ଜାରି ହେଲା ପ୍ରଥମ ଆର୍ଥିକ ବିପଦ ବିବରଣୀ

ଆଗକୁ ପ୍ରତିବର୍ଷ ପ୍ରକାଶ ପାଇବ

ପ୍ରାକୃତିକ ବିପର୍ଯ୍ୟୟ ବିପଦର ବଡ଼ ଉତ୍ସ
ପିପିପି, ପିଏସ୍‌ୟୁ ବିପଦର ଅନୁଶୀଳନ କରାଯିବ
ଅର୍ଥ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ନଜର ରଖିବ

ଭୁବନେଶ୍ବର : ଆର୍ଥିକ ସ୍ବଚ୍ଛତାରେ ଉନ୍ନତି ଆଣିବା ଓ ସରକାରୀ ଅର୍ଥ ପରିଚାଳନାରେ ସଂସ୍କାର ଜାରି ରଖିବା ଲାଗି ଅର୍ଥ ବିଭାଗ ଅଧୀନରେ ଥିବା ଆର୍ଥିକ ବିପଦ ଓ ଋଣ ପରିଚାଳନା ଶାଖା ତରଫରୁ ପ୍ରଥମ ଥର ଲାଗି ଆର୍ଥିକ ବିପଦ ବିବରଣୀ ଜାରି କରାଯାଇଛି। ରାଜ୍ୟ ସରକାରଙ୍କ ବିଭିନ୍ନ ଆର୍ଥିକ ବିପଦକୁ ଏଥିରେ ଚିହ୍ନଟ କରାଯାଇଛି ଯାହାକୁ ବିସ୍ତୃତ ଭାବେ ଅନୁଶୀଳନ କରାଯିବ ଏବଂ ତାହାର ସମାଧାନ ଲାଗି ପଦକ୍ଷେପ ଗ୍ରହଣ କରାଯିବ। ପ୍ରଥମ ଆର୍ଥିକ ବିବରଣୀରୁ ଜଣାପଡ଼ିଛି ଯେ ଓଡ଼ିଶା ପାଇଁ ଆର୍ଥିକ ବିପଦର ବଡ଼ ଉତ୍ସଗୁଡ଼ିକ ହେଉଛି ପ୍ରାକୃତିକ ବିପର୍ଯ୍ୟୟ, ଖଣି ରାଜସ୍ବରେ ଅସ୍ଥିରତା, କେନ୍ଦ୍ରୀୟ ଟିକସରେ ଓଡ଼ିଶାର ଭାଗ ଏବଂ ବିଦ୍ୟୁତ କ୍ଷେତ୍ର। ୨୦୨୦-୨୧ରେ କିନ୍ତୁ ସବୁଠୁ ବଡ଼ ବିପଦ ଥିଲା କୋଭିଡ୍-୧୯ ମହାମାରୀ। ଭବିଷ୍ୟତରେ ଏଭଳି ସ୍ବାସ୍ଥ୍ୟ ସଙ୍କଟ ଦେଖାଦେଲେ ତାହା ରାଜ୍ୟର ଆର୍ଥିକ ସ୍ଥିତିକୁ ଗୁରୁତର ଭାବେ ପ୍ରଭାବିତ କରିବ ବୋଲି ପ୍ରଥମ ବିବରଣୀରେ ଉଲ୍ଲେଖ କରାଯାଇଛି। ଚିହ୍ନଟ ହେଉଥିବା ଆର୍ଥିକ ବିପଦଗୁଡ଼ିକର ସଠିକ୍ ପରିଚାଳନା ଲାଗି ବିଭିନ୍ନ ପ୍ରକାର ଉତ୍ସର୍ଗୀକୃତ ପାଣ୍ଠି ରହିଛି। ସେଗୁଡ଼ିକ ହେଉଛି ଗ୍ୟାରେଣ୍ଟି ରିଡେମ୍ପସନ୍‌ ଫଣ୍ଡ୍, କ‌ନ୍‌ସୋଲିଡେଟେଡ୍ ସିଙ୍କିଙ୍ଗ୍‌ ଫଣ୍ଡ୍‌ ଓ ବିପର୍ଯ୍ୟୟ ବିପଦ ପରିଚାଳନା ପାଣ୍ଠି। ଆର୍ଥିକ ବିପଦ ପରିଚାଳନା ଉପରେ ନଜର ରଖିବା ଲାଗି ଅର୍ଥ ସଚିବଙ୍କ ଅଧ୍ୟକ୍ଷତାରେ ଏଲକ ଆର୍ଥିକ ବିପଦ କମିଟି ଗଠନ କରାଯାଇଛି।

