କଟକରେ ପ୍ରଥମ ହନିଟ୍ରାପ୍: ଠକିଦେଲା ସ୍କଟ୍‌ଲ୍ୟାଣ୍ଡ୍‌ର ବର, ପୋଛିନେଲା ୮ ଲକ୍ଷ

ସାଇବର ଥ‌ାନାର ଦ୍ବାରସ୍ଥ ହେଲେ ଯୁବତୀ

କଟକ : ସ୍କଟ୍‌ଲ୍ୟାଣ୍ଡରେ ଘର ଏବଂ ଲଣ୍ଡନରେ ଜାହାଜରେ ଇଞ୍ଜିନିୟର ଥିବା ବର ହନିଟ୍ରାପରେ କଟକର ଜଣେ ଯୁବତୀଙ୍କୁ ଫସାଇ ଦେଇଛି। ନାଇଜେରିଆନ୍ ସାଇବର୍ ଅପରାଧୀ ଗ୍ୟାଙ୍ଗ୍ ନିଜକୁ ଏଭଳି ଜାହାଜ ଇଞ୍ଜିନିୟରର ଜାଲ୍‌ ପରିଚୟ ଦେଇ ବିଡ଼ାନାସୀ ଅଞ୍ଚଳର ଜଣେ ଯୁବତୀଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ୭ ଲକ୍ଷ ୯୫ ହଜାର ଟଙ୍କା ଲୁଟି ନେଇଛି। କଟକରେ ହନିଟ୍ରାପରେ ଜଣେ ଯୁବତୀ ଫସିବା ଘଟଣା ପ୍ରଥମ ବୋଲି କୁହାଯାଉଛି। ସାଇବର୍ ଥାନାରେ ଏ ସଂକ୍ରାନ୍ତରେ ମାମଲା ରୁଜୁ ହୋଇଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ସୂଚନା ଅନୁଯାୟୀ, ବିଡାନାସୀ ଅଞ୍ଚଳର ଜଣେ ଯୁବତୀ ଏକ ଘରୋଇ କମ୍ପାନିରେ ପାର୍ଟ ଟାଇମ୍ କାମ କରନ୍ତି। ତାଙ୍କ ବାପାମା’ଙ୍କ ଦେହାନ୍ତ ହୋଇଯାଇଥିବାରୁ ଘରେ ଆର୍ଥିକ ସମସ୍ୟା ଲାଗି ରହିଥିଲା। ବାପା ବ୍ୟାଙ୍କ୍ ଆକାଉଣ୍ଟରେ କିଛି ଟଙ୍କା ରଖିଥିଲେ। ଗଲା ଦୁଇମାସ ତଳେ ଏହି ଯୁବତୀ ଇନ୍‌ଷ୍ଟାଗ୍ରାମରେ ଅହମ୍ମଦ ଡାନିଆଲ ନାଁରେ ଜଣେ ଯୁବକଙ୍କ ସମ୍ପର୍କରେ ଆସିଥିଲେ। ସମ୍ପୃକ୍ତ ଯୁବକ ନିଜକୁ ସ୍କଟ୍‌ଲ୍ୟାଣ୍ଡର ବାସିନ୍ଦା କହିଥିବା ବେଳେ ଲଣ୍ଡନରେ ଜାହାଜରେ ଇଞ୍ଜିନିୟର ବୋଲି ନିଜକୁ ପରିଚୟ ଦେଇଥିଲେ। ମୋଟା ଅଙ୍କର ଟଙ୍କା ରୋଜାଗାର କରୁଥିବା କହିଥିଲେ। ଯୁବତୀଙ୍କ ସହିତ ପ୍ରଥମେ ବନ୍ଧୁତାପୂର୍ଣ୍ଣ ସମ୍ପର୍କ ଯୋଡ଼ିବା ପରେ ପ୍ରେମ ଆଡ଼କୁ କଥା ଯାଇଥିଲା। ଅହମ୍ମଦ ପ୍ରଥମେ ପ୍ରେମ ନିବେଦନ କରିବା ସହିତ ବାହା ହେବାପାଇଁ ପ୍ରତିଶ୍ରୁତି ଦେଇଥିଲେ। ବାହାଘର ପରେ ଉଭୟ ଲଣ୍ଡନରେ ରହିବା ନେଇ ନିଷ୍ପତ୍ତି ହୋଇଥିଲା। ଯୁବତୀଙ୍କୁ ସୁନା ସମେତ ବିଦେଶୀ ବ୍ୟାଗ୍, ଚପଲ୍, ଡଲାର୍ ପଠାଇଥିବା ଇନଷ୍ଟାଗ୍ରାମ୍ ଚାଟ୍‌ରେ କହିଥିଲେ। କିଛିଦିନ ପରେ ଅହମ୍ମଦ ଯୁବତୀଙ୍କ ସହିତ ଚାଟ୍ କରି ଏହି ଉପହାର ଗୁଡିକୁ ବିମାନ ବନ୍ଦରରେ କଷ୍ଟମ ବିଭାଗର ଅଧିକାରୀ ଜବତ କରିଥିବା ସମ୍ପର୍କରେ ସୂଚନା ଦେଇଥିଲେ। ଏହି ପ୍ୟାକେଟ୍ ରିଲିଜ୍ କରିବା ସହିତ ଡେଲିଭରି ଚାର୍ଜ ବାବଦ ୭ ଲକ୍ଷ ୯୫ ହଜାର ଟଙ୍କା ଦେବାକୁ କହିଥିଲେ। ଯୁବତୀ ଜଣକ ୪ ଟି ବ୍ୟାଙ୍କ୍ ଆକାଉଣ୍ଟରେ ବିଭିନ୍ନ ପର୍ଯ୍ୟାୟରେ ଏହି ଟଙ୍କା ପଠାଇଥିଲେ। ଟଙ୍କା ଅହମ୍ମଦ ଦେଇଥିବା ବ୍ୟାଙ୍କ୍ ଆକାଉଣ୍ଟକୁ ଟ୍ରାନସଫର୍ ହେବାପରେ ଅହମ୍ମଦ ଯୁବତୀଙ୍କ ସହିତ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ କରିଦେଇଛି।

ଯୁବତୀ ଜଣକ ଠକାମିରେ ପଡ଼ିଥିବା ଜାଣିପାରି କଟକ କମିସନରେଟ୍ ପୁଲିସର ସାଇବର୍ ଥାନାରେ ଆଜି ରାତିରେ ଏତଲା ଦେଇଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ୪ଟି ବ୍ୟାଙ୍କ୍ ଆକାଉଣ୍ଟର ସମ୍ପର୍କରେ ଖୋଳତାଡ଼ ଆରମ୍ଭ କରିଛି। ଏହି ଆକାଉଣ୍ଟ ଭାରତରେ ଖୋଲାଯାଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି। ତେବେ ଜାମତାରା କିମ୍ବା ନାଇଜେରିଆନ୍ ଗ୍ୟାଙ୍ଗ୍ ଏହି ହନିଟ୍ରାପ୍ ପଛରେ ସମ୍ପୃକ୍ତ ଥିବା କୁହାଯାଉଛି।

ସମ୍ବନ୍ଧିତ ଖବର