ଫିରିଙ୍ଗିଆ ବିଡିଓଙ୍କ ପତ୍ନୀଙ୍କ ଆତ୍ମହତ୍ୟା

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବିଡିଓ ରଶ୍ମିରଂଜନ ମହନ୍ତଙ୍କ ପତ୍ନୀ ସରିତା ସାମଲ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ପୁଲିସ କହିଛି। ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଛି।

ପ୍ରାଥମିକ ତଦନ୍ତ ପରେ ପୁଲିସ ଦେଇଥିବା ସୂଚନା ଅନୁସାରେ, ବିଡିଓ ଶ୍ରୀ ମହନ୍ତ ୩ ବର୍ଷ ପୂର୍ବେ ଭଦ୍ରକ ଅଞ୍ଚଳର ସରିତାଙ୍କୁ ପ୍ରେମ ବିବାହ କରିଥିଲେ। ସରକାରୀ କ୍ବାଟର୍ସରେ ରହୁଥିଲେ ଓ ସେମାନଙ୍କର ୨ ବର୍ଷର ପୁଅଟିଏ ଅଛି। ବିଡିଓ ଶ୍ରୀ ମହନ୍ତ ଗତକାଲି ଜିଲ୍ଲା ସଦର ମହକୁମା ଫୁଲବାଣୀରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମୀକ୍ଷା ବୈଠକକୁ ଆସି ସନ୍ଧ୍ୟା ୭ଟାରେ ଫେରିଥିଲେ। କୌଣସି କଥାକୁ ନେଇ ପତିପତ୍ନୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ତା’ପରେ ଶ୍ରୀ ମହନ୍ତ ପୁଅକୁ ଧରି ବାହାରକୁ ବୁଲିବାକୁ ପଳାଇ ଯାଇଥିଲେ। କିଛି ସମୟ ପରେ ଘରକୁ ଫେରି ଯେତେ ଡାକିଲେ ବି ସରିତା କୌଣସି ଉତ୍ତର ଦେଇ ନ ଥିଲେ। ପରେ କିଛି ବ୍ଲକ୍‌ କର୍ମଚାରୀ ପହଞ୍ଚି କବାଟ ଭାଙ୍ଗି ଭିତରକୁ ପଶିବା ପରେ ସରିତା ରଶି ଲଗାଇ ଝୁଲୁଥିବା ଦେଖିବାକୁ ମିଳିଥିଲା। ସରିତାଙ୍କୁ ତୁରନ୍ତ ପ୍ରଥମେ ଫିରିଙ୍ଗିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରା ଯାଇଥିଲା। ସେଠାରେ ଡାକ୍ତର ସରିତାଙ୍କୁ ମୃତ ଘୋଷଣା କରିଥିଲେ। ଫିରିଙ୍ଗିଆ ଥାନାଧିକାରୀ ପି.ଶ୍ୟାମସୁନ୍ଦର ରାଓ ଘଟଣା ସମ୍ପର୍କରେ ଫୋନ୍‌ କରି ସରିତାଙ୍କ ବାପଘର ଲୋକଙ୍କୁ ଜଣାଇଥିଲେ। ହେଲେ ସେମାନେ ଆସିବାକୁ ମନା କରିବା ସହ ତାଙ୍କ ଆଡ଼ୁ କୌଣସି ଅଭିଯୋଗ ନାହିଁ ବୋଲି ପୁଲିସକୁ ମେଲ୍‌ କରି ଜଣାଇ ଦେଇଥିଲେ। ତା’ପରେ ସରିତାଙ୍କ ମୃତଦେହ ବ୍ୟବଚ୍ଛେଦ ହୋଇଥିଲା।

ସମ୍ବନ୍ଧିତ ଖବର