ସିମେଣ୍ଟ କାରଖାନା ନେଇ ଗ୍ରାମସଭା: ପ୍ରଥମେ ଦାବି ପୂରଣ କର, ପରେ ସିମେଣ୍ଟ କାରଖାନା

ମାଲକାନଗିରି: ସଦର ବ୍ଲକ ଅନ୍ତର୍ଗତ ମାଟାପାକା ପଞ୍ଚାୟତର କୋତାମାଟେରୁ ଗ୍ରାମରେ ଆଜି ଡାଲମିଆ ସିମେଣ୍ଟ ଫେକ୍ଟ୍ରି ପାଇଁ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ତହସିଲଦାର ସମେତ ସମସ୍ତ କର୍ମଚାରୀ ଏବଂ ଡାଲମିଆ ସିମେଣ୍ଟ କମ୍ପାନୀର କର୍ମକର୍ତ୍ତା ଉପସ୍ଥିତ ଥିଲେ। ତହସିଲଦାର ରାଖେଲ କୁମାର ପରିଡା ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଗ୍ରାମସଭା ନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ପ୍ରବଳ ଗରମ ଅନୁଭୁତ ହେଉଥିବାରୁ ଗ୍ରାମବାସୀଙ୍କ ପାଇଁ ଟେଣ୍ଟର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଗ୍ରାମବାସୀ ପ୍ରଶାସନ ତରଫରୁ ତିଆରି କରାଯାଇଥିବା ଟେଣ୍ଟରେ ବସିବେ ନାହିଁ ବୋଲି ସଫା ସଫା ମନା କରିଥିଲେ। ବାହାରେ ଖରାରେ ସମସ୍ତ ଗ୍ରାମବାସୀ ବସିଥିଲେ।

ଆଲୋଚନାର ପ୍ରଥମ ପର୍ଯ୍ୟାୟରେ ହିଁ ଗ୍ରାମବାସୀ ନିଜର ମୌଳିକ ସମସ୍ୟା ଉପସ୍ଥାପନା କରିଥିଲେ। ଗ୍ରାମବାସୀଙ୍କ ଦାବି ହେଲା ଏହି ଜଂଗଲ ସେମାନଙ୍କର ମାଆ ସଦୃଶ୍ୟ।ଏଠାରେ ରହିଥିବା ଜଂଗଲଜାତ ଦ୍ରବ୍ୟକୁ ସଂଗ୍ରହ କରି ସେମାନେ ବଂଚିବା ଶିଖିଛନ୍ତି। ଏହି ଜଂଗଲଜାତ ଦ୍ରବ୍ୟ ବିକ୍ରି କରି ସେମାନେ ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ ମଧ୍ୟ କରୁଛନ୍ତି।ତେବେ ଏଠାରେ ରହିଥିବା ଦୀର୍ଘ ବର୍ଷର ମହୁଲ, କେନ୍ଦୁ, ଅଁଳା, ହରିଡା, ବାହାଡା ସମେତ ବହୁ ମୂଲ୍ୟବାନ ଗଛ ନଷ୍ଟ ହୋଇଯିବ, ଯାହାଫଳରେ ଏଠାରେ ଜୀବନଯାପନ କରୁଥିବା ଆଦିବାସୀ ବାସହରା ହେବା ସହ ନିଜର ଆର୍ଥିକ ଦୁର୍ବଳତା ମଧ୍ୟ ଭୋଗିବେ ବୋଲି କହିଥିଲେ। ଏଥିସହ ଏହି ଅଂଚଳର ପିଲାମାନେ ନିରକ୍ଷର ହୋଇଥିବାରୁ ସେମାନଙ୍କୁ ଏହି କାରଖାନାରେ କି ଚାକିରି ଦିଆଯିବ ତାହା ମଧ୍ୟ ସଂଦେହ ଘେରରେ ବୋଲି କହିଥିଲେ। ତେଣୁ ପ୍ରଥମେ ଯେଉଁ ସବୁ ଗଛ ନଷ୍ଟ ହେବ ତାକୁ କିପରି ଭରଣ କରାଯାଇପାରିବ ଏବଂ ସ୍ଥାନୀୟ ଲୋକଙ୍କୁ କିପରି ରୋଜଗାରର ମାଧ୍ୟମ ଯୋଗାଇ ଦିଆଯିବ ସେନେଇ ସ୍ପଷ୍ଟ କରିବା ପାଇଁ ଗ୍ରାମବାସୀ ଦାବି କରିଥିଲେ।

ତେବେ ଏହାର ଉତ୍ତରରେ ତହସିଲଦାର ଶ୍ରୀ ପରିଡା ଏନେଇ ଜିଲ୍ଲା ପ୍ରଶାସନ ଏବଂ ସିମେଣ୍ଟ ଫେକ୍ଟ୍ରିର କର୍ମକର୍ତ୍ତାଙ୍କ ସହ ଆଲୋଚନା କରାଯାଇ ସମାଧାନ କରାଯିବ ବୋଲି କହିଥିଲେ। ଏହି ପ୍ରକ୍ରିୟା ଆରମ୍ଭ ମାତ୍ର।ଆଗକୁ ଆହୁରି ଅନେକ ସମସ୍ୟା ଉପୁଜିବ। ତେଣୁ ସବୁ ସମସ୍ୟାକୁ କିପରି ସମାଧାନ କରାଯିବ ସେନେଇ ଆଲୋଚନା ମାଧ୍ୟମରେ ସଫଳ କରାଯିବ ବୋଲି କୁହାଯାଇଛି। ଗ୍ରାମବାସୀଙ୍କ ଦାବିକୁ ଗୁରୁତ୍ବର ସହ ପ୍ରଶାସନ ନେଇଥିବା ଜଣାପଡିଛି। କୋତାମାଟେରୁ ଗ୍ରାମ ନିକଟରେ ଏହି ସିମେଣ୍ଟ ଫେକ୍ଟ୍ରି ହେବାକୁ ଥିବା ବେଳେ ଗ୍ରାମବାସୀଙ୍କର କେତେ ଜମି ଯିବ, ରାଜ୍ୟ ସରକାରଙ୍କର କେତେ ଜମି ଯିବ ଏବଂ ଜଂଗଲ ଜମି କେତେ ଯିବ ସେନେଇ ଆକଳନ କରାଯାଉଛି। ତେଣୁ ଯେଉଁ ଗ୍ରାମବାସୀଙ୍କର ଜମି ଏଥିରେ ଯାଉଛି ସେମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି କୁହାଯାଇଛି। ପ୍ରାୟ ୮୦୧ ହେକ୍ଟର ଜମିରେ ଏହି କାରଖାନା କରାଯିବ ବୋଲି ଜଣାପଡିଛି। ତେବେ ଏହି ଗ୍ରାମସଭା ଏକ ପ୍ରକାର ସଫଳ ଏବଂ ବିଫଳ ମଧ୍ୟ ହୋଇଥିବା ଦେଖିବାକୁ ମିଳିଛି। ଗ୍ରାମବାସୀଙ୍କ ଦାବି ପୂରଣ ହେଲେ କାରଖାନା ମଧ୍ୟ ନିର୍ମାଣ ହେବା ସହଜ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ତେବେ ପ୍ରଥମ ପରିବେଶ ମଞ୍ଜୁର ଦିନ ହୋଇଥିବା ଶୁଣାଣିରେ ଲୋକେ ସ୍ବୀକୃତୀ ଦେଇଥିବା ବେଳେ ଏହି ଗ୍ରାମର ଲୋକେ କାହିଁକି ଏତେ ଗୁଡାଏ ଦାବି ଧରି ଜିଦରେ ରହିଲେ ତାହାକୁ ନେଇ ନାନା ପ୍ରଶ୍ନ ଉଙ୍କି ମାରୁଛି। କିଛି କୁଜି ନେତାଙ୍କ ପ୍ରରୋଚନରେ ପଡି ଏହି ଗ୍ରାମବାସୀ ଏଭଳି ଜିଦ କରୁଥିବା ଆଲୋଚନା ମଧ୍ୟ ହେଉଛି।

ସମ୍ବନ୍ଧିତ ଖବର