ବାରିପଦା: ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପରେ ବ୍ୟାଘ୍ର ସଂଖ୍ୟା ବୃଦ୍ଧି କରିଛି ଆଉ ଏକ ବାଘୁଣୀ ‘ଜୀନତ୍‌’। ଆଜି ସକାଳ ୯ଟାରେ ତାକୁ ଶିମିଳିପାଳ କୋର୍‌ ଅଞ୍ଚଳରେ ଥିବା ଏନ୍‌କ୍ଲୋଜରରେ ଛଡ଼ାଯିବା ପରେ ସେ ଖୁଆଡ଼ରୁ ବାହାରି ଦୌଡ଼ି ବୁଲିଥିଲା। ମହାରାଷ୍ଟ୍ର ରାଜ୍ୟର ତଡ଼ୋବା ଅନ୍ଧାରୀ ବ୍ୟାଘ୍ର ପ୍ରକଳ୍ପରୁ ୨ଟି ମାଈ ବାଘ ଶିମିଳିପାଳକୁ ଆଣିବା ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣକୁ ପ୍ରସ୍ତାବ ଦିଆଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ବାଘୁଣୀ ‘ଯମୁନା’କୁ ଅଣାଯାଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ଗତକାଲି ବାଘୁଣୀ ‘ଜୀନତ୍‌’ ଏଠାରେ ପହଞ୍ଚିଛି। ୧୩ ତାରିଖ ଅପରାହ୍ନ ୪ଟା ବେଳେ ‘ଜୀନତ୍‌’ ପହଞ୍ଚିବା ପରେ ତାକୁ ଯଶିପୁର ପଟୁ ଶିମିଳିପାଳ ଭିତରକୁ ନିଆଯାଇଥିଲା।

ନଜର ରଖିବେ ମହାରାଷ୍ଟ୍ରର ସ୍ବତନ୍ତ୍ର ଦଳ 
ପ୍ରଥମେ ଆସିଥିଲା ଯମୁନା, ଏବେ ଜୀନତ୍‌

Advertisment

ଆଜି ସକାଳେ ତା’ର ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ଶିମିଳିପାଳ କୋର୍‌ ଅଞ୍ଚଳ ମଧ୍ୟରେ ପ୍ରସ୍ତୁତ ଏକ ସ୍ବତନ୍ତ୍ର ଏନ୍‌କ୍ଲୋଜରରେ ନିରୀକ୍ଷଣ ପାଇଁ ରଖାଯାଇଛି। କିଛିଦିନ ନିରୀକ୍ଷଣରେ ରହିବା ପରେ ‘ଜୀନତ୍‌’କୁ ଶିମିଳିପାଳ ଜଙ୍ଗଲରେ ଛଡ଼ାଯିବ। ୩ ବର୍ଷର ଏହି ବାଘୁଣୀକୁ ଛଡ଼ାଯିବା ପରେ ମହାରାଷ୍ଟ୍ରରୁ ସ୍ବତନ୍ତ୍ର ଭାବରେ ତାଲିମପ୍ରାପ୍ତ ଗୋଟିଏ ଦଳ ଆସି ଏହାର ଗତିବିଧି ନିରୀକ୍ଷଣ କରିବେ। ସୂଚନାଯୋଗ୍ୟ, ଗତମାସ ୨୮ ତାରିଖରେ ବାଘୁଣୀ ‘ଯମୁନା’କୁ କୋର୍‌ ଅଞ୍ଚଳକୁ ଛଡ଼ା ଯାଇଥିଲା। ଜନବସତି ମଧ୍ୟକୁ କାଳେ ସେ ପ୍ର‌ବେଶ କରିବ, ସେଥିପାଇଁ ତା’ ଉପରେ ସାଟେଲାଇଟ୍‌ ‘କଲର୍‌’ ମାଧ୍ୟମରେ ତୀକ୍ଷ୍‌ଣ ନଜର ରଖାଯାଇଛି।