ଓଡ଼ିଶାରେ ପ୍ରଥମ: ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହେଲା କ୍ରୁଜ୍ ବୋଟିଂ ସେବା

ବୁର୍ଲା: ହୀରାକୁଦ ଜଳଭଣ୍ଡାରରେ ଆଜିଠାରୁ ଆରମ୍ଭ ହୋଇଛି କ୍ରୁଜ୍ ବୋଟିଂ ସେବା। ରାଜ୍ୟ ପର୍ଯ୍ୟଟନ ବିଭାଗର ଅନୁମତି କ୍ରମେ ଏକ ଘରୋଇ ସଂସ୍ଥା ଦ୍ୱାରା ଏହି ବୋଟିଂ ସେବା ଆରମ୍ଭ ହୋଇଛି। ବୁର୍ଲା  ଭିମସାରର ମେଡିସିନ୍‌ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡା.ଶଙ୍କର ରାମଚନ୍ଦାନୀ ଏବଂ ତାଙ୍କ ଧର୍ମପତ୍ନୀ ଡା. ଶିଖା ରାମଚନ୍ଦାନୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ସେବାକୁ ଉଦ୍‌ଘାଟନ କରିଥିଲେ। ଜଳଭଣ୍ଡାରରେ ବୋଟିଂ ବ୍ୟବସ୍ଥା ଆରମ୍ଭ କରିଥିବା ସଂସ୍ଥାର ନିର୍ଦେଶକ ଶେଖ୍ ଅସିମ୍ ବଖସ୍  ନିଜେ ଆଜିର ଉଦ୍‌ଘାଟନୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

କ୍ରୁଜ୍‌କୁ ବିଭିନ୍ନ ରଙ୍ଗର ବେଲୁନ୍ ତଥା ଫୁଲରେ ସଜାଯାଇଥିଲା। ଅତିଥିମାନେ କ୍ରୁଜ୍ ଭିତରକୁ ପ୍ରବେଶ କରିବା ପରେ ଭିତରେ କେକ୍ ମଧ୍ୟ କାଟାଯାଇଥିବା ଦେଖିବାକୁ ମିଳିଥିଲା। କ୍ରୁଜ୍‌ରେ ଏକାସାଙ୍ଗରେ ୪୦ ଜଣ ପର୍ଯ୍ୟଟକ ବସିବାର ବ୍ୟବସ୍ଥା ରହିଛି। ଏଥି ସହିତ ଚା’, କଫି, ପାଣି, ଥଣ୍ଡା ପାନୀୟ ଏବଂ ଜଳଖିଆ ପାଇଁ ମଧ୍ୟ କ୍ରୁଜ୍ ମଧ୍ୟରେ ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। ଏହି କ୍ରୁଜ୍‌ରେ ବସି ପର୍ଯ୍ୟଟକମାନେ ଝାଙ୍କରାଣୀ ଘାଟରୁ ଦେବ୍ରିଗଡ ପର୍ଯ୍ୟନ୍ତ ବୁଲିବାର ସୁଯୋଗ ପାଇ ପାରିବେ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।

କ୍ରୁଜ୍‌ରେ ବୁଲିବାକୁ ହେଲେ ଜଣେ ପର୍ଯ୍ୟଟକଙ୍କୁ ଏସିରେ ଯିବାକୁ ହେଲେ ୫ଶହ ଟଙ୍କା ଏବଂ ବିନା ଏସିରେ ୪ ଶହ ଟଙ୍କା ଦେବାକୁ ପଡ଼ିବ। ପ୍ରତିଦିନ ଅପରାହ୍‌ଣ ସାଢ଼େ ୪ଟାରୁ ସାଢ଼େ ୫ଟା ପର୍ଯ୍ୟନ୍ତ ଚାଲିବ। ଏହା ବ୍ୟତୀତ ପର୍ଯ୍ୟଟକମାନେ ଏହାକୁ ଘଣ୍ଟା ପ୍ରତି ୧୦ ହଜାର ଟଙ୍କା ଏବଂ ଦୁଇ ଘଣ୍ଟାରେ ୧୫ ହଜାର ଟଙ୍କା ଦେଇ ଜନ୍ମଦିନ, ବିବାହ ଏନ୍‌ଗେଜମେଣ୍ଟ ପାର୍ଟି ତଥା ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର କରି ପାରିବେ। ଏହା ବ୍ୟତିତ କ୍ରୁଜ୍ ମଧ୍ୟରେ ବିଭିନ୍ନ ପ୍ରକାର ଜଳଖିଆ ଏବଂ ଚା’ କଫି ପାଇଁ ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ନିଜ ମନ ପସନ୍ଦ ଜିନିଷ ଖାଇ ପାରିବେ ବୋଲି ସଂସ୍ଥାର ପରିଚାଳନା ନିର୍ଦେଶକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର