ଆର୍ଥିକ ବର୍ଷ ୨୦୨୫-୨୬ରେ ରେଳବାଇକୁ ୨,୫୨,୨୦୦ କୋଟି ଟଙ୍କା ଦିଆଯାଇଛି। ପୂର୍ବ ଆର୍ଥିକ ବର୍ଷରେ ଯେତିକି ଟଙ୍କା ଦିଆଯାଇଥିଲା, ଏଥର ପ୍ରାୟ ସେତିକି ଟଙ୍କା ଦିଆଯାଇଛି। ରେଳବାଇର ରାଜସ୍ବ ଓ ପୁଞ୍ଜି ବ୍ୟୟକୁ ମିଶାଇ ମୋଟ ୫,୬୪,୨୫୮ କୋଟି ଟଙ୍କାର ବଜେଟ୍‌ ପ୍ରସ୍ତୁତ କରାଯାଇଛି। ପୁଞ୍ଜି ବ୍ୟୟରେ ନୂଆ ରେଳ ଧାରଣା ବିଛାଇବା ଲାଗି ୩୨,୨୩୫ କୋଟି ଟଙ୍କା, ଗେଜ୍ ପରିବର୍ତ୍ତନକୁ ୪୫୫୦ କୋଟି ଟଙ୍କା, ରେଳ ଧାରଣାର ଦୋହରୀକରଣ ପାଇଁ ୩୨,୦୦୦ କୋଟି ଟଙ୍କା ଦିଆଯାଇଛି। ୟାର୍ଡ ରିମଡେଲିଂକୁ ୮୬୦୧ କୋଟି ଟଙ୍କା, କମ୍ପ୍ୟୁଟରୀକରଣ ବାବଦକୁ ୪୨୮ କୋଟି ଟଙ୍କା, ଗବେଷଣା ପାଇଁ ୬୦ କୋଟି ଓ ରୋଲିଂ ଷ୍ଟକ୍‌ ପାଇଁ ୫୮,୮୯୪ କୋଟି ଟଙ୍କା ପ୍ରଦାନ କରାଯାଇଛି। ଲିଜ୍‌‌ ସମ୍ପତ୍ତି ପାଇଁ ୨୭,୯୦୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଲେବଲ୍‌ କ୍ରସିଂ ପାଇଁ ୭୦୬ କୋଟି ଟଙ୍କା, ରେଳ ଧାରଣା ନବୀକରଣ ପାଇଁ ୨୨,୮୦୦ କୋଟି ଟଙ୍କା, ସିଗ୍‌ନାଲ୍ ଓ ଟେଲିଯୋଗାଯୋଗକୁ ୬୮୦୦ କୋଟି ଟଙ୍କା, ବିଦ୍ୟୁତ୍‌କରଣ ପ୍ରକଳ୍ପ ଲାଗି ୬୧୫୦ କୋଟି ଟଙ୍କା, ମେସିନ୍ ଓ କାରଖାନା ଲାଗି ୫୦୫ କୋଟି ଟଙ୍କ‌ା, କର୍ମଚାରୀ କଲ୍ୟାଣ ପାଇଁ ୮୩୩ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। 

Advertisment

ରେଳ ଇତିହାସରେ ପ୍ରଥମ
ଯାତ୍ରୀ ଭଡ଼ାରୁ ୯୨,୮୦୦ କୋଟି
ମାଲ୍ ପରିବହନରୁ ୧,୮୮,୦୦୦ କୋଟି
୧୦୦ ଟଙ୍କା ଆୟ ପାଇଁ ୯୮.୪୩ ଟଙ୍କା ବ୍ୟୟ

ରେଳବାଇର ଆୟ ସମ୍ପର୍କରେ ଉପସ୍ଥାପନ କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି ଯେ ଏହା ୨୦୨୪-୨୫ ତୁଳନାରେ ଯାତ୍ରୀ ଭଡ଼ାରୁ ଅଧିକ ଆୟ କରିବାକୁ ଲକ୍ଷ୍ୟ ରହିଛି। ଗତ ଆର୍ଥିକ ବର୍ଷରେ ଯାତ୍ରୀ ଭଡ଼ା ଲକ୍ଷ୍ୟ ୮୦ ହଜାର କୋଟି ଟଙ୍କା ଥିଲା। ତାହାକୁ ୯୨୮୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ତେବେ ମାଲ୍‌ ପରିବହନରୁ ଆୟକୁ ୧,୮୮,୦୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ଯାହା ପୂର୍ବବର୍ଷ ୧,୮୦,୦୦୦ କୋଟି ଟଙ୍କା ଥିଲା। ରେଳବାଇର ମୋଟ୍ ରାଜସ୍ବ ପ୍ରାପ୍ତି ୩,୦୨,୧୦୦ କୋଟି ଟଙ୍କା ଆକଳନ କରାଯାଇଛି। କେନ୍ଦ୍ର ସରକାର ବଜେଟ୍‌ ସହାୟତା ସ୍ବରୂପ ରେଳବାଇକୁ ୨,୫୨,୨୦୦ କୋଟି ଟଙ୍କା ପ୍ରଦାନ କରିବେ। 

ରେଳବାଇର ଆର୍ଥିକ ସ୍ବାସ୍ଥ୍ୟକୁ ଆକଳନ କରିବାର ପ୍ରମୁଖ ମାନଦଣ୍ଡ ପରିଚାଳନା ଅନୁପାତ ୯୮.୪୩ ପ୍ରତିଶତ ରଖାଯାଇଛି। ଅର୍ଥାତ ପ୍ରତି ୧୦୦ ଟଙ୍କା ଆୟ କରିବା ଲାଗି ରେଳବାଇ ୯୮ ଟଙ୍କା ୪୩ ପଇସା ବ୍ୟୟ କରିବ। ୨୦୨୪-୨୫‌ରେ ପରିଚାଳନା ଅନୁପାତ ୯୮.୯୦ ପ୍ରତିଶତ ଥିଲା। ଏଥର ସେଥିରେ ଉନ୍ନତି ହେବ ବୋଲି ବଜେଟ୍‌ରେ ଆକଳନ କରାଯାଇଛି। ରେଳବାଇ ସମ୍ପର୍କରେ ଅର୍ଥମନ୍ତ୍ରୀ ନିଜ ବଜେଟ୍‌ ଅଭିଭାଷଣରେ ବିଶେଷ କିଛି କହିନାହାନ୍ତି। କେବଳ ରକ୍ଷଣାବେକ୍ଷଣ, ମରାମତି ଓ ଓଭରହାଉଲ୍‌ (ଏମ୍‌ଆର୍‌ଓ) ଶିଳ୍ପ ପାଇଁ କେତେକ ରିହାତି ଘୋଷଣା କରାଯାଇଛି। ପୂର୍ବରୁ ବିମାନ ଚଳାଚଳ ଓ ଜାହାଜ କ୍ଷେତ୍ରର ଏମ୍‌ଆର୍‌ଓ ପାଇଁ ରହିଥିବା ପ୍ରୋତ୍ସାହନକୁ ରେଳବାଇ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି।  ରେଳବାଇର ସରକାରୀ ବଜେଟ୍ ସହାୟତା ୨.୫୨ ଲକ୍ଷ କୋଟି ଟଙ୍କା ଥିବା ବେଳେ ଅତିରିକ୍ତ ବଜେଟ୍‌ ସହାୟତା ୧୦ ହଜାର କୋଟି ଟଙ୍କା, ନିଜସ୍ବ ଉତ୍ସରୁ ୩୦୦୦ ‌କୋଟି ଟଙ୍କା ଓ ନିର୍ଭୟା ପାଣ୍ଠିରୁ ୨୦୦ କୋଟି ଟଙ୍କାକୁ ପୁଞ୍ଜି ବ୍ୟୟ ଭାବେ ଖର୍ଚ୍ଚ କରିବାକୁ ବଜେଟ୍‌ରେ ଉଲ୍ଲେଖ କରାଯାଇଛି। ୨୦୨୩-୨୪ରେ ମୋଟ ପୁଞ୍ଜି ବ୍ୟୟ ୨.୬୨ ଲକ୍ଷ କୋଟି ଟଙ୍କା ଥିଲା।