ହୀରାକୁଦରୁ ପ୍ରଥମ ବନ୍ୟାଜଳ ଛଡାଗଲା: ତେବେ ବର୍ଷା କମୁଛି, ବନ୍ୟା ବିପଦ ଟଳୁଛି

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ପଶ୍ଚିମ ଓଡ଼ିଶାରେ ଗତ କେତେ ଦିନ ଧରି ପ୍ରବଳ ବର୍ଷା ହେବା ଫଳରେ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ବର୍ଷା ଧୀରେ ଧୀରେ କମୁଛି ଏବଂ ବିପଦ ଟଳୁଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର୍‌ ବିଷ୍ଣୁପଦ ସେଠୀ କହିଛନ୍ତି। ମହାନଦୀରେ ବଡ଼ ଧରଣର ବନ୍ୟା ଆଶଙ୍କା ନାହିଁ ବୋଲି ଜଳସଂପଦ ସଚିବ ପ୍ରଦୀପ ଜେନା ପ୍ରକାଶ କରିଛନ୍ତି।

ଆଜି ସ୍ୱତନ୍ତ୍ର ରିଲିଫ କମିଶନର୍‌ ବିଷ୍ଣୁପଦ ସେଠୀ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ବଲାଙ୍ଗୀର ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ କେବଳ ବଲାଙ୍ଗୀର ବ୍ଲକ୍‌ରେ ୫୫୫ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା। ପୁଇଁତଳା ବ୍ଲକ୍‌ରେ ୨୩୮ ମିଲିମିଟର ବର୍ଷା ହୋଇଛି। ତରଭା ବ୍ଲକ୍‌ରେ କିଛି ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ୧୯ଟି ବ୍ଲକ୍‌ର ୧୩୪ ଗାଁର ଲୋକେ ପ୍ରବଳ ବର୍ଷା ଓ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ୨ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ୫୦ ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି।

ଜଳସମ୍ପଦ ବିଭାଗ ସୂତ୍ରରୁ ପ୍ରକାଶ ଯେ, ମହାନଦୀ ମୁଣ୍ଡଳୀ ବ୍ୟାରେଜ ନିକଟରେ ଆସନ୍ତାକାଲି ୧୧ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେବ ବୋଲି ଆକଳନ କରାଯାଇଛି। ମୁଣ୍ଡଳୀ ବ୍ୟାରେଜରେ ଆଜି ସକାଳେ ୪ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଛି। ପୂର୍ବରୁ ୬ଟି ଗେଟ୍‌ ଖୋଲା ଯାଇଥିଲା।

ଆଜି ସକାଳ ୧୧ଟା୨୬ ମିନିଟ୍‌ରେ ହୀରାକୁଦ ଜଳଭଣ୍ଡାରରୁ ଗୋଟିଏ ଗେଟ୍‌ (୭ନମ୍ବର ଗେଟ୍‌) ଦେଇ ପ୍ରଥମ ବନ୍ୟାଜଳ ଛଡ଼ାଯାଇଛି। ଏଥିରୁ ୧୫୫୦୦ କ୍ୟୁସେକ୍‌ ଜଳ ନିଷ୍କାସନ ହେଉଛି। ଏହି ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ହୋଇଥିବା ବେଳେ ଏବେ ଏହାର ଜଳସ୍ତର ୬୧୮ ଫୁଟ ରହିଛି। ଆଜି ଜଳଭଣ୍ଡାରରୁ ବନ୍ୟା ଜଳ ଛାଡିବା ପୂର୍ବରୁ ପୂଜାର୍ଚ୍ଚନା ହୋଇଥିଲା ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର