ପ୍ରଥମ ଶ୍ରାଦ୍ଧବାର୍ଷିକୀ: ‘ରାଜ୍ୟ ରାଜନୀତିରେ ଅରୁଣ ଥିଲେ ଅନନ୍ୟ ରାଜନେତା’

ବାଲେଶ୍ବର: ବାଲେଶ୍ବରର ବର୍ଷୀୟାନ ରାଜନେତା ଅରୁଣ ଦେଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ସହରର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି। ଭଏସ ଅଫ୍ ବାଲେଶ୍ବର ଅନୁଷ୍ଠାନ ପକ୍ଷରୁ ସହଦେବଖୁଣ୍ଟା ସ୍ଥିତ ମାହେଶ୍ବରୀ ଭବନରେ ଅନୁଷ୍ଠିତ ଏହି ଶ୍ରାଦ୍ଧବାର୍ଷିକୀ ସମାରୋହରେ ଶ୍ରମିକ ନେତା ଶାନ୍ତନୁ କୁମାର ଦାସ ସଂଯୋଜନା କରିଥିଲେ। ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର, ପ୍ରାକ୍ତନ ସାଂସଦ ରବୀନ୍ଦ୍ର କୁମାର ଜେନା, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ପୌରାଧ୍ୟକ୍ଷା ସବିତା ସାହୁ, ପ୍ରାକ୍ତନ ପୌରପାଳ ଆଲୋକ କୁମାର ସାହୁ, ପ୍ରାକ୍ତନ ପୌରାଧ୍ୟକ୍ଷା ସୁଜାତା ଦାସ, ପ୍ରାକ୍ତନ ବିଧାୟକ ସୁଦର୍ଶନ ଜେନା, ଶ୍ରମିକ ନେତା ଗୌରାଙ୍ଗ ପାଣିଗ୍ରାହୀ, ବରିଷ୍ଠ ବିଜେଡି ନେତା ବରଦା ପ୍ରସନ୍ନ ପଟ୍ଟନାୟକ, ଆଇନଜୀବୀ ସୁଧାଂଶୁ ଶେଖର ଦାସ, କବି ଉତ୍ପଳ ମହାନ୍ତି, ବିଜେପି ନେତା ସୁଜିତ୍ ଦେବ, ଯୁବନେତା ଗୌତମ ସେଠୀ, ଅରଜିତ୍ ଘୋଷାଲଙ୍କ ସମେତ ବାଲେଶ୍ବରର ବହୁ ବୁଦ୍ଧିଜୀବୀ, ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା, ଜନପ୍ରତିନିଧି,ବିଭିନ୍ନ ପଂଚାୟତର ପ୍ରମୁଖ ବ୍ୟକ୍ତି, ବାଲେଶ୍ବରର ବାର୍‌ ଆସୋସିଏସନର କର୍ମକର୍ତ୍ତା ଯୋଗଦେଇ ସ୍ବର୍ଗତ ଦେ ଓଡ଼ିଶା ରାଜନୀତିରେ ଏକ ବିରଳ ତଥା ଚର୍ଚ୍ଚିତ ରାଜନେତା ଥିଲେ।

ଅରୁଣ ଦେଙ୍କ ଲୋକପ୍ରିୟତାର ପଟ୍ଟାନ୍ତର ନାହିଁ। ଗରିବ, ଖଟିଖିଆ, ଶ୍ରମିକ, ଚାଷୀ, ସାଧାରଣ ମଣିଷ ପାଇଁ ଶ୍ରୀ ଦେଙ୍କର ଲଢେ଼ଇ ଜୋରରଦା ରହିଥିଲା। ଏହି ଅବସରରେ ଶ୍ରୀ ଦେଙ୍କ ସହ ବିଭିନ୍ନ ବ୍ୟକ୍ତିବିଶେଷ ବିତାଇଥିବା କିଛି ମୂହୂର୍ତ୍ତ ସହ ଅରୁଣ ଦେଙ୍କ ରାଜନୀତି ଜୀବନ ସମ୍ପର୍କରେ ବେଶ୍ ସ୍ମୃତିଚାରଣ କରିଥିଲେ। ଏକ ଭାବବିହ୍ବଳ ପରିବେଶ ଭିତରେ ଏହି ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା। ଭଏସ ଅଫ୍ ବାଲେଶ୍ବର ଅନୁଷ୍ଠାନ ପକ୍ଷରୁ ସ୍ମୃତିସଭାରେ ଶତାଧିକ ଅରୁଣପ୍ରେମୀ ଯୋଗ ଦେଇଥିବାବେଳେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ମଧ୍ୟ ଆୟୋଜନ କରାଯାଇଥିଲା। ଶେଷରେ ‘ଦାଦା ପାଇଁ ପଦେ’ ପୁସ୍ତକ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ସମେତ ମଂଚାସୀନ ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା।

ସମ୍ବନ୍ଧିତ ଖବର