ବରଗଡ଼: ଆସନ୍ତା ଧନୁଯାତ୍ରା ପାଇଁ କଳାକାର ଚୟନ ହେବ ନା ନାହିଁ? ବେଶ୍‌ କିଛି ଦିନ ଧରି ଚର୍ଚ୍ଚା ଜୋର୍‌ ଧରିଥିଲା। ସୋସିଆଲ୍‌ ମିଡିଆରେ ବି ତୁମ୍ବିତୋଫାନ ହୋଇଥିଲା। କଳାକାର ଚୟନ ସସ୍‌ପେନ୍ସରେ ସୋମବାର ବିରାମ ଲାଗିଛି। ଧନୁଯାତ୍ରା ମହୋତ୍ସବ ସାଧାରଣ ପରିଷଦ ବୈଠକରେ ଆଲୋଚନା ଜରିଆରେ ଏନେଇ କିଛି ଚୂଡ଼ାନ୍ତ ନିଷ୍ପତ୍ତି ‌ହୋଇନଥିଲା। ବୈଠକ ପ୍ରାରମ୍ଭରୁ ତୁତୁ ମେମେ ଲାଗିଥିଲା। କଳାକାର ଚୟନ ନିଷ୍ପତ୍ତି ପାଇଁ ଭୋଟିଂର ସାହାରା ନିଆଗଲା। ଶେଷରେ ଏଥର କଂସ ସମେତ ଅନ୍ୟ କଳାକାର ଚୟନ ସପକ୍ଷରେ ଫଳାଫଳ ବାହାରିଥିଲା। ସାଧାରଣ ପରିଷଦର ୫୦ଜଣ ସଦସ୍ୟଙ୍କ ମଧ୍ୟରୁ ୧୯ ଜଣ ଭୋଟିଂରେ ଭାଗ ନେଇଥିଲେ। ୧୪ ଜଣ କଳାକାର ଚୟନ କରାଯାଉ ବୋଲି ଭୋଟ୍‌ କରିଥିଲେ।

Advertisment

୫ଜଣ ଚୟନ ନ ହେଉ ବୋଲି ଭୋଟିଂ କରିଥିଲେ। ଧନୁଯାତ୍ରା ଇତିହାସରେ ଏହା ଏକ ପ୍ରଥମ ଏବଂ ବିରଳ ଘଟଣା। ସୋମବାର ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତରେ ସାଧାରଣ ପରିଷଦର ଦ୍ବିତୀୟ ବୈଠକ ବସିଥିଲା। ଅଗଷ୍ଟ ୨୪ ତାରିଖ ପ୍ରଥମ ବୈଠକରେ ନୂଆ କଳାକାର ଚୟନ ହେବ ବୋଲି ପ୍ରସ୍ତାବ ପଡ଼ିଥିଲା। କିନ୍ତୁ ଏଥିରେ କିଛି ଅଗ୍ରଗତି ହୋଇନଥିଲା। ପରେ କଳାକାର ସମନ୍ବୟ କମିଟିର ନିଷ୍ପତ୍ତିକୁ ଅପେକ୍ଷା କରାଗଲା। କିନ୍ତୁ କମିଟି‌ର ବୈଠକରେ ବି ମତଭେଦ ଆରମ୍ଭ ହୋଇଥିଲା। ଫଳରେ ସାଧାରଣ ପରିଷଦ ବୈଠକ ପୁଣି ଡକା ଯାଇଥିଲା। ଯେଉଁଥିରେ ସାଂସଦ ସୁରେଶ ପୂଜାରୀ, ବିଧାୟକ ଦେବେଶ ଆଚାର୍ଯ୍ୟ, ଏସ୍‌ପି ପରମାର ସ୍ମିତ୍‌ ପୁରୁଷୋତ୍ତମଦାସ, ଧନୁଯାତ୍ରା ମହୋତ୍ସବ ସମିତିର ଆବାହକ ସୁରେଶ୍ବର ଶତପଥୀଙ୍କ ସମେତ ବିଭିନ୍ନ କମିଟିର ପ୍ରତିନିଧି ଏବଂ ସାଧାରଣ ପରିଷଦର ସଦସ୍ୟମାନେ ଯୋଗ ଦେଇଥିଲେ। ବୈଠକ ପ୍ରାରମ୍ଭରେ କିଛି ସଦସ୍ୟ କଳାକାର ଚୟନ କରାନଯାଉ ବୋଲି ଯୁକ୍ତି ରଖିଥିଲେ। ଆଉ କିଛି ଚୟନ ସପକ୍ଷରେ ମତ ରଖିଥିଲେ। ବେଶ୍‌ କିଛି ସମୟ ହୋହଲ୍ଲା ଚାଲିଥିଲା। ସ୍ଥିତି ମତ କିମ୍ବା ଯୁକ୍ତି ବାହାରକୁ ଚାଲି ଯାଇଥିଲା।

ଫଳରେ ଭୋଟିଂ ମାଧ୍ୟମରେ ଫଇସଲା ହୋଇଥିଲା। ଇଚ୍ଛୁକ କଳାକାରମାନେ ଆସନ୍ତା ୨୨ ତାରିଖରୁ ଆବେଦନ ଫର୍ମ ନେବେ ଏବଂ ୩୦ ତାରିଖ ଭିତରେ ଦାଖଲ କରିବେ। ନଭେମ୍ବର ୧୦ ତାରିଖ ଭିତରେ ଚୟନ ପ୍ରକ୍ରିୟା ଶେଷ ହେବ ବୋଲି ନିଷ୍ପତ୍ତି ହୋଇଛି।