ବଲାଙ୍ଗୀରରେ ରାଜ୍ୟର ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ!

ବଲାଙ୍ଗୀର: ବଲାଙ୍ଗୀରରେ ରାଜ୍ୟର ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ଘଟଣାକୁ ନେଇ ସାରା ବଲାଙ୍ଗୀର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି। ମୃତ୍ୟୁର ଦଶ ଦିନ ପରେ ଆସିଲା ଓମିକ୍ରନ ଟେଷ୍ଟିଂ ରିପୋର୍ଟ। ଆସନ୍ତୁ ନଜର ପକାଇବା ସଂପୂର୍ଣ୍ଣ ଘଟଣା ଉପରେ।


ଗତ ଡିସେମ୍ୱର ୨୦ ତାରିଖ ଦିନ ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ କୁଟାସିଂହା ପଞ୍ଚାୟତ, ଡୁଙ୍ଗୁରିପାଲି ଗାଁର ଇନ୍ଦିରା ନାୟକ ହଠାତ ଗାଁରେ ରାସ୍ତା ଉପରେ ପଡ଼ିଯାଇଥିଲେ। ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ହୃଦଘାତରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ତାଙ୍କ ଅବସ୍ଥା ଗୁରୁତର ହେବାରୁ, ତାଙ୍କୁ ୨୨ ତାରିଖରେ ଅଧିକ ଚିକିତ୍ସା ପାଇଁ ବୁର୍ଲା ଭିମସାରକୁ ରେଫର କରାଯାଇଥିଲା। ସେଠାରେ ତାଙ୍କର ସ୍ୱାବ ସଂଗ୍ରହ କରି କରୋନା ପରୀକ୍ଷା କରାଯାଇଥିଲା। ୨୩ ତାରିଖରେ ସେ କୋଭିଡ ପଜିଟିଭ ଥିବା ଜଣାପଡ଼ିଥିଲା। ତାପରେ ତାଙ୍କର ଓମିକ୍ରନ ପରୀକ୍ଷା ପାଇଁ ସ୍ୱାବ୍ ପଠାଯାଇଥିଲା। ଓମିକ୍ରନ ଟେଷ୍ଟ ରିପୋର୍ଟ ଆସିବା ଆଗରୁ ଗତ ୨୭ ତାରିଖରେ ମହିଳାଙ୍କ ମୃତ୍ୟୁ ହୋଇଥିଲା।

Newsweek

ଭିମସାର ପକ୍ଷରୁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ପରିବାର ଏବଂ ଗାଁ ଲୋକେ ଏକାଠି ଶବ ସତ୍କାର କରିଥିଲେ । ଶବ ସତ୍କାରର ଦଶ ଦିନ ପରେ ଗତକାଲି, ମୃତ ମହିଳା ଜଣକ ଓମିକ୍ରନ ଆକ୍ରନ୍ତ ହୋଇଥିଲେ ବୋଲି ରିପୋର୍ଟ ଆସିଛି। ଅନେକ ଲୋକ ମୃତ ମହିଳାଙ୍କ ସଂସ୍ପର୍ଶରେ ଆସିଛନ୍ତି। ତାଙ୍କ ଶବ ସତ୍କାର ସମୟରେ ଅନେକ ଲୋକ ତାଙ୍କ କଣ୍ଟାକ୍ଟରେ ଆସିଥିବେ । ତେଣୁ ଏବେ ଆଉ କିଏ କିଏ ଓମିକ୍ରନ ସଂକ୍ରମିତ ହୋଇଛନ୍ତି, ତାକୁ ନେଇ ଡୁଙ୍ଗୁରିପାଲି ଗାଁରେ ଆତଙ୍କ ଖେଳିଯାଇଛି। ଆଜି ବଲାଙ୍ଗୀର ସି.ଡି.ଏମ.ଓଙ୍କ ନିର୍ଦ୍ଦେଶରେ ଏକ ଟିମ୍ ଯାଇ ଗାଁରେ ତନାଘନା ତଦନ୍ତ ଆରମ୍ଭ କରିଛନ୍ତି। କଣ୍ଟାକ୍ଟ ଟ୍ରେସିଂ ଓ ଟେଷ୍ଟିଂ କରାଯାଉଛି। ଏଠି କିନ୍ତୁ ବଡ଼ ପ୍ରଶ୍ନ ମହିଳାଙ୍କ ମୃତ୍ୟୁର କାରଣ କଣ ? ହୃଦଘାତରେ ଆକ୍ରନ୍ତ ହୋଇଥିଲେ ମଧ୍ୟ, ଓମିକ୍ରନ ଆକ୍ରାନ୍ତ ହେବା ପରେ ତାଙ୍କର ମୃତ୍ୟୁ ହେଲାକି ? କୋଭିଡ ପଜିଟିଭ ଚିହ୍ନଟ ହୋଇ ମୃତ୍ୟୁବରଣ କରିଥିବା ଜଣେ ମହିଳାଙ୍କ ଶବକୁ କିଭଳି ଭାବରେ ଭିମସାର ପକ୍ଷରୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଗଲା ? ଯଦି ଶବ ହସ୍ତାନ୍ତର କଲେ ପଲିଥିନ ଗୁଡ଼ାଯାଇଥିଲା ନା ନାହିଁ ? ମୃତ୍ୟୁର ଦଶ ଦିନ ପରେ କେମିତି ଆସିଲା ଓମିକ୍ରନ ଟେଷ୍ଟିଂ ରିପୋର୍ଟ ? ଏସବୁର ତଦନ୍ତ କରାଗଲେ ସମସ୍ତ ତଥ୍ୟ ଜଣାପଡ଼ିବ।

ସମ୍ବନ୍ଧିତ ଖବର