ବିଶ୍ୱରେ ପ୍ରଥମ: ନର୍ମାନ୍‌ ଫୋଷ୍ଟର

ଭୁବନେଶ୍ୱର : ବସ୍ତିବାସିନ୍ଦାଙ୍କ ପାଇଁ ଏକ ସ୍ୱତନ୍ତ୍ର ଡିଜାଇନ୍‌ର ଘର ସହ ଅନ୍ୟାନ୍ୟ ଭିତ୍ତିଭୂମି ଉନ୍ନତି ପାଇଁ ନର୍ମାନ୍‌ ଫୋଷ୍ଟର ଫାଉଣ୍ଡେସନ ଦାୟିତ୍ୱ ନେଇଛି। ସେମାନଙ୍କ ପାଇଁ ଯେଉଁ ସୁଯୋଗ ସୃଷ୍ଟି ହେବାକୁ ଯାଉଛି ତାହା ବିଶ୍ୱରେ ପ୍ରଥମ ହେବ ବୋଲି କହିଛନ୍ତି ଫାଉଣ୍ଡେସନର ସଭାପତି ନର୍ମାନ୍‌ ରବର୍ଟ ଫୋଷ୍ଟର। ସାମ୍ବାଦିକମାନଙ୍କୁ ସୂଚନା ଦେବା ଅବସରରେ ସେ କହିଛନ୍ତି ବସ୍ତିବାସିନ୍ଦାଙ୍କ ପାଇଁ ଯେଉଁ ରହିବା ବ୍ୟବସ୍ଥା ହେବାକୁ ଯାଉଛି ତାହା ସାଧାରଣ ବ୍ୟବସ୍ଥା ନୁହେଁ। ବସ୍ତିକୁ ଏକ ଗୋଷ୍ଠୀରେ ପରିଣତ କରାଯିବା ଭଳି ଯୋଜନା ହୋଇଛି। ବାସପୋଯୋଗୀ ଗୃହ ସହ ସେଠାକାର ପରିମଳ ବ୍ୟବସ୍ଥା ଉପରେ ସ୍ୱତନ୍ତ୍ର ନଜର ଦିଆଯାଉଛି। ତା’ସହିତ ଆଲୋକୀକରଣ, ପାନୀୟଜଳ ଓ ସମଗ୍ର ପରିବେଶକୁ ଏକ ସ୍ୱତନ୍ତ୍ର ରୁପ ଦେବାପାଇଁ ଯୋଜନା ପ୍ରସ୍ତୁତ ହୋଇଛିି। ଏଥିପାଇଁ ବିଶ୍ୱସ୍ତରର ବିଜ୍ଞମାନଙ୍କ କର୍ମଶାଳା ଆୟୋଜନ କରାଯାଇଛି। ଯେଭଳି ଜୀବନ ଧାରଣର ମାନ ସର୍ବୋତ୍କଷ୍ଟ ରହିବ ସେ ନେଇ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏଭଳି ଏକ ପ୍ରସ୍ତାବକୁ ହୃଦୟଙ୍ଗମ କରିବା ସହ ଗ୍ରହଣ କରିଛନ୍ତି ତାହା କେବଳ ଆମ ପାଇଁ ନୁହେଁ, ସମ୍ପୃକ୍ତ ହିତାଧିକାରୀ ତଥା ବସ୍ତିବାସିନ୍ଦାଙ୍କ ପାଇଁ ଏକ ଶୁଭ ଖବର। ଯେଉଁ ଭିତ୍ତିଭୂମି ଉନ୍ନୟନର ବ୍ୟବସ୍ଥା କରାଯିବ ତାହାର ଫାଇଦା ପୁରୁଷ ପୁରୁଷ ଧରି ବସ୍ତିବାସିନ୍ଦାମାନେ ଉପଭୋଗ କରିବେ ବୋଲି କହିଛନ୍ତି। ତାଙ୍କ ସହିତ ଉପସ୍ଥିତ ଥିବା ଟାଟାର ମୁଖ୍ୟ ରତନ ଟାଟା କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଯେ, ଏଭଳି ଏକ ଯୋଜନା କରିବା ସହ ଆମକୁ ସୁଯୋଗ ଦେଇଛନ୍ତି। ଆମେ କ୍ଷେତ୍ର ମଧ୍ୟ ପରିଦର୍ଶନ କରିଛୁ। ପ୍ରଥମ ଥର ପାଇଁ ଏଭଳି ଏକ ସୁଯୋଗ ସୃଷ୍ଟି ହେବାକୁ ଯାଉଛି। ଏହା ଆମର ସ୍ୱପ୍ନର ପ୍ରକଳ୍ପ ହୋଇଥିବାରୁ ସର୍ବୋତ୍କଷ୍ଟ ହେବା ପାଇଁ ଆମେ ଲକ୍ଷ୍ୟ ରଖିଛୁ। ଏଭଳି ଏକ ବ୍ୟବସ୍ଥା ହେବାକୁ ଯାଉଛି ଯାହାକୁ ପରବର୍ତୀ ସମୟରେ ସମସ୍ତ ରାଜ୍ୟ ଅନୁଧାବନ(ଫଲୋ) କରିବାକୁ ବାଧ୍ୟ ହେବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର