ଆତଙ୍କ ଖେଳାଇଲେ ଦୁଇ ସନ୍ଦିଗ୍ଧ : ୨ ଜଣଙ୍କୁ ଗୁଳି ମାରିଲେ, ହିଟାଚି ଓ ବାଇକ୍ ଜାଳିଦେଲେ

ଖୋର୍ଦ୍ଧା/ବେଗୁନିଆ : ରବିବାର ଖୋର୍ଦ୍ଧା ଜିଲ୍ଲା ବେଗୁନିଆଠାରୁ ୨୫ କିଲୋମିଟର ଦୂର କାଳଚୁଆ ପଥର ମୁଣ୍ତିଆ ନିକଟରେ ଦୁଇ ଜଣ ଯୁବକ ଦୀର୍ଘ ଦେଢ଼ ଘଣ୍ଟା ଧରି ଆତଙ୍କରାଜ ସୃଷ୍ଟି କରିବା ସହ ଦୁଇ ଜଣଙ୍କୁ ଗୁଳି କରି ଗୁରୁତର ଆହତ କରିଛନ୍ତି। ଘଟଣାସ୍ଥଳରେ ଦୁଇଟି ହିଟାଚି ମେସିନ୍ ଓ ଗୋଟିଏ ମୋଟର ସାଇକଲକୁ ସେମାନେ ପୋଡ଼ି ଦେଇ ଫେରାର୍ ହୋଇ ଯାଇଛନ୍ତି। ନିର୍ବାଚନ ପରିପ୍ରେକ୍ଷୀରେ ସବୁଠି କଡା ପହରା ସତ୍ତ୍ବେ ଦୁର୍ବୃତ୍ତଙ୍କର ଏଭଳି କାରନାମା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ଖେଳାଇ ଦେଇଛି।

ରବିବାର ସନ୍ଧ୍ୟା ପ୍ରାୟ ୬ଟା। ଡଙ୍ଗରପଡ଼ା ଗାଁ ନିକଟସ୍ଥ କାଳଚୁଆ ପାହାଡ଼। ପଥର ମୁଣ୍ତିଆରୁ ବେଆଇନ ପଥର ଚାଲାଣ ହେଉଥିଲା। ଡଙ୍ଗରପଡ଼ା ଗାଁର ଦେବରାଜ ସାମନ୍ତରାୟଙ୍କ ପୁଅ ସୁକାନ୍ତ ସାମନ୍ତରାୟ ଏବଂ ଅନ୍ୟ ଜଣେ ଏକ ମୋଟର ସାଇକଲରେ ପଥର ମୁଣ୍ତିଆ ନିକଟରେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କ ଗାଁରୁ ଜଣେ ବ୍ୟକ୍ତି ଟ୍ରକ୍ ନେଇ ସେଠାରେ ପହଞ୍ଚିବାରୁ ସୁକାନ୍ତ ତାଙ୍କ ସହିତ କଥା ହେଉଥିଲେ। ଏତିକି ବେଳେ ମୁହଁରେ କଳାପଟି ପିନ୍ଧା ଦୁଇଜଣ ଯୁବକ ବାଇକ୍‌ରେ ସେଠାରେ ପହଞ୍ଚି ଧମକ ଦେବା ଭଙ୍ଗିରେ ସୁକାନ୍ତଙ୍କୁ ଦିଆସିଲି ମାଗିଥିଲେ। ସୁକାନ୍ତ ମନା କରିବା ପରେ ଅନ୍ୟ ଦୁଇଜଣଙ୍କୁ ମାଗିଥିଲେ। ଏହା ପରେ ସୁକାନ୍ତଙ୍କୁ ତାଙ୍କ ଗାଁ ଠିକଣା ପଚାରିଥିଲେ। ସୁକାନ୍ତ ନିଜ ଗାଁ ଠିକଣା କହିବା ପରେ ଯୁବକ ଦୁଇ ଜଣ ବାଇକ୍‌ରୁ ଓହ୍ଲାଇ ହଠାତ୍ ତିନି ଜଣଙ୍କୁ ପିଟିବାରେ ଲାଗିଥିଲେ। ପ୍ରତିବାଦ କରିବାରୁ ସେମାନେ ସୁକାନ୍ତଙ୍କ ଉପରକୁ ଦୁଇ ରାଉଣ୍ତ ଗୁଳି ଚଳାଇଥିଲେ। ସୁକାନ୍ତଙ୍କ ଜଙ୍ଘରେ ଗୁଳି ବାଜିବାରୁ ସେ ତଳେ ପଡ଼ିଯାଇଥିବା ବେଳେ ଅନ୍ୟ ଦୁଇ ଜଣ ପ୍ରାଣ ଭୟରେ ସେଠାରୁ ଦୌଡ଼ି ପଳାଇଥିଲେ।

ପରେ ଯୁବକ ଦୁଇ ଜଣ ପଥର ମୁଣ୍ତିଆ ଭିତରେ ପଶି ତିନି ରାଉଣ୍ତ୍ ଫାଙ୍କା ଗୁଳି ଚଳାଇଥିଲେ। ସେଠାରେ କାମ କରୁଥିବା ଲୋକ, ଟ୍ରକ୍ ଚାଳକ ସମସ୍ତେ ଜୀବନବିକଳରେ ଦୌଡ଼ି ପଳାଇବା ପରେ ଦୁର୍ବୃତ୍ତଦ୍ବୟ ସେଠାରେ ଥିବା ଦୁଇଟି ହିଟାଚି ମେସିନ୍‌ରେ ନିଆଁ ଲଗାଇ ଦେଇଥିଲେ। ଏତିକିରେ ସେମାନଙ୍କ ଆତଙ୍କ ଥମିନଥିଲା। ସେମାନେ କାଳଚୁଆ ପଥର ମୁଣ୍ତିଆ ଆରପଟେ ଥିବା ଦଲକ ଗାଁ ଆଡେ ଯାଇଥିଲେ। ଏହି ସମୟରେ ବୁଲେଟ୍ ମଟର ସାଇକେଲରେ ଦଲକ ଗାଁର ବାଦଲ ବଡ଼ଜେନା ପହଞ୍ଚିଥିଲେ। ତାଙ୍କୁ ଲକ୍ଷ୍ୟ କରି ଦୁଇ ରାଉଣ୍ତ ଗୁଳି ଚଳାଇଥିଲେ ଦୁର୍ବୃତ୍ତ।

ଗୁଳି ମାଡ଼ରେ ବାଦଲ ସେଠାରେ ଅଚେତ ହୋଇ ପଡି ଯାଇଥିବା ବେଳେ ଯୁବକମାନେ ତାଙ୍କ ବୁଲେଟ୍‌ରେ ନିଆଁ ଲଗାଇ ଘଟଣାସ୍ଥଳରୁ ଫେରାର୍ ହୋଇ ଯାଇଥିଲେ। ସନ୍ଧ୍ୟା ୬ରୁ ସାଢେ଼ ୭ଟା ଯାଏଁ ପ୍ରାୟ ଦେଢ଼ ଘଣ୍ଟା ଧରି ସଂପୃକ୍ତ ଇଲାକାରେ ଦୁଇ ଜଣ ଯୁବକ ଏଭଳି ଆତଙ୍କ ସୃଷ୍ଟି କରିଥିଲେ ମଧ୍ୟ କେହି ପ୍ରତିବାଦ ନ କରିବା ଓ ପୁଲିସ୍‌ ନିକଟରେ ଖବର ନ ପହଞ୍ଚିବା ଘଟଣାକୁ ଆହୁରି ରହସ୍ୟମୟ କରିଛି।

ବେଗୁନିଆ ଥାନା ଆଇଆଇସିଙ୍କ ସୂଚନା ଅନୁସାରେ, ଘଟଣା ସଂପର୍କରେ କେହି ସଠିକ୍ ସୂଚନା ଦେଇ ପାରିନାହାନ୍ତି। ତେବେ କିଛି ଲୋକଙ୍କୁ ସନ୍ଦେହ ଘେରରେ ରଖାଯାଇଛି। ଦୁର୍ବୃତ୍ତଙ୍କୁ ଧରିବା ଲାଗି ପୁଲିସ୍‌ ଛାନଭିନ୍ ଚଳାଇଛି। ତେବେ ଗାଁର କିଛି ଲୋକଙ୍କ ସହ ଯୋଗାଯୋଗ କରିବାରେ ସେମାନେ କହିଛନ୍ତି ଯେ ଡଙ୍ଗରପଡ଼ା ମୌଜାରେ ଥିବା କାଳଚୁଆ ପାହାଡ଼ରେ ୫ଟି ପଥର ଖାଦାନ ରହିଛି। ପ୍ରାୟ ସମସ୍ତ ଖାଦାନ ବେଆଇନ। ଏହାକୁ ନେଇ ପ୍ରାୟତଃ ଅଞ୍ଚଳରେ ଗଣ୍ତଗୋଳ ଘଟିଥାଏ। ପୁଲିସ୍‌–ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବେଆଇନ ଖାଦାନକୁ ବନ୍ଦ କରିଦେଲେ ଏ ସମସ୍ତ ସମସ୍ୟାର ସମାଧାନ ହୋଇପାରନ୍ତା। ଆହତ ହୋଇଥିବା ଉଭୟ ସୁକାନ୍ତ ଓ ବାଦଲଙ୍କର ସେହି ପଥରମୁଣ୍ତିଆ ସହ ବ୍ୟାବସାୟିକ ସମ୍ପର୍କ ଥିଲା। ଉଭୟ ସେଠାରୁ ଚିପ୍ସ, ମେଟାଲ୍ ଆଦି ବ୍ୟବସାୟ କରୁଥିଲେ। ସମ୍ଭବତଃ ଏହି କାରଣକୁ ନେଇ ଗୁଳିମାଡ଼ ଓ ଗାଡି ଜଳାପୋଡା କରାଯାଇଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର