ଭିମସାର୍‌ରେ ପ୍ରଥମ ବ୍ଲାକ୍‌ ଫଙ୍ଗସ୍‌ ମୃତ୍ୟୁ!

ସମ୍ବଲପୁର : ଭିମ୍‌ସାର୍‌ରେ ଜଣେ ସନ୍ଦିଗ୍ଧ ବ୍ଲାକ୍‌ ଫଙ୍ଗସ୍‌ (ମ୍ୟୁକର୍‌ମାଇକୋସିସ୍‌) ରୋଗୀଙ୍କ ମୃତ୍ୟୁ ହୋଇଛି। ୬ ଦିନ ତଳେ ଗୁରୁତର ଅବସ୍ଥାରେ ସେ ଭିମ୍‌ସାର୍‌ରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ସେଣ୍ଟ୍ରାଲ୍ ଆଇସିୟୁରେ ରଖା ଯାଇଥିଲା। ତାଙ୍କ ନିକଟରେ ବ୍ଲାକ୍‌ ଫଙ୍ଗସ୍‌ର ଲକ୍ଷଣ ଥିଲେ ବି ଆଇସିୟୁରେ ଭର୍ତ୍ତି ଥିବାରୁ ତାଙ୍କ ପରୀକ୍ଷା କରାଯାଇ ପାରି ନଥିଲା। ପରୀକ୍ଷା ହୋଇ ନଥିବାରୁ ସେ ଯେ ନିଶ୍ଚିତ ଭାବେ ବ୍ଲାକ୍‌ ଫଙ୍ଗସ୍‌ ଆକ୍ରାନ୍ତ ତାହା ଭିମ୍‌ସାର୍‌ କର୍ତ୍ତୃପକ୍ଷ କହିପାରୁ ନାହାନ୍ତି।

ତେବେ ତାଙ୍କୁ ଜଣେ ସନ୍ଦିଗ୍ଧ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ କୁହାଯାଇ ପାରିବ ବୋଲି ଭିମସାର୍‌ ଅଧୀକ୍ଷକ ପ୍ର. ଲାଲ୍‌ମୋହନ ନାୟକ କହିଛନ୍ତି। ପରୀକ୍ଷା ହୋଇ ନଥିବାରୁ ଯଦିଓ ଏହାକୁ ସରକାରୀ ଭାବେ ବ୍ଲାକ୍‌ ଫଙ୍ଗସ୍‌ ଜନିତ ମୃତ୍ୟୁରେ ଗଣାଯିବ ନାହିଁ, ତେବେ ଏହା ପଶ୍ଚିମ ଓଡ଼ିଶାର ପ୍ରଥମ ବ୍ଲାକ୍‌ ଫଙ୍ଗସ୍ ମୃତ୍ୟୁ ବୋଲି ଆଲୋଚନା ହେଉଛି। ଆକ୍ରାନ୍ତ ଜଣକ ବରଗଡ଼ ଜିଲ୍ଲାର ଜଣେ ୬୦ ବର୍ଷୀୟ ପୁରୁଷ ଥିଲେ। ଭିମ୍‌ସାର୍‌କୁ ଆସିବା ବେଳଠୁ ତାଙ୍କ ଅବସ୍ଥା ଗୁରୁତର ଥିଲା। ତେଣୁ ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରି ଚିକିତ୍ସା କରା ଯାଉଥିଲା। ରବିବାର ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା।

ବର୍ତ୍ତମାନ ଭିମସାର୍‌ରେ ୪ ଜଣ ବ୍ଲାକ୍‌ ଫଙ୍ଗସ୍‌ ଆକ୍ରାନ୍ତ ଓ ସେତିକି ସଂଖ୍ୟାରେ ସନ୍ଦିଗ୍ଧ ରୋଗୀ ଚିକିତ୍ସିତ ହେଉଛନ୍ତି। ଭିମସାର୍‌କୁ ବର୍ତ୍ତମାନ ସୁଦ୍ଧା ୩୦ ଭାଏଲ୍ ଆମ୍ଫୋଟାରିସିନ୍-ବି ଇଂଜେକ୍‌ସନ ଆସିଥିବା ବେଳେ ଅଧିକ ପଠାଇବା ପାଇଁ ଭିମସାର୍‌ କର୍ତ୍ତୃପକ୍ଷ ଓଡ଼ିଶା ଔଷଧ ନିଗମକୁ ରିକ୍ୟୁଜିସନ୍ ଦେଇଛନ୍ତି।

ସମ୍ବନ୍ଧିତ ଖବର