କୋଲାବରୁ ପ୍ରଥମ ବନ୍ୟା ଜଳ ନିଷ୍କାସିତ

କୋରାପୁଟ : କୋଲାବ ଜଳଭଣ୍ଡାରରୁ ଚଳିତବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସିତ ହୋଇଛି। ୫ନମ୍ବର ସ୍ଲୁଇସ୍‌ଗେଟ୍‌ ଦେଇ ସେକେଣ୍ଡକୁ ୪୦୦ କ୍ୟୁବିକ୍‌ ମିଟର ଜଳ ନିଷ୍କାସନ କରାଯାଉଛି। ଦୀର୍ଘ ୧୨ ବର୍ଷ ପରେ ଜଳ ଭଣ୍ଡାରରୁ ବନ୍ୟା ଜଳ ନିଷ୍କାସନ କରାଯାଉଥିଲାବେଳେ ଜଳସ୍ତର ନିୟନ୍ତ୍ରଣକୁ ଆସିବା ପର୍ଯ୍ୟନ୍ତ ଏହି ଗୋଟିଏ ଗେଟ୍‌ ଖୋଲା ରହିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଏପଟେ ଗେଟ ଖୋଲିବା ଦ୍ୱାରା କୋରାପୁଟ ଅନ୍ତର୍ଗତ ୪ଟି ବ୍ଲକ୍‌ର ୨୦ଟି ଗ୍ରାମ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ସତର୍କ ସୂଚନା ଜାରି କରିଛି ପ୍ରଶାସନ।

ଜୁଲାଇ ମାସରୁ କୋରାପୁଟ ଜିଲ୍ଲାରେ ବର୍ଷା ଲାଗି ରହିଛି। ଫଳରେ କୋଲାବ ଜଳଭଣ୍ଡାରର ଜଳସ୍ତର ବଢ଼ିବଢ଼ି ଚାଲିଛି। ଆଜି ଏହାର ଜଳସ୍ତର ବୃଦ୍ଧି ପାଇ ୮୫୬.୭୦ ମିଟରରେ ପହଞ୍ଚିଥିଲା। ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୮୫୮ମିଟର ରହିଥିଲାବେଳେ ବିପଦସଙ୍କେତ ରହିଛି ୮୫୫ ମିଟର। ପୁଣି କୋଲାବର ଉପର ମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ଜଳ ଭଣ୍ଡାର ଅଧିକ ଫୁଲିବାର ଆଶଙ୍କା ରହିଥିଲା। ତେଣୁ ଆଜି ସ୍ଲୁଇସ ଗେଟ ଖୋଲି ବନ୍ୟା ଜଳ ନିଷ୍କାସନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ବୋଲି ଉପର କୋଲାବ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁରେନ୍ଦ୍ର କୁମାର ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର