ଭଞ୍ଜନଗର : ଉନ୍ନତମାନର ଘୁମୁସରୀ ଗାଈ ବଂଶବୃଦ୍ଧି, ବାଛୁରୀ ଜନ୍ମ କରାଇବା ଏବଂ ଷଣ୍ଢ ସଂଗ୍ରହ ପାଇଁ ଭଞ୍ଜନଗରରେ ଗଞ୍ଜାମ ଜିଲ୍ଲାର ଏକମାତ୍ର ଗୋ-ପ୍ରଜନନ ଓ ବୃଷଭ ଜନନୀ ଫାର୍ମ ରହିଛି। କୃତ୍ରିମ ପ୍ରଜନନ ମାଧ୍ୟମରେ ଦେଶୀପ୍ରଜାତିର ଗାଈଙ୍କଠୁ ବାଛୁରୀ ପ୍ରସ୍ତୁତ କରିବା ଏବଂ କଟକ ସ୍ଥିତ ଫ୍ରୋଜେନ୍ ସିମେନ୍‌ ବ୍ୟାଙ୍କ୍ ପାଇଁ ଷଣ୍ଢ ସଂଗ୍ରହ ହେଉଛି ଏହି ଫାର୍ମର ମୂଳ ଲକ୍ଷ୍ୟ। ଏହି ଫାର୍ମରେ ବିରଳ ଘୁମୁସରୀ ପ୍ରଜାତିର ଗାଈ ବଂଶବୃଦ୍ଧି ଓ ସଂରକ୍ଷଣ ଲକ୍ଷ୍ୟରେ ୧୦୦ଟି ଗାଈ ରଖିବା ସହ କୃତ୍ରିମ ପ୍ରଜନନ ମାଧ୍ୟମରେ ଷଣ୍ଢ ସଂଖ୍ୟା ବୃଦ୍ଧି ଯୋଜନା ରହିଥିଲା। କିନ୍ତୁ ଉକ୍ତ ପ୍ରଜାତିର ଗାଈ କି ଷଣ୍ଢ ନମିଳିବାରୁ ‌ଏହି ଯୋଜନା ମୋଟାମୋଟି ଭାବେ ବିଫଳ ହୋଇଛି।

Advertisment

ଦୁଃଖର କଥା ହେଉଛି, ୧୯୫୦ ମସିହାରେ ଅର୍ଥାତ୍ ୭୨ ବର୍ଷ ତଳେ ନିର୍ମିତ ଏହି ଫାର୍ମ ନିଜର ମୂଳ ଉଦ୍ଦେଶ୍ୟଠୁ ଦୂରେଇ ଯାଇଛି। ଆବଶ୍ୟକ ଅଭିଜ୍ଞ ଓ ତାଲିମପ୍ରାପ୍ତ କର୍ମଚାରୀ ଅଭାବ ଯୋଗୁଁ ଏଠାରେ ପଶୁସମ୍ପଦ ବିଭାଗର କୌଣସି ଯୋଜନାର ସଫଳ ରୂପାୟନ ହୋଇପାରୁନି। କେବଳ ଏତିକି ନୁହେଁ, ଗଞ୍ଜାମ ଜିଲ୍ଲା ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟ ଅଧୀନରେ ପରିଚାଳିତ ଏହି ଫାର୍ମରେ ୨୦୧୨ ମସିହାରୁ ନିୟମିତ ପରିଚାଳକ କେହି ନାହାନ୍ତି। ଫଳରେ କହିବାକୁ ଗଲେ ଏହି ଫାର୍ମ ବର୍ତ୍ତମାନ ମୁରବିବିହୀନ ପାଲଟିଛି। ଜଣେ କନିଷ୍ଠ କିରାଣି ଏବଂ ୨ ଜଣ ଚ‌ୌକିଦାରଙ୍କୁ ଛାଡ଼ିଦେଲେ ବାକି ସମସ୍ତ ଗୁରୁତ୍ବପୂର୍ଣ୍ଣ ପଦବି ଖାଲିପଡ଼ିଛି।
ଫାର୍ମରେ ଷଣ୍ଢ ଛୁଆ ପାଇଁ ବିଭିନ୍ନ ପ୍ରଜାତିର ଗାଈଙ୍କୁ ରଖାଯାଇଛି। ଏଥିପାଇଁ ୫ଟି ଗୁହାଳ ନିର୍ମିତ ହୋଇଛି। ବର୍ତ୍ତମାନ ଫାର୍ମରେ ୩୮ଟି ଗାଈ ଓ ୪୬ଟି ବାଛୁରୀ ଅଛନ୍ତି। ୧୩ଟି ଗାଈ ଗର୍ଭଧାରଣ କରିଥିବା ବେ‌ଳେ ୨୫ ଗାଈଙ୍କଠୁ କ୍ଷୀର ସଂଗ୍ରହ ହେଉଛି। ଯାହାକୁ ଧାର୍ଯ୍ୟ ସରକାରୀ ଦର ଅନୁସାରେ ଲୋକଙ୍କୁ ଦୁଇଓଳା ବିକ୍ରି କରାଯାଉଛି। ଏଥିସହ ୧୩ଟି ଛଡ଼ା, ୧୫ଟି ଅଣ୍ଡିରା, ୮ଟି ମାଈ ବାଛୁରୀ ଏବଂ ୧୦ଟି ଷଣ୍ଢ ଅଛନ୍ତି।

ସେହିପରି ପୂର୍ବରୁ ଗାଈମାନଙ୍କ ଖାଦ୍ୟ ପାଇଁ ଫାର୍ମ ଭିତରେ ପ୍ରାୟ ୩୨ ଏକର ଜାଗାରେ ଘାସ ଚାଷ ହେଉଥିବା ବେଳେ ତାହା ବର୍ତ୍ତମାନ ମାତ୍ର ୧୦ରୁ ୧୨ ଏକର ଭିତରେ ସୀମିତ ରହିଛି। ସେଥିମଧ୍ୟରୁ ଶଙ୍କରହାତିଆ ବା ସବୁଦିନିଆ ଓ ଋତୁକାଳୀନ ଘାସ ଚାଷ ‌ହେଉଥିବା ବେଳେ କର୍ମଚାରୀ ଅଭାବ ଯୋଗୁଁ ବାଧା ସୃଷ୍ଟି ହେଉଛି। ବର୍ତ୍ତମାନ କେବଳ ଗାଈ ଓ ବାଛୁରୀଙ୍କୁ ରଖାଯାଇଛି।

୧୧ ବର୍ଷ ହେଲା ସ୍ଥାୟୀ ପରିଚାଳକ ପଦବି ଖାଲି ପଡ଼ିଥିବାରୁ ବର୍ତ୍ତମାନ ପ୍ରାଣୀଧନ ତାଲିମ କେନ୍ଦ୍ରର ସହକାରୀ ନିର୍ଦ୍ଦେଶକ ଅତିରିକ୍ତ ଦାୟିତ୍ବ ତୁଲାଉଛନ୍ତି। ଏଥିସହ ଡାଏରି ଓଭରସିୟର୍, ବରିଷ୍ଠ କିରାଣି, ପ୍ରାଣୀଧନ ନିରୀକ୍ଷକ, ଡାଏରି ଆଟେଣ୍ଡାଣ୍ଟ୍‌ ଓ ପିଅନ ପଦବି ଖାଲି ପଡ଼ିଛି। ଜଣେ ପ୍ରାଣୀଧନ ନିରୀକ୍ଷକ ଓ କୁକୁଡ଼ାଫାର୍ମର ଓଭରସିୟର୍ କାମଚଳା ଭାବେ ଦାୟିତ୍ବ ତୁଲାଉଛନ୍ତି। ଡାଏରି ଓଭରସିୟର୍ ଓ ପ୍ରାଣୀଧନ ନିରୀକ୍ଷକ ପଦରେ ଅଭିଜ୍ଞ ଏବଂ ତାଲିମପ୍ରାପ୍ତ କର୍ମଚାରୀ ନିୟୋଜିତ ରହିବା କଥା। ସେହିପରି କନିଷ୍ଠ କିରାଣିଙ୍କୁ କୁକୁଡ଼ାଫାର୍ମର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଘାସ ଚାଷ ପାଇଁ ରହିଥିବା ଏଗ୍ରିକଲଚର୍ ସବ୍‌ଓଭରସିୟର୍‌ଙ୍କୁ ଗଜପତି ଜିଲ୍ଲାକୁ ବଦଳି ହୋଇଯାଇଛି। ଫାର୍ମରେ ଥିବା ଏକ ଟ୍ରାକ୍ଟର୍ ଦୀର୍ଘବର୍ଷ ହେବ ଅଚଳ ହୋଇ ପଡ଼ି ରହିଛି। ଗାଈମାନଙ୍କ ଯତ୍ନ ସହ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ବର୍ତ୍ତମାନ ୧୦ ଜଣ ଠିକା ଶ୍ରମିକ ଅଛନ୍ତି। କିନ୍ତୁ ସେମାନେ ଛୁଟିରେ ରହିଲେ ସମସ୍ୟା ବଢ଼ୁଛି। କୋଠା ବି ପୁରାତନ ହୋଇଥିବାରୁ ଏହାର ଅବସ୍ଥା ଶୋଚନୀୟ ପାଲଟିଛି। ପୁନରୁଦ୍ଧାର ଏବଂ କର୍ମଚାରୀ ନିଯୁକ୍ତି ଦିଗରେ ସରକାର ପଦକ୍ଷେପ ନେବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି।