ଆଜି ଏମ୍‌ସର ପ୍ରଥମ ସମାବର୍ତ୍ତନ ଉତ୍ସବ : ୨୦୧୯ରେ ପୂର୍ଣ୍ଣାଙ୍ଗ ରୂପ ନେବ ଭୁବନେଶ୍ୱର ଏମ୍‌ସ

ଡ.ଅନଘାଙ୍କୁ ଏଗାର ସ୍ୱର୍ଣ୍ଣପଦକ

ଭୁବନେଶ୍ୱର : ଆଗାମୀ ୨/୩ ମାସ ମଧ୍ୟରେ ୯୭୨ ଶଯ୍ୟା ପ୍ରତିଷ୍ଠା ହୋଇଯିବ। ୨୫ଟି ମଡ୍ୟୁଲାର୍‌ ଅପରେସନ୍‌ ଥିଏଟର୍‌ ଓ ୧୧୨ ଆଇସିୟୁ ଶଯ୍ୟା ପାଇଁ ପଦକ୍ଷେପ ନିଆଯାଉଛି। ୩୬ଟି ବିଭାଗରେ ପିଜି କୋର୍ସ ଖୋଲାଯିବାକୁ ସ୍ଥିର ହୋଇଛି। ଖୁବ୍‌ ଶୀଘ୍ର ପିଜି କୋର୍ସ ଏବଂ ସୁପରସ୍ପେସାଲିଟି କୋର୍ସ(ଡିଏମ୍‌/ଏମ୍‌ସି)ରେ ସିଟ୍‌ ସଂଖ୍ୟା ବୃଦ୍ଧି କରାଯିବ। ଶନିବାର ଅନୁଷ୍ଠିତ ହେବାକୁ ଯାଉଥିବା ଭୁବନେଶ୍ୱର ଏମ୍‌ସ ପାଇଁ ବହୁ ପ୍ରତୀକ୍ଷିତ ପ୍ରଥମ ସମାବର୍ତ୍ତନ ଉତ୍ସବର ଅବ୍ୟବହିତ ପୂର୍ବରୁ ନିର୍ଦେଶିକା ଡ. ଗୀତାଞ୍ଜଳି ବାଟ୍‌ମାନବାନେ ଏଭଳି ସୂଚନା ଦେଇଛନ୍ତି।

କେବଳ ସେତିକି ନୁହେଁ, ରେଡିଓଲୋଜି ବିଭାଗରେ ୩.୫ ଟେଲ୍‌ସା ଏମ୍‌ଆର୍‌ଆଇ ମେସିନ୍‌ ମଧ୍ୟ ଖୁବ୍‌ ଶୀଘ୍ର ପ୍ରତିଷ୍ଠା କରାଯିବ। ଚଳିତ ବର୍ଷ ଶେଷ ସୁଦ୍ଧା ୮୦୦ ନର୍ସ ଓ ୧୦୦ରୁ ଅଧିକ ରେସିଡେଣ୍ଟ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବାକୁ ପଦକ୍ଷେପ ନିଆଯାଉଛି। ଆସନ୍ତା ମାସ ସୁଦ୍ଧା ନେଫ୍ରୋଲୋଜି ବିଭାଗରେ ପ୍ରଫେସର ଯୋଗ ଦେଉଥିବାବେଳେ ଖୁବ୍‌ ଶୀଘ୍ର ଗ୍ୟାସ୍‌ଟ୍ରୋଏଣ୍ଟଲୋଜି ବିଭାଗରେ ଡାକ୍ତର ନିଯୁକ୍ତି ଦିଆଯିବ। ଏଥିସହିତ ୨୦୧୯ ସୁଦ୍ଧା ଭୁବନେଶ୍ୱର ଏମ୍‌ସ ପୂର୍ଣାଙ୍ଗ ରୂପ ନେବ ବୋଲି ଆଜି କର୍ତ୍ତୃପକ୍ଷ ସୂଚାଇଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ଏମ୍‌ସ ନିର୍ଦେଶିକା ଡ. ବାଟ୍‌ମାନବାନେ କହିଥିଲେ, ଉପରାଷ୍ଟ୍ରପତି ଏମ୍‌ ଭେଙ୍କିୟାନାଇଡ଼ୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କୃତିତ୍ୱର ସହ ଉତ୍ତୀର୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରିବେ। ବର୍ତମାନ ଦିଲ୍ଲୀ ଏମ୍‌ସରେ ପିଜି କରୁଥିବା ଏହି ଏମ୍‌ସର ଏମ୍‌ବିବିଏସ୍‌ ଛାତ୍ରୀ ଡ. ଅନଘା ମେନନ୍‌ ସର୍ବାଧିକ ୧୧ଟି ସ୍ୱର୍ଣ୍ଣପଦକ ପାଇବେ। ସେହିଭଳି ଓଡ଼ିଆ ଡାକ୍ତର ଅଙ୍କିତ ସାହୁ ଓ ସ୍ୱୟଂଜିତ୍‌ ଶତପଥୀ ମୁଖ୍ୟ ଅତିଥିଙ୍କ ହାତରୁ ଯଥାକ୍ରମେ ୨ଟି ଓ ୪ଟି ସ୍ୱର୍ଣ୍ଣପଦକ ପାଇବାର ସୌଭାଗ୍ୟ ଲାଭ କରିବେ। ବିଏସ୍‌ସି ନର୍ସିଂ ଛାତ୍ରୀ ଆୟୂଷୀ ଜେନା, ଶିବାନୀ ଓ ସିମରତ୍‌ କୌର୍‌ଙ୍କୁ ମୁଖ୍ୟଅତିଥି ସ୍ୱର୍ଣ୍ଣପଦକ ଦେବେ। ମୁଖ୍ୟଅତିଥିଙ୍କ ପରେ ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଏମ୍‌ସ କୁଳପତି ଜେପି ନଡ୍ଡା ଅନ୍ୟ ଛାତ୍ରଛାତ୍ରୀମାନଙ୍କୁ ଡିଗ୍ରି ପ୍ରମାଣପତ୍ର ପ୍ରଦାନ କରିବେ। ଏହିଭଳି ପ୍ରଥମ ବ୍ୟାଚ୍‌ର ୫୦ ଜଣ ଏମ୍‌ବିବିଏସ୍‌ ଓ ୫୬ ଜଣ ବିଏସ୍‌ସି ନର୍ସିଂ ଛାତ୍ରଛାତ୍ରୀମାନଙ୍କୁ ସ୍ୱର୍ଣ୍ଣ ପଦକ ଓ ଡିଗ୍ରି ପ୍ରମାଣପତ୍ର ପ୍ରଦାନ କରାଯିବ।

ଏମ୍‌ସ ଛାତ୍ରଛାତ୍ରୀମାନଙ୍କ କୃତିତ୍ୱ ଉପରେ ସୂଚନା ଦେଇ ସେ କହିଲେ ଯେ ଏଠାରୁ ପାସ୍‌ ଆଉଟ୍‌ ହୋଇଥିବା ଏମ୍‌ବିବିଏସ୍‌ ଛାତ୍ରମାନେ ଦିଲ୍ଲୀ ଏମ୍‌ସ, ଚଣ୍ଡୀଗଡ଼ ପିଜିମର୍‌ ଓ ପୁଡୁଚେରୀ ଜିପମର୍‌ ଭଳି ବିଶ୍ୱସ୍ତରୀୟ ମେଡିକାଲ କଲେଜରେ ପିଜି କରୁଛନ୍ତି। ଏହା ଭୁବନେଶ୍ୱର ଏମ୍‌ସ ପାଇଁ ବଡ଼ ଗୌରବର କଥା।

ଉପରାଷ୍ଟ୍ରପତି ଏମ୍‌ ଭେଙ୍କିୟାନାଇଡ଼ୁ ଏହି ଉତ୍ସବ ଅବସରରେ ଏମ୍‌ସ ପରିସରରେ ୩ଟି ବଡ଼ ପ୍ରକଳ୍ପର ଶିଳାନ୍ୟାସ କରିବେ। ପ୍ରାୟ ୨୫ କୋଟି ଟଙ୍କା ବ୍ୟୟରେ ନାଲ୍‌କୋ ଦ୍ୱାରା ହେବାକୁ ଯାଉଥିବା ୫୬୦ ଶଯ୍ୟା ବିଶିଷ୍ଟ ଧର୍ମଶାଳା ଓ ୧୬ କୋଟି ଟଙ୍କା ବିନିମୟରେ ଏନ୍‌ଟିପିସି ପ୍ରଦତ୍ତ ବର୍ଣ୍ଣ ୟୁନିଟ୍‌ର ଶିଳାନ୍ୟାସ କରାଯିବ। ସେହିଭଳି ପେଟ୍ରୋନେଟ୍‌ ଏଲଏନ୍‌ଜି ଦ୍ୱାରା ଏଠାରେ ୧୦ କୋଟି ଟଙ୍କା ବିନିମୟରେ ହେବାକୁ ଥିବା ୫୦/୬୦ ଶଯ୍ୟାର ଲେଭେଲ୍‌ ଓ୍ଵାନ୍‌ ଟ୍ରମା ସେଣ୍ଟର୍‌ର ମଧ୍ୟ ଶିଳାନ୍ୟାସ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ଉତ୍ସବ ଶେଷରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନଡ୍ଡା ଓ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାଲେଶ୍ୱର ରେମୁଣା ଗସ୍ତ କରି ନିକଟରେ ୩ ଶହ ଶଯ୍ୟା ବିଶିଷ୍ଟ ଏମ୍‌ସ ସାଟେଲାଇଟ୍‌ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ପ୍ରଥମ ପର୍ଯ୍ୟାୟରେ ୩୫ କୋଟି ଟଙ୍କା ବିନିମୟରେ ଏଠାରେ ଷ୍ଟାଫ୍‌ କ୍ୱାର୍ଟର୍ସ ଓ ଓପିଡି ବିଲ୍ଡିଂ ନିର୍ମାଣ କରାଯିବ। ଏହି ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତିଥିଭାବେ ଉପସ୍ଥିତ ରହିବେ।

ସମ୍ବନ୍ଧିତ ଖବର