ଘରୋଇ ସରକାରୀ ସହଭାଗିତା (ପିପିପି) ସମ୍ପର୍କରେ ତଥ୍ୟ ଦେଇ ବିବରଣୀରେ ଉଲ୍ଲେଖ କରାଯାଇଛି ଯେ ରାଜ୍ୟରେ ୮୪୦୦ କୋଟି ଟଙ୍କାର ଘରୋଇ ସରକାରୀ ସହଭାଗିତା ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ୧୨ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ କ୍ରିୟାନ୍ବୟନର ବିଭିନ୍ନ ପର୍ଯ୍ୟାୟରେ ରହିଛି। ଅଧିକାଂଶ ପ୍ରକଳ୍ପ ପରିବହନ ଓ ବିକାଶମୂଳକ କ୍ଷେତ୍ରରେ ରହିଛି। ପିପିପି ପ୍ରକଳ୍ପଗୁଡ଼ିକରୁ ସୃଷ୍ଟି ହେବାକୁ ଥିବା ଆର୍ଥିକ ବିପଦର ଅନୁଶୀଳନ ପାଇଁ ଅର୍ଥ ବିଭାଗ ଅଧୀନରେ ଏକ ପିପିପି ନିର୍ଦେଶାଳୟ ଗଠନ କରାଯାଇଛ ଯାହା ସମସ୍ତ ତଥ୍ୟ ସଂଗ୍ରହ କରିବ। ବିପଦର ମାତ୍ରା ମାପିବା ଲାଗି ପିପିପି ଆର୍ଥିକ ବିପଦ ଅନୁଶୀଳନ ମଡେଲ୍‌କୁ ବ୍ୟବହାର କରାଯିବ। ଓଡ଼ିଶା ସରକାର ଶକ୍ତି କ୍ଷେତ୍ରର ପିଏସ୍‌ୟୁଗୁଡ଼ିକ ଲାଗି ଅଧିକ ଗ୍ୟାରେଣ୍ଟି ଦେଇଛନ୍ତି। ୩୦ ପ୍ରତିଶତ ପିଏସ୍‌ୟୁର ବିପଦ ଅନୁଶୀଳନ ଶେଷ ହୋଇଛି। ଏଥିପାଇଁ ପିଏସ୍‌ୟୁ ବିପଦ ଅନୁଶୀଳନ ବ୍ୟବସ୍ଥା ବ୍ୟବହାର କରାଯାଇଛି।

ବିଭିନ୍ନ ବିଭାଗ ଓ ସରକାରୀ ଏଜେନ୍ସି ଠାରୁ ଆର୍ଥିକ ବିପଦ ସମ୍ପର୍କିତ ତଥ୍ୟ ସଂଗ୍ରହ କରିବା ଲାଗି ପ୍ରଥମ ଥର ଲାଗି ଏକ ଆର୍ଥିକ ବିପଦ ରେଜିଷ୍ଟର୍‌ର ବ୍ୟବସ୍ଥା କରାଯାଇଛି। ଏହା ରାଜ୍ୟର ପ୍ରଥମ ଆର୍ଥିକ ବିବରଣୀ ଏବଂ ପ୍ରତିବର୍ଷ ଏହାକୁ ଜାରି କରାଯିବ। ଆଗାମୀ ଦିନରେ ଏହା ଆହୁରି ବ୍ୟାପକ ହେବ ଏବଂ ଏଥିରେ ଗଭୀର ଅନୁଶୀଳନ ଭିତ୍ତିକ ତଥ୍ୟ ରହିବ। ଆର୍ଥିକ ବିପଦକୁ ମୁଖ୍ୟତଃ ତିନିଟି ବର୍ଗରେ ରଖାଯାଇଛି। ତାହା ହେଉଛି ମାକ୍ରୋଇକୋନମିକ୍ ରିସ୍କ (ବ୍ୟାପକ ଆର୍ଥିକ ବିପଦ), ସରକାରୀ ଋଣ, ଘରୋଇ ସରକାରୀ ସହଭାଗିତା, ରାଷ୍ଟ୍ରାୟତ୍ତ ଉଦ୍ୟୋଗ, ସରକାରୀ ଗ୍ୟାରେଣ୍ଟି, ପ୍ରାକୃତିକ ବିପର୍ଯ୍ୟୟ ଓ ଅନ୍ୟାନ୍ୟ ବିପଦ ଆଦି।

ରାଜ୍ୟର ପ୍ରଥମ ଆର୍ଥିକ ବିପଦ ବିବରଣୀ ପ୍ରସ୍ତୁତ କରିବା ଲାଗି ଆଇଏମ୍‌ଏଫ୍-ଏସ୍‌ଏଆର୍‌ଟିଟିଏସି ବୈ‌ଷୟିକ ସହାୟତା ପ୍ରଦାନ କରିଛି। ଓଡ଼ିଶା ପିଏସ୍‌ୟୁ ବିପଦ ଅନୁଶୀଳନ ପାଇଁ ଆଇଏମ୍ଏଫ୍‌ର ବିଶେଷଜ୍ଞ ନବିଲ ହାମ୍‌ଲିରି ବୈଷୟିକ ସହାୟତା ପ୍ରଦାନ କରିଛନ୍ତି। ଘରୋଇ ସରକାରୀ ସହଭାଗିତା ବିପଦ ଅନୁଶୀଳନ ପାଇଁ ଆଇଏମ୍ଏଫ୍‌ର ପରାମର୍ଶଦାତା ମୁରେ ପେଟ୍ରି ଓ ଫ୍ରିଜ୍ ଫ୍ଲୋରିଆନ୍ ବ୍ୟାକ୍‌ମାୟାର ସହାୟତା ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର