ରାଜ୍ୟରେ ପ୍ରଥମ ଏଣ୍ଡୋସ୍କୋପିକ୍‌ ଥାଇରଏଡ୍‌ ସର୍ଜରି, ଦୁଇ ରୋଗୀଙ୍କ ଅସ୍ତ୍ରୋପଚାର, ପ୍ରଶିକ୍ଷଣ ଦେଲେ ଚଣ୍ଡୀଗଡ଼ର ଡାକ୍ତର

କଟକ: ଓଡ଼ିଶାରେ ପ୍ରଥମ ଥର ପାଇଁ ଏସ୍‌ସିବି ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ରେ ଆରମ୍ଭ ହୋଇଛି ଏଣ୍ଡୋସ୍କୋପିକ୍‌ ଥାଇରଏଡ୍‌ ସର୍ଜରୀ। ଥାଇରଏଡ୍‌ ରୋଗୀଙ୍କ ଦାଗମୁକ୍ତ ଅସ୍ତ୍ରୋପଚାର ପାଇଁ ଏହି ସର୍ଜରୀର ଆବଶ୍ୟକତା ରହିଥିବା କୁହାଯାଇଛି। ପ୍ରଥମଥର ଏହି ଅସ୍ତ୍ରୋପଚାର ଓଡ଼ିଶାରେ ହେଉଥିବାରୁ ଏଥିପାଇଁ ଆଜି ଏସ୍‌ସିବି ମେଡିକାଲ୍‌ ଟେଲିମେଡିସିନ୍‌ ବିଭାଗରେ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା।

ପ୍ରାଥମିକ ପର୍ଯ୍ୟାୟରେ ଦୁଇ ଜଣ ମହିଳା ରୋଗୀଙ୍କ ସଫଳ ଅସ୍ତ୍ରୋପଚାର କରାଯାଇଛି। ଚଣ୍ଡୀଗଡ଼ସ୍ଥିତ ସଂଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ସର (ଏସ୍‌ଜିପିଜିଆଇଏମ୍‌ଏସ୍‌) ଏଣ୍ଡୋକ୍ରାଇନ୍‌ ସର୍ଜରୀ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ସରୋଜକାନ୍ତ ମିଶ୍ର, ସର୍ଜନ୍‌ ଡାକ୍ତର ଜ୍ଞାନ ଚାନ୍ଦ ଏହି ଅସ୍ତ୍ରୋପଚାରରେ ନେତୃତ୍ୱ ନେଇଥିଲେ। ତାଙ୍କୁ ଏସ୍‌ସିବି ମେଡିକାଲ୍‌ ଏଣ୍ଡୋକ୍ରାଇନ୍‌ ସର୍ଜରୀ ବିଭାଗର ଆସୋସିଏଟ୍‌ ପ୍ରଫେସର ଡାକ୍ତର ଚିତ୍ତରଂଜନ ଷଡଙ୍ଗୀ ଓ ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଅରୁଣ କୁମାର ମହାନ୍ତି ସହାୟତା କରିଥିଲେ। ଏହି ଅସ୍ତ୍ରୋପଚାର ବିଷୟରେ ତାଲିମ ନେବାକୁ ଏସ୍‌ସିବି ସମେତ, ବୁର୍ଲା, ଏମ୍‌କେସିଜି ମେଡିକାଲ୍‌ର କନିଷ୍ଠ ଡାକ୍ତର ମାନେ ଆସିଥିଲେ। ଏଥିସହିତ ଦେଶର ଅନ୍ୟ ମେଡିକାଲ୍‌ କଲେଜଗୁଡ଼ିକର ଟେଲିମେଡିସିନ୍‌ ସେଣ୍ଟର ମାଧ୍ୟମରେ ଅସ୍ତ୍ରୋପଚାରର ସିଧାପ୍ରସାରଣ କରାଯାଇ ଏ ସଂକ୍ରାନ୍ତରେ ତାଲିମ ପ୍ରଦାନ କରାଯାଇଥିଲା।

ତିନିମାସ ପରେ ଏସ୍‌ଜିପିଜିଆଇଏମ୍‌ଏସର ବିଶେଷଜ୍ଞ ଡାକ୍ତର ପୁଣିଥରେ ଏସ୍‌ସିବିକୁ ଆସି ଏଠାକାର ଡାକ୍ତରଙ୍କୁ ତାଲିମ ଦେବେ ବୋଲି ଏଣ୍ଡୋକ୍ରାଇନ୍‌ ସର୍ଜରୀ ବିଭାଗୀୟ ମୁଖ୍ୟ ପ୍ରଫେସର ମିଶ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର