ଗୁଳି ମାଡ଼ରେ ଯୁବକ ଗୁରୁତର, ଚିକିତ୍ସାଲାଗି ଡାକ୍ତରଖାନାରେ ଭର୍ତି, ଭାପୁରରେ ଉତ୍ତେଜନା

ଭାପୁର : ସୋମବାର ସନ୍ଧ୍ୟାରେ ଭାପୁର ବଜାର ଉପକଣ୍ଠରେ ଥିବା ଏକ ବିଦେଶୀ ମଦ ଦୋକାନରେ ଗୁଳିକାଣ୍ଡ ହୋଇଛି। ମଦ କିଣିବାକୁ ସେଠାକୁ ଯାଇଥିବା ଜଣେ ଯୁବକଙ୍କୁ ଦୋକାନର ଜଣେ କର୍ମଚାରୀ ଗୁଳି ମାରିବା ଫଳରେ ଯୁବକ ଜଣକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଭୁବନେଶ୍ବରର ଏକ ଡାକ୍ତରଖାନାରେ ଭର୍ତି କରାଯାଇଛି। ଅନ୍ୟପକ୍ଷରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

ମିଳିଥିବା ଖବର ଅନୁଯାୟୀ, ଭାପୁର ବ୍ଲକ ଫତେଗଡ ପଞ୍ଚାୟତର ପିଠାଖାଇ ଗ୍ରାମର ସାଗର ଲେଙ୍କା(୨୫) ଆଜି ସନ୍ଧ୍ୟା ପ୍ରାୟ ୬ଟା ୩୦ରେ ଭାପୁର ବଜାର ଉପକଣ୍ଠରେ ଥିବା ଏକ ବିଦେଶୀ ମଦ ଦୋକାନରୁ ମଦ କିଣିଥିଲେ। ତେବେ ମଦ ବୋତଲର ଧାର୍ଯ୍ୟ ଦରଠାରୁ ଦୋକାନୀ ୧୦ ଟଙ୍କା ଅଧିକ ଦେବା ଘଟଣାକୁ ନେଇ ଦୋକାନୀ ଏବଂ ସାଗରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ଏହି ସମୟରେ ମଦ ଦୋକାନ ଭିତରୁ ଜଣେ କର୍ମଚାରୀ ହଠାତ୍ ବହାରି ଆସି ସାଗରଙ୍କ ମୁଣ୍ତରେ ରିଭଲ୍‌ଭର ଲଗାଇ ଗୁଳି ଚଳାଇଥିଲା। ଘଟଣାସ୍ଥଳରେ ସାଗର ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଭୁବନେଶ୍ବରର ଏକ ଡାକ୍ତରଖାନାରେ ଭର୍ତି କରିଛନ୍ତି। ଏହି ଘଟଣା ପ୍ରଚାର ହେବା ମାତ୍ରକେ ପିଠାଖାଇ ଗ୍ରାମର ଶହ ଶହ ଯୁବକ ଘଟଣାସ୍ଥଳରେ ପହଞ୍ଚି ପ୍ରବଳ ପାଟିତୁଣ୍ତ କରିଥିଲେ। ଭାପୁର ଫାଣ୍ତି ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଆୟତ୍ତ କରିଛି। ତେବେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗିରହିଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଫତେଗଡ ଥାନାରେ କିଛି ଲିଖିତ ଅଭିଯୋଗ ହୋଇନଥିବା ଜଣାପଡିଛି।

ସମ୍ବନ୍ଧିତ ଖବର