କୋଇଡ଼ା: କେ.ବଲାଙ୍ଗ ଥାନା ଅନ୍ତର୍ଗତ ପାଟାସାହି ରେଳବାଇ ଫାଟକ ନିକଟରେ ଏକ ସ୍କୋର୍ପିଓରେ ଯାଉଥିବା ଯୁବକଙ୍କ ଉପରକୁ ଗୁଳିମାଡ଼ ହୋଇଛି। ଗୁଳିସବୁ ଗାଡ଼ିରେ ବାଜିଥିବାବେଳେ ଯୁବକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଆଉ ୩ ଜଣ ଫେରାର ହୋଇଯାଇଥିବା କୁହାଯାଉଛି। ସୂଚନା ଅନୁସାରେ, ଆଜି ଦିନ ପ୍ରାୟ ୧୦ଟା ୪୫ ସମୟରେ ବିକି ସାହୁ ନାମକ ଯୁବକ ନିଜ ସ୍କୋର୍ପିଓରେ ପଟାସାହି ରେଳବାଇ ସାଇଡିଂସ୍ଥ ନିଜ କାର୍ଯ୍ୟସ୍ଥଳକୁ ଯାଉଥିବାବେଳେ ରେଳଫାଟକ ନିକଟରେ ତିନିଟି ବାଇକ୍‌​ରେ ୬ ଜଣ ଦୁର୍ବୃତ୍ତ ଆସି ତାଙ୍କ ଗାଡ଼ି ଅଟକାଇବାକୁ ଚେଷ୍ଟା କରିଥିଲେ। ବିପଦ ଆଶଙ୍କାକରି ବିକି ଗାଡ଼ିକୁ ଦ୍ରୁତ ଗତିରେ ଚଳାଇ ଖସିଯିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଗୁଳିସବୁ ତାଙ୍କ ଗାଡ଼ିରେ ବାଜିଥିବାବେଳେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏହି ସମୟରେ ସେଠାରେ ସ୍ଥାନୀୟ ଲୋକେ ପହଞ୍ଚିଯିବାରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ବିକି ସଙ୍ଗେସଙ୍ଗେ ସ୍ଥାନୀୟ ପୁଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଚାନ୍ଦିପୋଷ ଅଞ୍ଚଳରୁ ତିନିଜଣଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ସେମାନଙ୍କ ନିକଟରୁ ୩ଟି ବାଇକ୍‌ ଜବତ କରାଯାଇଛି। ଅନ୍ୟ ୩ ଜଣ ଫେରାର ଅଛନ୍ତି। ଖୁବ୍‌ଶୀଘ୍ର ବାକି ଦୁର୍ବୃତ୍ତଙ୍କୁ ଧରିବାରେ ସକ୍ଷମ ହେବୁ ବୋଲି ସ୍ଥାନୀୟ ପୁଲିସ ଅଧିକାରୀ ସ୍ମୃତିରଞ୍ଜନ ନାୟକ କହିଛନ୍ତି।