ପାରୋଲ୍‌ରେ ଆସିଥିବା କଏଦୀଙ୍କୁ ଗୁଳିମାଡ଼

ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି, ପୂର୍ବ ଶତ୍ରୁତାକୁ ନେଇ ଗୁଳିକାଣ୍ଡ

କାମାକ୍ଷାନଗର : ପାରୋଲ୍‌ରେ ଆସିଥିବା ଜଣେ କଏଦୀଙ୍କୁ ବୁଧବାର ମଧ୍ୟାହ୍ନରେ ସଂଘବଦ୍ଧ ଭାବେ ୩ ରାଉଣ୍ଡ ଗୁଳିଚାଳନା କରାଯାଇଛି। ଗୁଳିମାଡ଼ରେ କଏଦୀ ଜଣକ ଗୁରୁତର ଆହତ ହୋଇଥିବା ଜଣାଯାଇଛି। ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ବାମ ପଞ୍ଚାୟତ ଅନ୍ତର୍ଗତ ଚାଉଳିଆଝରଣ ଗାଁରେ।

ଗୁରୁତର କଏଦୀ ଜଣଙ୍କ ହେଲେ ବାମ ପଞ୍ଚାୟତ ଅନ୍ତର୍ଗତ ବାଉଁଶମୁଣ୍ଡା ଗାଁର ଅର୍ଜୁନ ସୋରେନ (୫୦)। ଅର୍ଜୁନ ବୁଧବାର ଦିନ ଝିଲ୍ଲୀ ଗାଁ ସାପ୍ତାହିକ ହାଟରୁ ସଉଦା ନେଇ ଘରକୁ ଫେରୁଥିବାବେଳେ ଚାଉଳିଆଝରଣ ଗାଁ ନିକଟରେ ତାଙ୍କୁ ଗୁଳି କରାଯାଇଥିଲା। ପ୍ରାୟ ୪ ଜଣ ବ୍ୟକ୍ତି ତାଙ୍କ ଉପରକୁ ପ୍ରାୟ ୩ ରାଉଣ୍ଡ ଗୁଳିଚାଳନା କରିଥିଲେ। ଫଳରେ, ଅର୍ଜୁନଙ୍କ ପଛପାଖ ପିଠି, ଅଣ୍ଟା ଓ ହାତରେ ଗୁଳି ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ କାମାକ୍ଷାନଗର ପଠାଯାଇଥିଲା। ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି। ପ୍ରାଥମିକ ତଦନ୍ତରୁ ପୂର୍ବଶତ୍ରୁତାକୁ ନେଇ ଏହି ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି। ଗୁଳିମାଡ଼ କରି ଅପରାଧୀମାନେ ଫେରାର ହୋଇଯାଇଛନ୍ତି।

ସୂଚନାଯୋଗ୍ୟ, ୨୦୧୧ ମସିହା ଅଗଷ୍ଟ ମାସ ୧୫ ତାରିଖ ଦିନ ପରକୀୟା ପ୍ରୀତିକୁ ନେଇ ଚାଉଳିଆଝରଣ ଗାଁର ଜଣେ ବ୍ୟକ୍ତିଙ୍କୁ ହତ୍ୟା ଅଭିଯୋଗରେ ଅର୍ଜୁନ ପ୍ରାୟ ୧୦ ବର୍ଷ ଜେଲ୍‌ ହାଜତରେ ଥିଲେ। ଗତବର୍ଷ ଜୁନ ୫ ତାରିଖ ଦିନ ସେ ପାରୋଲ୍‌ରେ ଆସିଥିଲେ। ଗୁଳିକାଣ୍ଡ ଖବର ପାଇ କାମାକ୍ଷାନଗର ଏସ୍‌ଡିପିଓ ରଞ୍ଜନ କୁମାର ଦେଓ ପୁଲିସବାହିନୀ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ତେବେ, ସେ ‌ଏତେଦିନ ଧରି କିପରି ପାରୋଲ୍‌ରେ ରହିଲେ ସେ ବାବଦରେ ଅଧିକ ତଦନ୍ତ ଜାରି ରହିଛି ବୋଲି ଶ୍ରୀ ଦେଓ କହିଛନ୍ତି।

ସମ୍ବନ୍ଧିତ ଖବର