ରଥଯାତ୍ରା ପ୍ରଥମ ସମନ୍ବୟ ବୈଠକ: ରଥ ପାଇଁ କାଠ ଅଭାବ ନେଇ ହୋ’ହଲ୍ଲା

ଶ୍ରୀଜଗନ୍ନାଥ ବନ ପ୍ରକଳ୍ପକୁ ନେଇ ଉଠିଲା ପ୍ରଶ୍ନ
ଅନ୍ୟ ବନଖଣ୍ଡରୁ ରଥକାଠ ଆସିବାକୁ ନେଇ ଅସନ୍ତୋଷ
ମିଳୁନି ୪୦ ଫୁଟିଆ ଧଉରା କାଠ
ଡିଏଫଓଙ୍କ ସହ ବୈଠକ ପାଇଁ ମୁଖ୍ୟ ସଚିବଙ୍କୁ ‌ଲେଖାଯିବ ଚିଠି

ପୁରୀ : ପ୍ରତିବର୍ଷ ରଥ ନିର୍ମାଣ ବେଳେ ରଥକାଠର ଘୋର ଅଭାବ ଦେଖାଦେଉଛି। ବର୍ଷେ କି ଦୁଇବର୍ଷ ନୁହେଁ, ୧୦ ବର୍ଷ ହେଲାଣି ଏହି ସମସ୍ୟା ଲାଗି ରହିଛି। ଚଳିତବର୍ଷ ବି ରଥକାଠ ପାଇଁ ସମସ୍ୟା ଦେଖାଦେଇଛି। ନୟାଗଡ଼ ବନଖଣ୍ଡରୁ ରଥକାଠ ଅଭାବ ହେବାରୁ ଅନ୍ୟ ଜିଲ୍ଲା ଉପରେ ନିର୍ଭର କରିବାକୁ ପଡ଼ିଛି। ଏହାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରାଯାଉ। ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ ହେଉ। ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ ଅବହେଳିତ ଅବସ୍ଥାରେ ରହିଛି, ସେ ଉପରେ ଦୃଷ୍ଟି ଦିଆଯାଉ। ସୋମବାର ଦିନ ରଥଯାତ୍ରା ପ୍ରଥମ ସମନ୍ବୟ ବୈଠକରେ ସେବାୟତ ଓ ଉପସ୍ଥିତ ବୁଦ୍ଧିଜୀବୀମାନେ ଏଭଳି ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେହିଭଳି, ମହାପ୍ରଭୁଙ୍କ ପାଇଁ କସ୍ତୁରୀର ଅଭାବକୁ ନେଇ ମଧ୍ୟ ଆଲୋଚନା କରାଯାଇଛି।

କେନ୍ଦ୍ରାଞ୍ଚଳ ରାଜସ୍ବ କମିସନର(ଆରଡିସି) ସୁରେଶ ଚନ୍ଦ୍ର ଦଳାଇଙ୍କ ଅଧ୍ୟକ୍ଷତାରେ ଏହି ସମନ୍ବୟ ବୈଠକ ବସିଥିଲା। ବୈଠକରେ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଥିଲେ ଚଳିତବର୍ଷ ତିନି ରଥ ପାଇଁ ୮୬୫ ଖଣ୍ଡ କାଠ ଆବଶ୍ୟକ ଥିବାବେଳେ ଗତ ବର୍ଷର ୮୦ ଖଣ୍ଡ କାଠ ବଳକା ରହିଥିଲା। ଏଣୁ ଚଳିତବର୍ଷ ଆବଶ୍ୟକ ୭୮୫ ଖଣ୍ଡ ଧଉରା, ଅସନ, ଫାସି, ଶିମିଳି କାଠ ନୟାଗଡ଼ ବନଖଣ୍ଡରୁ ଆସିବାର ଥିଲା। ଏଥିରୁ ୪୨୨ ଖଣ୍ଡ କଟକ ଖପୁରିଆସ୍ଥିତ ସ’ ମିଲ୍‌କୁ ଓ ବାକି ୩୬୩ ଖଣ୍ଡ କାଠ ରଥଖଳାକୁ ଆସିବାର ଥିଲା। ଇତିମଧ୍ୟରେ ଆବଶ୍ୟକ ରଥକାଠଠାରୁ ଅଧିକ ଅର୍ଥାତ୍‌ ୮୦୬ ଖଣ୍ଡ ରଥକାଠ ଆସିସାରିଛି। କିନ୍ତୁ ୪୦ ଫୁଟିଆ ଧଉରା କାଠର ଆବଶ୍ୟକତା ପୂରଣ ହୋଇପାରିନି। ଏବେ ବି ୧୦ ଖଣ୍ଡ ଧଉରା କାଠ ଆବଶ୍ୟକ ଥିବାବେଳେ ବିଭିନ୍ନ ବନଖଣ୍ଡରୁ ଏହି କାଠ ଖୋଜାଚାଲିଛି। ତଥାପି ୪/୫ ଦିନ ଭିତରେ ଏହି କାଠ ଆସିଯିବ। ଏହି ସୂଚନା ପରେ ସେବାୟତ, ବୁଦ୍ଧିଜୀବୀମାନେ ହୋ’ହଲ୍ଲା କରିଥିଲେ। କାହିଁକି ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗି ରହିଛି ବୋଲି ପ୍ରଶ୍ନ କରିଥିଲେ। ନୟାଗଡ଼ ବନଖଣ୍ଡ ଅଧିକାରୀଙ୍କଠାରୁ ଜବାବ ମାଗିଥିଲେ।

ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର କହିଥିଲେ, ଆଚାର୍ଯ୍ୟ ସଂହିତା ଅନୁଯାୟୀ ପ୍ରତିବର୍ଷ ରଥ ନିର୍ମାଣ ପାଇଁ ନୟାଗଡ଼ ବନଖଣ୍ଡରୁ ରଥ କାଠ ଆସିବା କଥା। ଅନ୍ୟ ବନଖଣ୍ଡରୁ ରଥ କାଠ ଆସିବାରୁ ପରମ୍ପରା ଭଙ୍ଗ ହେଉଛି। ସେହିଭଳି ବରିଷ୍ଠ ସେବାୟତ ରଜତ ପ୍ରତିହାରୀ କହିଥିଲେ, ୧୦ ବର୍ଷ ହେଲାଣି ରଥ କାଠର ସମସ୍ୟା ଲାଗି ରହିଛି। ଚଳିତ ବର୍ଷ ନୟାଗଡ଼ ବନଖଣ୍ଡରେ ରଥକାଠ ଅଭାବ ଦେଖାଦେବାରୁ ଆମେ ବୌଦ୍ଧ, ଖୋର୍ଦ୍ଧା, ରେଢ଼ାଖୋଲ ବନାଞ୍ଚଳରୁ ରଥକାଠ ଆଣିଛ ବୋଲି ଉତ୍ତରରେ ନୟାଗଡ଼ ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀ କହିଥିଲେ। ପରେ ରଥଯାତ୍ରା ସମନ୍ବୟ ବୈଠକରେ ଅଧ୍ୟକ୍ଷତା କରୁଥିବା କେନ୍ଦ୍ରାଞ୍ଚଳ ରାଜସ୍ବ କମିସନର(ଆରଡିସି) ସୁରେଶ ଚନ୍ଦ୍ର ଦଳାଇ କହିଥିଲେ, ଏ ସମ୍ପର୍କରେ ପୁରୀ ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଛି। ଖୁବ୍‌ଶୀଘ୍ର ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ ଓ ରଥକାଠ ଅଭାବ ଉପରେ ରାଜ୍ୟର ଡିଏଫଓମାନଙ୍କୁ ନେଇ ବୈଠକ ପାଇଁ ମୁଖ୍ୟ ସଚିବଙ୍କୁ ଚିଠି କରାଯିବ ବୋଲି ଶ୍ରୀ ଦଳାଇ କହିଛନ୍ତି।

ସମ୍ବନ୍ଧିତ ଖବର