ଆଖୁ ନଦେବାରୁ ଗୁଳି : ଚାଷୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ବଲାଙ୍ଗୀର : ସାମାନ୍ୟ ବଚସାରୁ ଆଖୁ କିଆରିରେ ଫୁଟିଛି ଗୁଳି। ଆଖୁ ଖାଇବାକୁ ଜିଦ୍‌ କରି ଚାଷୀ ମଙ୍ଗଳୁ ସେଠ (୬୦)ଙ୍କ ଉପରକୁ ଗୁଳି କରିଛି ଦୁର୍ବୃତ୍ତ। ମଙ୍ଗଳୁଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ସମରା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।

ଘଟଣା ଅନୁସାରେ, ସମରା ଗ୍ରାମର ଆଖୁ ଚାଷୀ ମଙ୍ଗଳୁ ଆଖୁ କିଆରି ଜଗିଥିଲେ। ଏହି ସମୟରେ ୪ ଜଣ ଯୁବକ ଆଖୁ ଖାଇବା ପାଇଁ ସେଠାକୁ ଆସିଥିଲେ। ତେବେ, ପରମ୍ପରା ଅନୁସାରେ କିଆରିରେ ପୂଜାପାଠ ହୋଇ ନ ଥିବାରୁ ଆଖୁ ଖାଇବାକୁ ସେ ବାରଣ କରିଥିଲେ। ମାତ୍ର, ଯୁବକମାନେ ଆଖୁ ଖାଇବାକୁ ଜିଦ୍‌ ଧରିଥିଲେ। ଫଳରେ, ସେମାନଙ୍କ ସହ ମଙ୍ଗଳୁଙ୍କର ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଆକାଶ ପାଣିଗ୍ରାହୀ ନାମକ ଯୁବକ ଧରିଥିବା ବନ୍ଧୁକ (ଚଢ଼େଇ ମରିବା ପାଇଁ ଉଦ୍ଦିଷ୍ଟ )ରେ ମଙ୍ଗଳୁଙ୍କ ଉପରକୁ ଗୁଳି କରିଥିଲା। ଏହାପରେ ଯୁବକମାନେ ସେଠାରୁ ଫେରାର ହୋଇଯାଇଥିଲେ।

ବୃଦ୍ଧଙ୍କ ଜଙ୍ଘରେ ଗୁଳି ବାଜିଥିବା ବେଳେ ପରିବାର ଲୋକେ ଉଦ୍ଧାର କରି ପ୍ରଥମେ ତୁଷରା ଡାକ୍ତରଖାନାକୁ ନେଇଥିଲେ। ଜଙ୍ଘରେ ଗୁଳି ରହି ଯାଇଥିବାରୁ ତାଙ୍କୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର