ପ୍ରଥମ ଦିନର ମାଟ୍ରିକ ପରୀକ୍ଷା ଶେଷ: ପରୀକ୍ଷା କେନ୍ଦ୍ରରେ ସ୍ଥିତି ଅନୁଧ୍ୟାନ କଲେ ମନ୍ତ୍ରୀ

ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ୍, ମଧ୍ୟମା, ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷାର ଆଜି ଥିଲା ପ୍ରଥମ ଦିନ। ପ୍ରଥମ ଦିନର ମାଟ୍ରିକ ପରୀକ୍ଷା ଶେଷ ହୋଇଛି। ପରୀକ୍ଷାର୍ଥୀଙ୍କ ଭିତରେ ଉତ୍ସାହ ଅନୁଭୂତ ହୋଇଥିଲା। ସକାଳ ୭ଟା ୪୫ ମିନିଟରୁ ପରୀକ୍ଷା ଆରମ୍ଭ ହୋଇଥିଲା । ଦିନ ୧୦ଟାରେ ପ୍ରଥମ ଦିନର ମାଟ୍ରିକ ପରୀକ୍ଷା ଶେଷ ହୋଇଛି।


ଏଣେ ମାଟ୍ରିକ୍ ପରୀକ୍ଷା ଚାଲିଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶ ଭୁବନେଶ୍ୱର ୟୁନିଟ୍-୧ ବିଦ୍ୟାଳୟର ପରୀକ୍ଷା କେନ୍ଦ୍ରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପରୀକ୍ଷା କେନ୍ଦ୍ର ବୁଲି ଛାତ୍ରଛାତ୍ରୀଙ୍କ ପାଇଁ ହୋଇଥିବା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ଏହାପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ପିଲାମାନଙ୍କ ପାଇଁ ସମସ୍ତ ସୁବ୍ୟବସ୍ଥା ହୋଇଛି। ପ୍ରଶ୍ନପତ୍ର ଠିକ୍ ସମୟରେ ଦିଆଯାଇଛି ଓ ଶୃଙ୍ଖଳାର ସହ ପରୀକ୍ଷା ଚାଲିଛି। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି ମନ୍ତ୍ରୀ।

ସୂଚନାଯୋଗ୍ୟ, ଆଜି ପରୀକ୍ଷାର ପ୍ରଥମ ଦିନ ହୋଇଥିବାରୁ ପରୀକ୍ଷା କେନ୍ଦ୍ରଗୁଡ଼ିକ ସକାଳ ୭ଟାରେ ଖୋଲିଥିଲା। ନୂଆ ସୂଚୀ ଅନୁସାରେ ସବୁ ପରୀକ୍ଷା ପ୍ରଥମ ସିଟିଂରେ ଅର୍ଥାତ୍ ସକାଳ ୮ଟାରୁ ୧୦ଟା ମଧ୍ୟରେ କରାଯାଇଥିଲା। ପ୍ରଥମ ଦିନ ପରୀକ୍ଷା କେନ୍ଦ୍ର ସକାଳ ୭ଟାରେ ଖୋଲିଥିବା ବେଳେ ଓ ଦ୍ବିତୀୟ ଦିନଠୁ ସକାଳ ୭ଟା ୧୫ରୁ ପରୀକ୍ଷା କେନ୍ଦ୍ର ଖୋଲାଯିବାକୁ ବୋର୍ଡ ପକ୍ଷରୁ କୁହାଯାଇଥିଲା। ପିଲାଙ୍କୁ ପରୀକ୍ଷା ଆରମ୍ଭର ୧୫ ମିନିଟ୍ ପୂର୍ବରୁ ଅର୍ଥାତ୍ ସକାଳ ୭ଟା ୪୫ମିନିଟ୍ରେ ପ୍ରଶ୍ନପତ୍ର ଦିଆଯାଇଥିଲା। ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାର୍ଟ-୧(ଅବ୍ଜେକ୍ଟିଭ୍) ପରୀକ୍ଷା ସକାଳ ୮ଟାରୁ ୯ଟା ଓ ପାର୍ଟ-୨(ସବ୍ଜେକ୍ଟିଭ୍) ୯ଟାରୁ ୧୦ଟା ପର୍ଯ୍ୟନ୍ତ ଚାଲିଥିଲା। ପ୍ରବଳ ଗ୍ରୀଷ୍ମପ୍ରଭାବ ପାଇଁ ଦ୍ବିତୀୟ ସିଟିଂରେ ହେବାକୁ ଥିବା ମଧ୍ୟମା ଓ ମୁକ୍ତବିଦ୍ୟାଳୟର ତିନିଟି ପରୀକ୍ଷା ସୂଚୀକୁ ବଦଳାଇ ପ୍ରଥମ ସିଟିଂକୁ ଅଣାଯାଇଛି।

ସମ୍ବନ୍ଧିତ ଖବର