ଭୁବନେଶ୍ୱର: ଦେବଗଡ଼ ଜିଲ୍ଲାର ପାଉଡ଼ି ଭୂୟାଁ ସମ୍ପ୍ରଦାୟର ୩୨ଟି ଗାଁକୁ ସରକାର ଜଙ୍ଗଲ ଅଧିକାର ଆଇନ (ଏଫ୍ଆରଏ) ଅଧୀନରେ ପାରମ୍ପରିକ ବାସସ୍ଥଳୀ ଅଧିକାର ମିଳିଛି। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଲୋକସେବା ଭବନରେ ଏହି ସମ୍ପ୍ରଦାୟର ବରିଷ୍ଠ ଲୋକମାନଙ୍କୁ ଅଧିକାର ପ୍ରଦାନ କରିଛନ୍ତି। ଓଡ଼ିଶା ସରକାରଙ୍କର ଏହି ପଦକ୍ଷେପ ଯୋଗୁ ୩୨ ଗାଁର ଶତାଧିକ ପରିବାର ଉପକୃତ ହେବେ। ଏହି ଆଦିମ ଜନଜାତି (ପିଭିଟିଜି) ପାଉଡ଼ି ଭୂୟାଁ ହେଉଛନ୍ତି ଓଡ଼ିଶାର ପ୍ରଥମ ଆଦିବାସୀ ସମ୍ପ୍ରଦାୟ ଯିଏ କି ପାରମ୍ପରିକ ଆବାସସ୍ଥଳୀ ଉପରେ ଅଧିକାର ପାଇଛନ୍ତି। ଆଦିମ ଜନଜାତିଙ୍କୁ ଜଙ୍ଗଲ ଜମି ଉପରେ ଆଇନଗତ ମାଲିକାନା ଓ ଅଧିକାର ଦିଆଯାଇଥିବା ପାଉଡି ଭୂୟାଁମାନେ ହେଉଛନ୍ତି ଚତୁର୍ଥ ଆଦିମ ଜନଜାତି। ପୂର୍ବରୁ ମଧ୍ୟପ୍ରଦେଶର ଭାରିଆ ଏବଂ ଛତିଶଗଡ଼ର କମାର ଓ ବାଇଗା ଆଦିମ ଜନଜାତିଙ୍କୁ ଜଙ୍ଗଲ ଜମି ଉପରେ ଆଇନଗତ ମାଲିକାନା ଦିଆଯାଇଥିଲା। ଓଡ଼ିଶାରେ ଅନ୍ୟ ରାଜ୍ୟ ତୁଳନାରେ ସର୍ବାଧିକ ୧୩ଟି ପିଭିଟିଜି ସମ୍ପ୍ରଦାୟ ରହିଛନ୍ତି।

Advertisment

ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ କମିସନର ତଥା ସଚିବ ରୂପା ରୋଶନ ସାହୁ ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ମୁହୂର୍ତ୍ତ କହିଥିବା ବେଳେ ବିଭାଗୀୟ ନିର୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ରାଜ୍ୟ କାର୍ଯ୍ୟକ୍ରମ ପରିଚାଳନା ୟୁନିଟ୍‌ର ନିରନ୍ତର ପ୍ରୟାସ ଯୋଗୁ ଏହା ସରକାରୀ ସ୍ୱୀକୃତିରେ ପରିଣତ ହୋଇଥିବା ସୂଚନା ଦେଇଥିଲେ। ଦେବଗଡ଼ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଏହା ସେମାନଙ୍କ ନିଜସ୍ବ ବାସସ୍ଥାନ, ପିଢ଼ିଗତ ଜ୍ଞାନ, ସାଂସ୍କୃତିକ ପରିଚୟ ଓ ଜୀବିକାର ସୁରକ୍ଷା ସୁନିଶ୍ଚିତ କରିବ ବୋଲି କହିଥିଲେ। ସାରଣାପୁଟ ଗ୍ରାମର ଜଙ୍ଗଲ ଅଧିକାର ସମିତି (ଏଫ୍ଆରସି) ସଭାପତି ତେଲା ପ୍ରଧାନ (୨୯) ସମସ୍ତ ଅଧିବାସୀଙ୍କୁ ଉନ୍ନତ ଜୀବିକା ଯୋଗାଇବାରେ ଏହା ସହାୟକ ହେବ ବାଲି କହିଥିଲେ। ସୂଚନାଯୋଗ୍ୟ, ୨୦୨୧ରେ ବାରକୋଟ ତହସିଲ ବାମୁଣ୍ଡା ଆଞ୍ଚଳିକା ପାଉଡ଼ି ଭୂୟାଁ ସମାଜ ଜରିଆରେ ଆବାସ ଅଧିକାର ଦାବିପତ୍ର ଦାଖଲ ହୋଇଥିଲା। ଦାବିର ସମୀକ୍ଷା କରାଯାଇ ଅନୁମୋଦନ ମିଳିଥିଲା। ଏହି ପ୍ରକ୍ରିୟାରେ ମା’ ରମ୍ଭା ଦେବୀ ପବିତ୍ର ପୀଠରେ ସାଂସ୍କୃତିକ ଓ ଧାର୍ମିକ ଅଧିକାର ପାଇଁ ମଧ୍ୟ ଅନୁମୋଦନ ମିଳିଛି।