୧୩ ତାରିଖକୁ ବଢ଼ିଲା ପ୍ରଥମ ଡୋଜ୍ ଟିକାକରଣ

ଧାର୍ଯ୍ୟ ସମୟରେ ଟିକା ନେଲେନି ସ୍ବାସ୍ଥ୍ୟକର୍ମୀ

ଭୁବନେଶ୍ବର : ରାଜ୍ୟରେ ଧାର୍ଯ୍ୟ ସମୟ ଭିତରେ ପ୍ରଥମ ଡୋଜ୍ କରୋନା ଟିକାକରଣ ଶେଷ ହୋଇପାରିନି। ଶେଷ ତାରିଖ ସୁଦ୍ଧା ଆହୁରି ୨୦ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ଟିକା ନେଇ ନାହାନ୍ତି। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କଠାରୁ ଆରମ୍ଭ କରି ଏକାଧିକ ସ୍ବାସ୍ଥ୍ୟ ନିର୍ଦେଶକ ଟିକା ନେଇ ଅନ୍ୟମାନଙ୍କୁ ଉତ୍ସାହିତ କରିଥିଲେ ହେଁ, ଶତ ପ୍ରତିଶତ ଟିକାକରଣ ସମ୍ଭବ ହୋଇପାରିନାହିଁ। ଯାହାଫଳରେ ପ୍ରଥମ ଡୋଜ୍ ଟିକାକରଣକୁ ରାଜ୍ୟ ସରକାର ଆହୁରି ୩ ଦିନ ପାଇଁ ବୃଦ୍ଧି କରିଛନ୍ତି। ଆସନ୍ତା ୧୩ତାରିଖ ପର୍ଯ୍ୟନ୍ତ ପ୍ରଥମ ଡୋଜ୍ ଟିକା ସ୍ବାସ୍ଥ୍ୟକର୍ମୀମାନଙ୍କୁ ଦିଆଯିବ। ଏଭଳି ପରିସ୍ଥିତିରେ ଆସନ୍ତା ୩ଦିନ ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଶତ ପ୍ରତିଶତ ଟିକାକରଣ ହୋଇପାରିବ କି ନାହିଁ ତାହାକୁ ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି।

ପ୍ରଥମ ପର୍ଯ୍ୟାୟରେ କେବଳ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଟିକାକରଣ କରାଯାଉଛି। ଗତମାସ ୧୬ତାରିଖରୁ ଟିକାକରଣ ଆରମ୍ଭ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ୮୦ ପ୍ରତିଶତ ଟିକାକରଣ ହୋଇପାରିଛି। ଯାହାକି ରାଜ୍ୟ ସରକାରଙ୍କୁ ଚିନ୍ତାରେ ପକାଇଛି। ତେଣୁ ଯେପରି ଶତ ପ୍ରତିଶତ ଟିକାକରଣ ହୋଇପାରିବ ସେଥିପାଇଁ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିସନର ଓ ସିଡିଏମ୍‌ଓମାନଙ୍କୁ ତୀକ୍ଷ୍ଣ ନଜର ରଖିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଆସନ୍ତା ୧୫ତାରିଖରୁ ଦ୍ବିତୀୟ ଡୋଜ୍ ଟିକାକରଣ ଆରମ୍ଭ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଉଛି।

ଆଜି ରାଜ୍ୟରେ ୮୦ ପ୍ରତିଶତ ଟିକାକରଣ ସମ୍ଭବ ହୋଇପାରିଛି। ୨୧୨ଟି ଅଧିବେଶନରେ ୨୪,୨୧୦ କୋଭିଡ୍‌ ଯୋଦ୍ଧାଙ୍କୁ ଟିକା ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ୧୯,୩୬୯ଜଣଙ୍କୁ ଟିକା ଦିଆଯାଇଛି। ୬ଟି ଜିଲ୍ଲାରେ ଶତ ପ୍ରତିଶତରୁ ଅଧିକ ଟିକାକରଣ ହୋଇଥିବା ବେଳେ ବାଲେଶ୍ବରରେ ସର୍ବାଧିକ ୧୯୩ ପ୍ରତିଶତ ଟିକାଦାନ ହୋଇଛି। ସୋନପୁରରେ କୌଣସି ଅଧିବେଶନ ଆୟୋଜିତ ହୋଇ ନଥିବା ବେଳ‌େ କଳା‌ହାଣ୍ଡିରେ ସର୍ବନିମ୍ନ ୨୩ ପ୍ରତିଶତ ଟିକାଦାନ ହୋଇପାରିଛି। କୌଣସି ବ୍ୟକ୍ତିଙ୍କ ନିକଟରେ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ। ରାଜ୍ୟରେ ଏ ପର୍ଯ୍ୟନ୍ତ ୨ଲକ୍ଷ ୭୩ହଜାର ୬୪୭ ସ୍ବାସ୍ଥ୍ୟକର୍ମୀ ଟିକା ନେଇ ସାରିଲେଣି।

ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ କହିଛନ୍ତି ଯେ କୋଭିଡ୍‌ ଡ୍ୟୁଟିରେ ନିୟୋଜିତ ସ୍ବାସ୍ଥ୍ୟକର୍ମୀଙ୍କ ଅବଧି ଶେଷ ହୋଇଯାଇଛି। ଯଦିଓ ସେମାନେ ଟିକା ନେବା ପାଇଁ ପଞ୍ଜୀକୃତ ହୋଇଛନ୍ତି ମାତ୍ର ଟିକା ନେବାକୁ ଆସୁ ନାହାନ୍ତି। ରାଜ୍ୟରେ କାର୍ଯ୍ୟରତ ଅଧିକାଂଶ ସ୍ବାସ୍ଥ୍ୟକର୍ମୀ ହେଉଛନ୍ତି ମହିଳା। ତେଣୁ ଯେଉଁ ଗର୍ଭବତୀ ସ୍ବାସ୍ଥ୍ୟକର୍ମୀ କିମ୍ବା ଗର୍ଭଧାରଣ କରିବା ପାଇଁ ଯୋଜନା କରିଥିବା ସ୍ବାସ୍ଥ୍ୟକର୍ମୀ ମଧ୍ୟ ଟିକାକରଣରୁ ନିଜକୁ ଦୂରେଇ ରଖିଛନ୍ତି। ବରିଷ୍ଠ ଚିକିତ୍ସକ ଡା.କ୍ଷୀରୋଦ ରାଉତଙ୍କ କହିବା ମୁତାବକ, ରାଜ୍ୟରେ ଏବେ କରୋନା ସଂକ୍ରମଣ କମିଥିବା ବେଳେ କାଁ ଭାଁ ସଂକ୍ରମଣ ଜନିତ ମୃତ୍ୟୁ ହେଉଛି। ଏହାସହ ଯେଉଁମାନେ ଥରେ କରୋନାରେ ସଂକ୍ରମିତ ହୋଇଛନ୍ତି ସେମାନଙ୍କ ଶରୀରରେ ପ୍ରକୃତିକ ଭାବେ ପ୍ରାୟ ୮ମାସ ପର୍ଯ୍ୟନ୍ତ ଆଣ୍ଟିବଡି ସୃଷ୍ଟି ହେଉଛି। ତେଣୁ ଟିକା ନେଲେ ଏହି ଆଣ୍ଟିବଡି କେତେଦିନ ପର୍ଯ୍ୟନ୍ତ ରହିବ ତାହା ସ୍ପଷ୍ଟ ହୋଇ ନ ଥିବାରୁ ହୁଏତ ଅନେକ ଏଥିପାଇଁ ଆଗ୍ରହ ପ୍ରକାଶ କରି ପାରୁନଥାନ୍ତି।

ସମ୍ବନ୍ଧିତ ଖବର