ରଣହୁଙ୍କାର ଦେଲା ‘ଓଡ଼ିଶା ବିକାଶ ଅଭିଯାନ’: ଏକାଠି ହେଲେ ୧୦ ରାଜନୈତିକ ଦଳ

ଓଡ଼ିଶା ବିକାଶ ଅଭିଯାନର ପ୍ରଥମ ସମ୍ମିଳନୀ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ଶାସନ ବିରୋଧରେ ରାଜ୍ୟର ୧୦ ରାଜନୈତିକ ଦଳ ଏକାଠି ହୋଇଛନ୍ତି। ଏହି ୧୦ ରାଜନୈତିକ ଦଳ ‘ଓଡ଼ିଶା ବିକାଶ ଅଭିଯାନ’ ନାମରେ ଏକ ବିକଳ୍ପ ଶକ୍ତି ଗଠନ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଛନ୍ତି। ସିପିଆଇ(ଏମ୍‌), ସିପିଆଇ, ସମତା କ୍ରାନ୍ତି ଦଳ, ସିପିଆଇ(ଏମ୍‌ଏଲ୍‌), ସମୃଦ୍ଧ ଓଡ଼ିଶା, ସମାଜବାଦୀ ଦଳ, ଫର୍‌ଓ୍ବାର୍ଡ ବ୍ଲକ୍‌, ରାଷ୍ଟ୍ରୀୟ ଜନତା ଦଳ, ଆର୍‌ପିଆଇ, ଏନ୍‌ସିପି ଭଳି ରାଜନୈତିକ ଦଳ ପ୍ରମୁଖ ଏହି ଅଭିଯାନ‌ରେ ଯୋଗ ଦେଇଛନ୍ତି। ଏନେଇ ଆଜି ଲୋହିଆ ଏକାଡେମୀଠାରେ ମିଳିତ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚାଷୀ ଓ ଚାଷର ସୁରକ୍ଷା, ଶିଳ୍ପର ବିକାଶ, ଖଣିଜ ଦ୍ରବ୍ୟର ସଦ୍‌ବ୍ୟବହାର, ଶ୍ରମିକଙ୍କ ସ୍ବାର୍ଥ ରକ୍ଷା, ଆଦିବାସୀ ଓ ଦଳିତ ବିକାଶ, ଉତ୍କଟ ବେକାରୀ ସମସ୍ୟାର ସମାଧାନ, ନିଯୁକ୍ତି ସୁଯୋଗ ସୃଷ୍ଟି, ଶିକ୍ଷା ଓ ସ୍ବାସ୍ଥ୍ୟ ସୁରକ୍ଷା, ଗ୍ରାମାଞ୍ଚଳ ଓ ସହରାଞ୍ଚଳ ସମସ୍ୟା ଓ ଏହାର ସମାଧାନ, ବିଦ୍ୟୁତ୍‌ ଓ ପାନୀୟ ଜଳ ଯୋଗାଣ, ଗଣବଣ୍ଟନ, ସାମାଜିକ ନିରାପତ୍ତା, ନଦୀନାଳ ଓ ପରିବେଶ ସୁରକ୍ଷା ସଂପର୍କରେ ଅଭିଯାନର ଆଭିମୁଖ୍ୟକୁ ବିସ୍ତୃତ ଭାବେ ଆଲୋଚନା କରାଯାଇଛି।

‘ଓଡ଼ିଶା ବିକାଶ ଅଭିଯାନ’ର ଘୋଷଣାପତ୍ରରେ ଦର୍ଶାଯାଇଛି ଯେ ବିଜେପି ସରକାର କେନ୍ଦ୍ରରେ କ୍ଷମତାସୀନ ହେବା ପରଠାରୁ ଭାରତର ଧର୍ମନିରପେକ୍ଷ ସାମ୍ବିଧାନିକ ବ୍ୟବସ୍ଥା, ସଂଘୀୟ ବ୍ୟବସ୍ଥା, ଆତ୍ମନିର୍ଭରଶୀଳ ଅର୍ଥନୀତି ଓ ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ଆକ୍ରମଣ ହୋଇଆସୁଛି। ସିଏଏ ଆଇନ ପ୍ରଚଳନ, ସଂଖ୍ୟାଲଘୁ ଓ ବିରୋଧୀଙ୍କ ଘର ଉପରେ ବୁଲ୍‌ଡୋଜର୍‌ ଚଳାଇବା, ୟୁଏପିଏ ଭଳି କଳା ଆଇନର ଦୁରୂପଯୋଗ, ଦେଶଦ୍ରୋହ ଆଇନର ମନଇଛା ପ୍ରୟୋଗ, ସିବିଆଇ ଓ ଇଡି ଭଳି କେନ୍ଦ୍ରୀୟ ସଂସ୍ଥାକୁ ବିରୋଧୀ ଦଳଙ୍କ ବିରୋଧରେ କେନ୍ଦ୍ର ସରକାର ପ୍ରୟୋଗ କରିଛନ୍ତି। ରାଷ୍ଟ୍ରୀୟ ସଂପତ୍ତିକୁ କର୍ପୋରେଟ୍‌ ସଂସ୍ଥା ହାତକୁ ଟେକି ଦେଉଥିବା ବେଳେ ଅଗ୍ନିପଥ ନାମରେ ଦେଶର ସାମରିକ ବାହିନୀରେ ମଧ୍ୟ ଅସ୍ଥାୟୀ ଠିକା ସୈନ୍ୟ ନିଯୁକ୍ତି ପ୍ରଥା ଆରମ୍ଭ କରିଛନ୍ତି। ଏହା ବେକାର ଯୁବକଯୁବତୀଙ୍କ ପ୍ରତି ଉପହାସ। ଏଥିରେ ମଧ୍ୟ ବିଜେଡି ସରକାର କେନ୍ଦ୍ର ସରକାରଙ୍କୁ ଦୃଢ଼ ସମର୍ଥନ କରୁଛି।

ଖଣି ନିଲାମରେ ବ୍ୟାପକ ଅନିୟମିତତା ଥିବାରୁ ଘରୋଇ କଂପାନିମାନେ ଖଣି ଖନନରୁ ଲୁଟ୍‌ କରି ପ୍ରାକୃତିକ ସଂପଦକୁ ଧ୍ବଂସ କରୁଛନ୍ତି। କୃଷି ବ୍ୟବସ୍ଥା ଶୋଚନୀୟ ହେଉଥିବା ବେଳେ ଜଳସେଚନର ବିସ୍ତାର ହେଉନାହିଁ। ତାଳଚେର ସାର କାରଖାନାରୁ ଆରମ୍ଭ କରି ସବୁ ବୟନଶିଳ୍ପ ବନ୍ଦ ହୋଇପଡ଼ିଛି। କରୋନା ଆଳରେ ୬ହଜାରୁ ଅଧିକ କାରଖାନାକୁ ବନ୍ଦ କରିଦିଆଯାଇଛି। ବିଜେଡିର ୨୨ବର୍ଷ ଶାସନରେ ରାଜ୍ୟର କୌଣସି ମୌଳିକ ସମସ୍ୟାର ନିରାକରଣ ହୋଇନାହିଁ। ତେଣୁ ଏହା ବିରୋଧରେ କୃଷକ, ଶ୍ରମିକ, ଯୁବକ, ଛାତ୍ରମାନେ ମିଳିତ ଭାବେ ବଡ଼ ଜନଆନ୍ଦୋଳନ କରିବାର ଆବଶ୍ୟକତା ରହିଛି ବୋଲି ସମ୍ମିଳନୀରେ ମତ ପ୍ରକାଶ ପାଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମ୍ମିଳନୀରେ ସିପିଆଇ(ଏମ୍‌) ସଂପାଦକ ଅଳି କିଶୋର ପଟ୍ଟନାୟକ, ସିପିଆଇ ସଂପାଦକ ଆଶିଷ କାନୁନ୍‌ଗୋ, ସମୃଦ୍ଧ ଓଡ଼ିଶା ସଭାପତି ଯତୀଶ ମହାନ୍ତି, ସିପିଆଇ(ଏମ୍‌ଏଲ୍‌) ସଂପାଦକ ଯୁଧିଷ୍ଠିର ମହାପାତ୍ର, ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ସମାଜବାଦୀ ଦଳର ସୁଦର୍ଶନ ପ୍ରଧାନ, ସମତାକ୍ରାନ୍ତି ଦଳ ସଂପାଦକ ପ୍ରଭାସ ସାମନ୍ତରାୟ, ଯୁବ ସମତା ସଭାପତି ସାରଦା ପ୍ରସନ୍ନ ସ୍ବାଇଁ, ଆର୍‌ଜେଡିର ହେମନ୍ତ କୁମାର, ଆଇପିଆଇ ସଭାପତି ଅବଦୁଲ୍ଲ ଅଲ୍ଲୀ, ଫର୍‌ଓ୍ବାର ବ୍ଲକ ସଭାପତି ଜ୍ୟୋତି ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର