ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତ ବର୍ଷ ପ୍ରଥମଥର ପାଇଁ ବିରଳ ପ୍ରଜାତିର ପକ୍ଷୀ ମ୍ୟାନଗ୍ରୁଭ୍ ପିଟାଙ୍କ ଗଣନା କରାଯାଇଛି। ଚଳିତ ମାସ ୧୪ ତାରିଖ ଦିନ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଏହି ବିରଳ ପକ୍ଷୀଙ୍କ ଗଣନା କରାଯାଇଛି। ରାଜନଗର ବନ ବିଭାଗ ପକ୍ଷରୁ ରାଜନଗର ରେଞ୍ଜରେ ୧୧ଟି ଟିମ୍, କନିକା ରେଞ୍ଜରେ ୧୦ଟି, ମହାକାଳପଡ଼ା ରେଞ୍ଜରେ ୬ଟି, କୁଜଙ୍ଗ ରେଞ୍ଜରେ ୪ଟି ଓ ଗହୀରମଥା ରେଞ୍ଜରେ ଗୋଟିଏ ଟିମ୍ ଏହି ପକ୍ଷୀଙ୍କ ଗଣନା କରିଛନ୍ତି। ୩୨ଟି ଟିମ୍ରେ ୧୦୦ ଜଣ ବନ କର୍ମଚାରୀ ଏହି ଗଣନା କାର୍ଯ୍ୟରେ ସାମିଲ ହୋଇଥିଲେ। ଡିଏଫଓ ସୁଦର୍ଶନ ଗୋପୀନାଥ ଯାଦବ ଓ ଏସିଏଫ ପୁନମ ହୀରା ହାଂ ସଦାଙ୍କ ତତ୍ୱାବଧାନରେ ଏହି ଗଣନା କାର୍ଯ୍ୟ କରାଯାଇଛି। ରେଞ୍ଜ ଅଫିସର ମାନସ କୁମାର ଦାସ, ରଞ୍ଜନ ମିଶ୍ର, ବିଚିତ୍ରା ନନ୍ଦ ବେହେରା, ଚିତ୍ତ ରଂଜନ ବେହୁରା ପ୍ରମୁଖ ନିଜ ନିଜ ରେଞ୍ଜ ଅଞ୍ଚଳରେ ଏହି ଗଣନା କାର୍ଯ୍ୟର ତଦାରଖ କରିଥିଲେ।
ଏହି ମ୍ୟାନଗ୍ରୁଭ ପିଟା ବା ନବରଙ୍ଗୀ ଚଢେଇ ବିଲୁପ୍ତ ହେଉଥିବା ପକ୍ଷୀମାନଙ୍କ ମଧ୍ୟରେ ଅନ୍ୟତମ। ଏହା ସାଧାରଣତଃ ଘଞ୍ଚ ହେନ୍ତାଳ ଜଙ୍ଗଲ ମଧ୍ୟରେ ବାସ କରିଥାନ୍ତି। ଭିତରକନିକା ଜାତୀୟ ଉଦ୍ୟାନରେ ଏହି ବିରଳ ପ୍ରଜାତିର ପକ୍ଷୀ ସବୁ ସମୟରେ ଦେଖାଯାଇଥାନ୍ତି। ଏହି ଚଢେଇ ଦେହରେ ଇନ୍ଦ୍ରଧନୁ ଭଳି ବିଭିନ୍ନ ରଙ୍ଗ ଦେଖାଯାଇଥାଏ। ତାର ମୁଣ୍ଡ ଓ ପେଟ କମଳା ରଙ୍ଗ ହୋଇଥିବା ବେଳେ ଲାଞ୍ଜ ଆଡ଼କୁ ଲାଲ ରଙ୍ଗ ଥାଏ। ଆଖି ପାଖରେ କଳା ରଙ୍ଗ ରହିଥିବା ବେଳେ ଡେଣାରେ ଧଳା, ନୀଳ ଓ ଧୁସର ରଙ୍ଗ ମିଶ୍ରିତ ଭାବେ ରହିଥାଏ। ସେଥିପାଇଁ ଏହାକୁ ନବରଙ୍ଗୀ ଚଢେଇ କୁହାଯାଇଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/rajnagar.jpg)