ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲାରେ ପ୍ରଥମ କରୋନା ସଂକ୍ରମିତ ରୋଗୀ ଚିହ୍ନଟ। ସଂକ୍ରମିତ ଜଣକ ଜଣେ ୧୮ ବର୍ଷର ଯୁବତୀ ବୋଲି ଜଣାପଡ଼ିଛି। ଗତ ୨୩ ତାରିଖ ଦିନ ଏହି ଯୁବତୀ ତାଙ୍କ ମା, ବାପା ଓ ଭାଇଙ୍କ ସହିତ କୋଲକତାର କାଶୀପୁର ରୋଡ଼୍ସ୍ଥିତ ବଡ଼ବଜାର ଅଞ୍ଚଳରୁ ଏକ ଟାଟାସୁମୋ ଗାଡ଼ି ଭଡ଼ା କରି ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରକୁ ଆସିଥିଲେ। ବ୍ରଜରାଜନଗରରେ ସେମାନେ ସନ୍ଧ୍ୟା ସାଢ଼େ ୭ ଟାରେ ପହଞ୍ଚିଥିଲେ। ସଂକ୍ରମିତଙ୍କ ଭାଇ ବ୍ରଜରାଜନଗର ବୁଢ଼ିଜାମ କ୍ୟାମ୍ପ ଠାରେ ରହୁଥିଲେ। ଗତ ୨୨ ତାରିଖ ଦିନ ବେଲପାହାଡ଼ ଠାରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କ ଭାଇଙ୍କ ମୃତ୍ୟୁ ହୋଇଯାଇଥିଲା। ଭାଇର ଅନ୍ତ୍ୟଷ୍ଟିକ୍ରିୟାରେ ଏହି ପରିବାର ଯୋଗ ଦେବାକୁ ଆସିଥିଲେ। କୋଲକତାରୁ ଆସିବା ଜାଣି ପ୍ରଶାସନ ପକ୍ଷରୁ ଏମାନଙ୍କୁ ହୋମ୍ କ୍ବାରାଣ୍ଟିନ୍ରେ ରହିବାକୁ ପରାମର୍ଶ ଦିଆଯାଇଥିଲା ଓ ତାଙ୍କ ଘର ଆଗରେ ଷ୍ଟିକର ମଧ୍ୟ ମରାଯାଇଥିଲା। ୨୪ ତାରିଖ ଦିନ ପରିବାରର ସମସ୍ତ ସଦସ୍ୟଙ୍କ ସ୍ବାବ୍ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠା ଯାଇଥିବା କଥା ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ ସାମଲ ସୂଚନା ଦେଇଛନ୍ତି।
ଆଜି ଏହି ପରିବାର ମଧ୍ୟରୁ ଜଣଙ୍କ ସ୍ବାବ୍ରେ କରୋନା ସଂକ୍ରମଣ ଥିବା ଜଣାପଡ଼ିବା ପରେ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ତତ୍ପର ହୋଇ ପଡ଼ିଛି। ଜିଲ୍ଲାପାଳ ଶ୍ରୀ ସାମଲଙ୍କ ସୂଚନା ଅନୁଯାୟୀ ସଂକ୍ରମିତ ରୋଗୀକୁ ରାଉରକେଲା ଚିକତ୍ସା ପାଇଁ ପଠା ଯାଇଥିବା ବେଳେ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି। ଜିଲ୍ଲାରୁ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଓ ପ୍ରଶାସନିକ ଅଧିକାରୀ ମାନଙ୍କ ଏକ ଟିମ୍ ତଥା ପୁଲିସ ବୁଢ଼ିଯାମ୍ରେ ପହଞ୍ଚିଛନ୍ତି। ସଂକ୍ରମିତ ପରିବାର କାହା କାହା ସହିତ ମିଶିଥିଲେ। ମୃତ ଯୁବକର ଅନ୍ତ୍ୟଷ୍ଟିକ୍ରିୟାରେ ଯେଉଁ ୧୦ ଜଣ ଯୋଗ ଦେଇଥିଲେ ସେମାନେ କାହା ସହିତ ସଂପର୍କରେ ଆସିଛନ୍ତି ସେ ନେଇ ତଥ୍ୟ ସଂଗ୍ରହ ଚାଲିଥିବା ଜିଲ୍ଲାପାଳ କହିଛନ୍ତି। ଯୁବକର ଅକାଳ ବିୟୋଗ ହୋଇଥିବା ଯୋଗୁଁ ଦୁଃଖରେ ଭାଙ୍ଗି ପଡ଼ିଥିବା ଏହି ପରିବାରଙ୍କୁ ଅନେକ ସଂପର୍କିୟ ଓ ଜ୍ଞାତିକୁଟୁମ୍ବ ସମବେଦନା ଜଣାଇବାକୁ ତାଙ୍କ ଘରକୁ ଆସିଥିବା କୁହାଯାଉଛି। ତେବେ କେଉଁ ମାନେ ଆସିଥିଲେ। ସେମାନେ କାହା କାହା ସଂପର୍କରେ ଆସିଛନ୍ତି ସେ ନେଇ ଅଧିକାରୀ ମାନେ ତଥ୍ୟ ସଂଗ୍ରହ କରୁଛନ୍ତି।
ସଂକ୍ରମିତ ଯୁବତୀ କେଉଁ ମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ତାକୁ ନେଇ ତନାଘନା
ଝାରସୁଗୁଡ଼ା : ସଂକ୍ରମିତ ଯୁବତୀ ତାଙ୍କ ପରିବାର ସଦସ୍ୟଙ୍କ ସହିତ ଏକ ଭିକ୍ଟା କାର୍ ଯୋଗେ ଆସିଥିବା ବେଳେ କାର ଡାଇଭର ସମେତ ଏଥିରେ ୫ ଜଣ ଥିଲେ। ଏମାନେ ୨୨ ତାରିଖ ଅପରାହ୍ନ ୩ଟାରେ କୋଲକାତା ବଡ଼ବଜାର ଠାରୁ ବାହାରି ଥିଲେ। ଜାମସୋଳା ଗେଟ୍ ଠାରେ ରାତ୍ର ସାଢ଼େ ୮ ଟାରେ ତାଙ୍କୁ ଓଡ଼ିଶା ସୀମା ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇନଥିଲା। ଫଳରେ ଏମାନେ ସେଠାରୁ ଫେରିଯାଇ ଜାମସେଦପୁର, ବରସୁଲା ଗେଟ୍ ଠାରେ ଗାଡ଼ି ଭିତରେ ରାତି କଟାଇଥିଲେ। କୋଲକାତାରୁ ଆଣିଥିବା ବିସ୍କୁଟ୍, ସୁଖିଲା ଖାଦ୍ୟ ଖାଇଥିଲେ। ୨୩ ତାରିଖ ଦିନ ସେମାନେ ସକାଳୁ ବାହାରି ରାଞ୍ଚି, ଖୁଣ୍ଟି, ସିମ୍ଡେଗା ଦେଇ ଓଡ଼ିଶା ସୀମାରେ ପ୍ରବେଶ କରିଥିଲେ। ବିରମିତ୍ରପୁର ଗେଟ୍ ଠାରେ ୯.୩୦ରେ ପହଞ୍ଚି ବେଦବ୍ୟାସ, ସୁନ୍ଦରଗଡ଼, ଝାରସୁଗୁଡ଼ା ହୋଇ ଉକ୍ତ ଦିନ ସନ୍ଧ୍ୟା ୭.୩୦ରେ ଓରିଏଣ୍ଟ ଥାନା ବୁଢ଼ିଜାମ ଠାରେ ପହଞ୍ଚିଥିଲେ। ସଂକ୍ରମିତ ଯୁବତୀ ଘରୁ କୁଆଡ଼େ ଯାଇନଥିବା କୁହାଯାଉଛି। ତେବେ ତାଙ୍କ ଘରକୁ ଆସିଥିବା ୩୧ ଜଣ, ପରିବାର ସଦସ୍ୟ ୧୫ ଜଣ, ଅତି ଘନିଷ୍ଠ ବନ୍ଧୁ ୧୫ ଜଣ, ପଡ଼ୋଶୀ ୭ ଜଣଙ୍କୁ ପ୍ରଶାସନ ପକ୍ଷରୁ ଟ୍ରେସ୍ କରାଯାଇଛି। ତାଙ୍କ ପରିବାର ସଦସ୍ୟଙ୍କୁ ତୁରନ୍ତ କ୍ବାରାଣ୍ଟିନ୍ କେନ୍ଦ୍ରକୁ ପଠାଯାଇଛି।