ଡାକ୍ତରଙ୍କୁ ଉପରାଷ୍ଟ୍ରପତିଙ୍କ ପରାମର୍ଶ : ସେବା ମନୋବୃତ୍ତି ନେଇ କାମ କରନ୍ତୁ

ଏମ୍‌ସ, ଭୁବନେଶ୍ୱରର ପ୍ରଥମ ସମାବର୍ତ୍ତନ ଉତ୍ସବ

ଭୁବନେଶ୍ୱର : ଲୋକମାନେ ଡାକ୍ତରଙ୍କୁ ଭଗବାନ ସଦୃଶ ଦେଖନ୍ତି। ତେଣୁ ସେମାନଙ୍କ ଆଶାକୁ ନଜରରେ ରଖି ଡାକ୍ତରମାନେ ଚିକିତ୍ସା କରିବା ଦରକାର। ରୋଗୀଙ୍କ ପ୍ରତି ଡାକ୍ତରଙ୍କର ସହାନୁଭୂତି, ଦୟା, ନିଃସ୍ୱାର୍ଥପର ମନୋଭାବ ରହିବା ଦରକାର। ଡାକ୍ତରମାନେ କମିସନ ପାଇଁ ନୁହେଁ, ସେବା କରିବାର ମିସନ ନେଇ କାମ କରନ୍ତୁ ବୋଲି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡ଼ୁ ପରାମର୍ଶ ଦେଇଛନ୍ତି।

ଆଜି ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍‌ସ), ଭୁବନେଶ୍ୱରର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡ଼ୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଦୀକ୍ଷାନ୍ତ ଭାଷଣ ଦେବା ଅବସରରେ କହିଲେ ଯେ, ସରକାର ହସ୍ପିଟାଲଗୁଡ଼ିକୁ ଭିତ୍ତିଭୂମି ଯୋଗାଇଦେବେ। କିନ୍ତୁ ବିଶ୍ୱସ୍ତରୀୟ ଚିକିତ୍ସା ଯୋଗାଇବା ଡାକ୍ତରମାନଙ୍କ କାର୍ଯ୍ୟ। ସହରାଞ୍ଚଳ ସହ ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟ ସେବାକୁ ବି ଗୁରୁତ୍ୱ ଦିଆଯିବା ଦରକାର। ଦେଶର ଗ୍ରାମାଞ୍ଚଳରେ ଗୁଣାତ୍ମକ ଚିକିତ୍ସା ବ୍ୟବସ୍ଥା ସହ ଅଧିକ ହସ୍ପିଟାଲ ଓ ଡାକ୍ତର ଦରକାର। ଏଥିପାଇଁ ଯୁବ ଡାକ୍ତରମାନଙ୍କୁ ଗ୍ରାମାଞ୍ଚଳରେ କାର୍ଯ୍ୟ କରିବା ଆବଶ୍ୟକ। ପ୍ରତ୍ୟେକ ଡାକ୍ତରଙ୍କର ପ୍ରଥମ ପଦୋନ୍ନତି ପାଇଁ ସେ ଗ୍ରାମାଞ୍ଚଳରେ ତିନି ବର୍ଷ କାର୍ଯ୍ୟ କରିଥିବା ବାଧ୍ୟତାମୂଳକ କରାଯାଉ। ରାଜ୍ୟ ଓ କେନ୍ଦ୍ର ସରକାର ଏନେଇ ଗାଇଡଲାଇନ୍‌ ଆଣନ୍ତୁ। ଏହାସହ ପ୍ରତ୍ୟେକ ଜିଲ୍ଲାରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଥିବା ଡାକ୍ତରଖାନା ନିର୍ମାଣ ହେବା ଦରକାର ବୋଲି ଶ୍ରୀ ନାଇଡ଼ୁ କହିଥିଲେ।

