ଭୁବନେଶ୍ବର: କିଛି ବର୍ଷ ହେବ ରାଜ୍ୟରେ ବେଧଡ଼କ ଭାବେ ବଢ଼ିଚାଲିଥିବା ବ୍ରାଉନ୍ସୁଗାର କାରବାର ଉପରେ ରୋକ ଲଗାଇବା ପାଇଁ ପୁଲିସ ଓ ଏସ୍ଟିଏଫ୍ ଅଣ୍ଟା ଭିଡିଥିବା ବେଳେ ରାଜଧାନୀରେ କୋକେନ୍ ପ୍ରବେଶ ପୁଲିସ ପାଇଁ ଚିନ୍ତାରକାରଣ ପାଲଟିଛି। ଏସ୍ଟିଏଫ୍ ଟିମ୍ ପ୍ରଥମ ଥର ପାଇଁ ରାଜଧାନୀରୁ ୨୦୨ ଗ୍ରାମ ଓଜନର କୋକେନ୍ ଜବତ କରିବା ସହ ଦୁଇ ମାଫିଆଙ୍କୁ ଗିରଫ କରିଛି। ସେମାନେ ହେଲେ ରାଜସ୍ଥାନ ଚୁରୁ ଜିଲ୍ଲା ହାମିର୍ବାସ ଅଞ୍ଚଳର ରଭି ସିଂ ଓ ଝୁନ୍ଝୁନ୍ ଜିଲ୍ଲା ଖାଡଖାଡ଼ି ଅଞ୍ଚଳର ସନ୍ନି କୁମାର। ସନ୍ନି ନୂଆପଲ୍ଲୀ ଥାନା ସାଲିଆସାହି ତାରିଣୀନଗର ଅଞ୍ଚଳରେ ରୁହେ। ଜବତ କୋକେନ୍ର ମୂଲ୍ୟ ୨କୋଟି ଟଙ୍କାରୁ ଊର୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି। ତେବେ କୋକେନ୍ ଜବତ ଘଟଣା ରାଜ୍ୟରେ ପ୍ରଥମ। ଏହି ଗ୍ୟାଙ୍ଗର ଚେର ରାଜଧାନୀରୁ ଦିଲ୍ଲୀ ଯାଏ ଲମ୍ବିଥିବା ଜଣାପଡ଼ିଛି।
ବିଶେଷସୂତ୍ରରୁ ଏସ୍ଟିଏଫ୍ ହାତରେ ଖବର ଲାଗିଥିଲା ଯେ, କେହି ଅଣଓଡ଼ିଆ ବ୍ୟବସାୟୀ ବିପୁଳ ପରିମାଣର କୋକେନ୍ ନେଇ ରାଜଧାନୀ ଆସିଛନ୍ତି। ଭୁବନେଶ୍ବରରେ ରହୁଥିବା ତାଙ୍କର ଜଣେ ସହଯୋଗୀ ମାଧ୍ୟମରେ ରାଜଧାନୀର ଚିହ୍ନଟ ବ୍ୟବସାୟୀ ଓ ଗ୍ରାହକଙ୍କୁ କୋକେନ୍ ଦିଆଯାଇଥାଆନ୍ତା। ଏଥିପାଇଁ ଡିଲ୍ ସରିଥିଲା। ଖରବ ପାଇବା ମାତ୍ରେ ମଙ୍ଗଳବାର ସନ୍ଧ୍ୟାରୁ ଏସ୍ଟିଏଫ୍ ଟିମ୍ ରାଜଧାନୀର କୋଣ ଅନୁକୋଣରେ ଚକ୍କର କାଟିଥିଲା। ସେମାନେ ନୂଆପଲ୍ଲୀ ଥାନା ଜାଭିୟର କ୍ରସିଂ ନିକଟରେ ଜଣେ ବ୍ୟବସାୟୀଙ୍କୁ ଅପେକ୍ଷା କରିଥିବା ବେଳେ ଏସ୍ଟିଏଫ୍ ଟିମ୍ ଚଢ଼ଉ କରି ଦୁଇଜଣଙ୍କୁ କାବୁ କରିଥିଲା। ଉଭୟ ଏସ୍ଟିଏଫ୍କୁ ଇଂରାଜୀ ଭାଷାରେ ପାଠ ପଢ଼ାଇ ଖସିବାକୁ ଚେଷ୍ଟା କରିଥିଲେ। ଏସ୍ଟିଏଫ୍ ଟିମ୍ ବି କିଛି ସମୟ ପାଇଁ ସେମାନଙ୍କ କଥାରେ ଛନ୍ଦି ହୋଇଯାଇଥିଲା। କାରଣ ସେମାନଙ୍କ ବେଶ ପୋଷାକ, ଭାଷା ଉଚ୍ଚଶିକ୍ଷିତ ପରି ଲାଗୁଥିଲା। ହେଲେ କଥାବାର୍ତ୍ତା ସମୟରେ ସେମାନଙ୍କ ଆଚରଣ ସନ୍ଦେହଜନକ ଲାଗିବରୁ ଏସ୍ଟିଏଫ୍ ଯାଞ୍ଚ କରିଥିଲା। ଯାଞ୍ଚ କରିବାରୁ ୨୦୨ଗ୍ରାମ୍ର କୋକେନ୍ ମିଳିଥିଲା। ଉଭୟଙ୍କୁ କାବୁ କରିବା ପରେ ଏସ୍ଟିଏଫ୍ ଏନେଇ ଏକ ମାମଲା ରୁଜୁକରି ଉଭୟଙ୍କୁ କୋର୍ଟ ଚାଲାଣ କରିଛି।
ଜେରାବେଳେ ଜଣାପଡ଼ିଛି ଯେ, ମୁଖ୍ୟ ଅଭିଯୁକ୍ତର ରଭିର ରାଜସ୍ଥାନରେ ହୋଟେଲ୍ ବ୍ୟବସାୟ ରହିଛି। ହେଲେ କମନ୍ୱେଲ୍ଥ୍ ଗେମ୍ ସମୟରେ ଦିଲ୍ଲୀକୁ ଆସି ଟ୍ରାଭେଲ୍ ବ୍ୟବସାୟ ଆରମ୍ଭ କରିଥିଲା। ଆଉ ଏହି ସମୟରେ ତାର ଅନେକ ବିଦେଶୀ ପର୍ଯ୍ୟଟକ ସମ୍ପର୍କରେ ଆସିଥିଲେ। ଭଲ ଇଂରାଜୀ କହିବାରୁଥିବାରୁ ବିଦେଶୀ ପର୍ଯ୍ୟଟକ ନିକଟତର ହୋଇଥିଲା। ଆଉ ସେମାନଙ୍କ ଆବଶ୍ୟକତାକୁ ବୁଝି କୋକେନ୍ ଯୋଗାଇଥିଲା। କୋକେନ ବ୍ୟବସାୟରେ ଭଲ ଟଙ୍କା ମିଳୁଥିବାରୁ ରାତାରାତି କୋଟିପତି ହେବାର ସ୍ବପ୍ନ ଦେଖିଥିଲା। ଏହାପରେ ଦିଲ୍ଲୀର ଜଣେ ବଡ଼ କୋକେନ ମାଫିଆ ସହ ମିଶି ସ୍ଥାନୀୟ ଅଞ୍ଚଳରେ ବ୍ୟବସାୟ କରିଥିଲା। ବ୍ୟବସାୟ ବଢ଼ାଇବା ପାଇଁ ଭୁବନେଶ୍ବରରେ ଥିବା ସମ୍ପର୍କୀୟ ସନ୍ନି ସହ ଯୋଗାଯୋଗ କରିଥିଲା। ରାଜଧାନୀରେ କେମିତି କୋକେନ୍ ବ୍ୟବସାୟ କରି ମୋଟା ଅର୍ଥ ରୋଜଗାର କରିବ ତାଙ୍କୁ ବୁଦ୍ଧି ଦେଇଥିଲା। ଆଉ ସେବେଠାରୁ ବ୍ୟବସାୟ କରିଥିଲେ ବି କେହି ଟେର୍ପାଇ ନଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/d54g564g56d4g5d6gdgdaad.jpg)