ପଡ଼ିଯାଇଥିଲେ। ଗୁଳି ଶବ୍ଦ ଶୁଣି ଆସୁଥିବା ଲୋକମାନେ ମଧ୍ୟ ଭୟଭୀତ ହୋଇ ରହିଯାଇଥିଲେ। ଏହି ସୁଯୋଗରେ ଡକାୟତମାନେ କୁଆଖିଆ ରାସ୍ତାରେ ଫେରାର ହୋଇଯାଇଥିଲେ। ଗୁଳିମାଡ଼ରେ ଆହତ ଦୁଇଜଣଙ୍କୁ ପ୍ରଥମେ ହରିପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି। ଖବର ପାଇ କୁଆଖିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିଛି। ସେଠାରୁ ଏକ ଗୁଳିର ଖୋକା ମିଳିଛି। ଖବର ପାଇ ଏସ୍ପି ରାହୁଲ ପିଆର୍ ମଧ୍ୟ ଆସି ଅନୁଧ୍ୟାନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/loot-at-gunpoint-1.jpg)