ଡାକ୍ତରମାନେ ରୋଗୀ, ସେମାନଙ୍କ ସମ୍ପର୍କୀୟ ଏବଂ ସାଧାରଣ ଲୋକଙ୍କୁ ଏକ ସୁସ୍ଥ ଜୀବନ ବଞ୍ଚିବା ପାଇଁ ମାର୍ଗଦର୍ଶନ କରନ୍ତୁ। ଜଙ୍କ ଫୁଡ୍‌ ନଖାଇ କିପରି ସ୍ୱେଦେଶୀ ଖାଦ୍ୟ ଖାଇବେ ସେନେଇ ପରାମର୍ଶ ଦିଅନ୍ତୁ। ଜଙ୍କ୍‌ ଫୁଡ୍‌ ଖାଇବା ଦ୍ୱାରା କ୍ୟାନସର ଭଳି ରୋଗ ହେଉଛି ତେଣୁ ଏହାଠାରୁ ଦୂରେଇ ରହିବାକୁ କୁହନ୍ତୁ। ଡାକ୍ତରମାନେ ରୋଗୀଙ୍କ ସହ ସ୍ଥାନୀୟ ଭାଷାରେ କଥା ହେବା ସହ ସେମାନଙ୍କ ପ୍ରତି ଯତ୍ନବାନ ଅଛନ୍ତି ବୋଲି ହୃଦବୋଧ କରାନ୍ତୁ। ଏହାଦ୍ୱାରା ରୋଗ ଚିହ୍ନିବା ଏବଂ ଏହାର ଚିକିତ୍ସା କରିବା ସହଜ ହେବ ବୋଲି ଉପରାଷ୍ଟ୍ରପତି ଡାକ୍ତରମାନଙ୍କୁ ପରାମର୍ଶ ଦେଇଥିଲେ।

ଉପରାଷ୍ଟ୍ରପତି ଆହୁରି କହିଥିଲେ ଯେ, ସ୍ୱାସ୍ଥ୍ୟ ହିଁ ସମ୍ପଦ। କିନ୍ତୁ ସମ୍ପଦ ଅଧିକ ଥାଇ ଯଦି ସ୍ୱାସ୍ଥ୍ୟ ଭଲ ନଥିବ ତେବେ କିଛି ଲାଭ ନାହିଁ। ପ୍ରତ୍ୟେକ ନିଜ ମନ, ଶରୀର ଓ ଧନରେ ସ୍ୱଚ୍ଛ ରହିଲେ ସୁସ୍ଥ ରହିପାରିବେ। ଏମ୍‌ସରେ ଅଧ୍ୟୟନରତ ଡାକ୍ତରୀ ଛାତ୍ରମାନଙ୍କୁ ପରାମର୍ଶ ଦେଇ କହିଲେ କେବେବି ଗୁରୁଙ୍କୁ ଅଣଦେଖା କରିବନି। ଗୁଗୁଲ୍‌ରୁ ଅଧିକ ତଥ୍ୟ ମିଳିପାରେ କିନ୍ତୁ ଗୁଗୁଲ୍‌ ଗୁରୁଙ୍କ ସ୍ଥାନ ନେଇପାରିବନି।

ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଉଦ୍‌ବୋଧନ ଦେଇ କହିଲେ, ଯଦି ଆମେ ଜୀବନକୁ ନବୁଝିବା ତେବେ ମଣିଷକୁ କ’ଣ ରୋଗ ହୋଇଛି ତାହା ଜାଣିପାରିବାନି। ଡାକ୍ତର ଓ ରୋଗୀ ମଧ୍ୟରେ କୌଣସି ଦୂରତା ଓ ପ୍ରତିବନ୍ଧକ ନରହିବା ଦରକାର। ତେବେ ଯାଇ ଗୁଣାତ୍ମକ ଚିକିତ୍ସା ଯୋଗାଇ ହେବ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ଏମ୍‌ସ ଭୁବନେଶ୍ୱରର ସଭାପତି ଜେ.ପି ନଡ୍ଡା ଡାକ୍ତରମାନଙ୍କୁ ପରାମର୍ଶ ଦେଇ କହିଥିଲେ ଯେ ରୋଗୀକୁ କେବଳ ଦେଖନି, ରୋଗ ଭିତରେ ପଶିବାକୁ ଚେଷ୍ଟା କର। ଗରିବ ଓ ସମାଜର ନିମ୍ନ ବର୍ଗରୁ ଆସିଥିବା ରୋଗୀ ଯେପରି ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ହେବ। ସେ କହିଥିଲେ ଯେ, ଦେଶରେ ଏକସଙ୍ଗେ ୬ଟି ଏମ୍‌ସ ପ୍ରତିଷ୍ଠା ହୋଇଥିବା ବେଳେ ଏମ୍‌ସ, ଭୁବନେଶ୍ୱର ଏବେ ସମସ୍ତଙ୍କ ଠାରୁ ଆଗେଇ ଯାଇଛି। ଏଠାରେ ସବୁଠୁ ଅଧିକ ରୋଗୀ ଚିକିତ୍ସିତ ହେବା ସହ ଅଧିକ ଡାକ୍ତର ନିଯୁକ୍ତି ପାଇଛନ୍ତି। ଏହା ବି ପ୍ରଥମ ସମାବର୍ତ୍ତନ ଉତ୍ସବ ସମସ୍ତଙ୍କ ଠାରୁ ଆଗୁଆ ପାଳନ କରିଛି। ଆସନ୍ତା ଦୁଇରୁ ତିନି ମାସ ଭିତରେ ଏହାର ସମସ୍ତ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଶେଷ ହେବ । ଏଠାକୁ ୨୦୧୭-୧୮ରେ ୫,୫୪,୯୭୫ଜଣ ରୋଗୀ ଆସିଥିଲେ ଯାହା ପୂର୍ବ ବର୍ଷଠାରୁ ୩୦% ଅଧିକ। ୨୦୧୭-୧୮ରେ ଆଇପିଡି ରୋଗୀଙ୍କ ସଂଖ୍ୟା ୧୮,୦୨୪ ଥିଲା। ଯାହା ଗତବର୍ଷ ଠାରୁ ୧୮% ଅଧିକ। ଏଥିରୁ ଜାଣିହେଉଛି ଏମ୍‌ସ ଭୁବନେଶ୍ୱର ଲୋକଙ୍କ ଦ୍ୱାରା କେତେ ଆଦୃତ ହୋଇଛି। ଏଠାରେ ଚଳିତବର୍ଷ ଠାରୁ ୯୭୮ଟି ଅନୁମୋଦିତ ଶଯ୍ୟା ଏବଂ ୧୧୨ଟି ଶଯ୍ୟା ବିଶିଷ୍ଟ ଆଇସିୟୁ କାର୍ଯ୍ୟକ୍ଷମ ହେବ। କେବଳ ନୂଆଦିଲ୍ଲୀରେ ଏମ୍‌ସ ନୁହେଁ ସାରା ଦେଶରେ ଏମ୍‌ସ ପ୍ରତିଷ୍ଠା କରିବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ନିଷ୍ପତ୍ତି ନେଇଥିଲେ। ଏହାପରେ ୬ଟି ସ୍ଥାନରେ ଏମ୍‌ସ ପ୍ରତିଷ୍ଠା ହୋଇଥିଲା। ଏବେ ଦେଶରେ ୨୨ଟି ଏମ୍‌ସ ହସ୍ପିଟାଲ ନିର୍ମଣାଧୀନ ଅଛି ବୋଲି ଶ୍ରୀ ନଡ୍ଡା କହିଥିଲେ।

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ, ଚିକିତ୍ସା ସେବା କ୍ଷେତ୍ରରେ ଭୁବନେଶ୍ୱର ଏମ୍‌ସ ରାଜ୍ୟର ମୂଳକେନ୍ଦ୍ର ହେବ। ଦିଲ୍ଲୀ ଏମ୍‌ସରେ ଜଗାବଳିଆଙ୍କ ଅସ୍ତ୍ରୋପଚାର ହୋଇଥିବା ବେଳେ ଏହିଭଳି ବହୁ ଜଟିଳ ଅସ୍ତ୍ରୋପଚାର ଏମ୍‌ସ ଭୁବନେଶ୍ୱରରେ ହେବ। ଓଡ଼ିଶାର ଲୋକଙ୍କୁ ଆଉ ଦିଲ୍ଲୀ ଯିବାକୁ ପଡ଼ିବନି। ଶ୍ରୀ ପ୍ରଧାନ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଓଡ଼ିଶାର ସାଧାରଣ ଲୋକଙ୍କର ସ୍ୱାସ୍ଥ୍ୟବସ୍ଥାରେ ଢାଞ୍ଚାଗତ ସୁବିଧା ବଢ଼ୁ ସେଥିପାଇଁ ରାଜ୍ୟ ସରକାରଙ୍କୁ ଗତ ୩-୪ବର୍ଷରେ ତିନିରୁ ଚାରି ହଜାର କୋଟି ଟଙ୍କା ଦେଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ସହଯୋଗର ହାତ ବଢ଼ାଇଛନ୍ତି। ସେ ସହଯୋଗ ପ୍ରତିଶ୍ରୁତିରେ ନରହୁ। ସବୁକ୍ଷେତ୍ରରେ ହେଉ। କିପରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଲାଭକାରୀ ସଂସ୍ଥା ସେମାନଙ୍କ ସିଏସ୍‌ଆର୍‌ ପାଣ୍ଠି ଏଠାରେ ବିନିଯୋଗ କରିବେ ସେଥିପାଇଁ ପଦକ୍ଷେପ ନିଆଯିବ । ପେଟ୍ରୋନେଟ୍‌ ଏଲ୍‌ଏନ୍‌ଜି ଫାଉଣ୍ଡେସନ, ନାଲ୍‌କୋ, ଏନ୍‌ଟିପିସି ସହଯୋଗରେ ଟ୍ରମା କେୟାର ସେଣ୍ଟର ପ୍ରତିଷ୍ଠା କରାଯିବ ବୋଲି ଶ୍ରୀ ପ୍ରଧାନ କହିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏମ୍‌ସ ଭୁବନେଶ୍ୱରର ଶିଳାନ୍ୟାସ କରିଥିବାରୁ ତାଙ୍କର ଏକ ପ୍ରତିମୂର୍ତ୍ତି କ୍ୟାମ୍ପସରେ ସ୍ଥାପନ କରିବାକୁ ସେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଏହାପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତିମୂର୍ତ୍ତି ସ୍ଥାପନ ନେଇ ଘୋଷଣା କରିଥିଲେ।

ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଲେ ଯେ, ଏମ୍‌ସ ଭୁବନେଶ୍ୱର ରାଜ୍ୟବାସୀଙ୍କୁ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ତେଣୁ ରାଜ୍ୟ ସରକାର ସମସ୍ତ ପ୍ରକାରର ସହଯୋଗ କରିଆସିଛନ୍ତି। ଆଗାମୀ ଦିନରେ ଏହି ଧାରା ଜାରି ରହିବ। ସାଂସଦ ପ୍ରସନ୍ନ ପାଟ୍ଟସାଣି ଏବଂ ଅନୁଷ୍ଠାନର ଡିନ୍‌ ପ୍ରଫେସର ବିକାଶ ଭାଟିଆ ମଞ୍ଚରେ ଉପସ୍ଥିତ ଥିଲେ।
ଏମ୍‌ସ ଭୁବନେଶ୍ୱରର ନିର୍ଦ୍ଦେଶକ ଗୀତାଞ୍ଜଳି ବାତମାନବାନେ ସ୍ୱାଗତ ଭାଷଣ ଦେଇଥିଲେ। କୁଳସଚିବ ବିଧୁଭୂଷଣ ମିଶ୍ର ଧନ୍ୟବାଦ ଦେଇଥିଲେ।

ଏହି ଅବସରରେ ଅତିଥିମାନେ ଅଗ୍ନିଘାତ ଚିକିତ୍ସା ୟୁନିଟ, ଚର୍ମ ବ୍ୟାଙ୍କ, ୫୬୦ ଶଯ୍ୟା ବିଶିଷ୍ଟ ରୋଗୀ ଓ ସମ୍ପର୍କୀୟ ରହିବା ପାଇଁ ରାତ୍ରୀ ବିଶ୍ରାମାଗାରର ଶିଳାନ୍ୟାସ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ୨୩ଟି ସ୍ୱର୍ଣ୍ଣ ପଦକ ପ୍ରଦାନ କରିଥିଲେ। ଏମ୍‌ବିବିଏସ୍‌ ପାସ୍‌ କରିଥିବା କେରଳର ଅନାଘା ମେନନ୍‌ଙ୍କୁ ସର୍ବାଧିକ ୧୧ଟି ସ୍ୱର୍ଣ୍ଣ ପଦକ ମିଳିଥିଲା।

ସମ୍ବନ୍ଧିତ ଖବର