ଝାରସୁଗୁ଼ଡା/ବ୍ରଜରାଜନଗର/ଭୁବନେଶ୍ବର : ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ତାଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଜଣେ ପୁଲିସ ଅଧିକାରୀ ରବିବାର ଦିନ ଦି’ପହରେ (୧୨ଟା ୨୦ମିନିଟ୍) ସମସ୍ତଙ୍କ ସାମ୍ନାରେ ଗୁଳି କରି ହତ୍ୟା କରିଛନ୍ତି। ବ୍ରଜରାଜନଗରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଗଲା ବେଳେ କର୍ତ୍ତବ୍ୟରତ ପୁଲିସ ଏଏସ୍‌ଆଇ ଗୋପାଳ ଦାସ ନିଜ ସର୍ଭିସ ରିଭଲବରରେ ମନ୍ତ୍ରୀଙ୍କୁ ଅତି ନିକଟରୁ ଚାରି ରାଉଣ୍ଡ ଗୁଳି ମାରିଥିଲେ। ସେ ମଧ୍ୟରୁ ଗୋଟିଏ ଗୁଳି ସିଧା ଯାଇ ମନ୍ତ୍ରୀଙ୍କ ଛାତିରେ ବାଜିଥିଲା। ମନ୍ତ୍ରୀଙ୍କୁ ପ୍ରଥମେ ଝାରସୁଗୁଡା ଓ ପରେ ବିମାନ ଯୋଗେ ଭୁବନେଶ୍ବରସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲେ ହେଁ ବିଳମ୍ବିତ ସନ୍ଧ୍ୟାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ଏହି ଘଟଣା ପ୍ରଚାର ହେବା ପରଠାରୁ ପୂରା ରାଜ୍ୟ ସ୍ତବ୍ଧ। ଯିଏ ସୁରକ୍ଷା ଦେବା କଥା ତାଙ୍କ ହାତରେ ମନ୍ତ୍ରୀ ମରିବା ଘଟଣା ଓଡ଼ିଶା ଇତିହାସରେ ପ୍ରଥମ ବୋଲି କୁହାଯାଉଛି। ବିଶେଷକରି ଜଣେ ପୁଲିସ ଅଧିକାରୀ (ବ୍ରଜରାଜନଗର ଥାନା ଗାନ୍ଧୀଛକ ଫାଣ୍ଡିରେ କାମ କରୁଛନ୍ତି ଏଏସ୍‌ଆଇ ଗୋପାଳ ଦାସ) ମନ୍ତ୍ରୀଙ୍କୁ ଗୁଳି ମାରିବା ଘଟଣାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି। ରାଜ୍ୟ ରାଜନୈତିକ ମହଲରେ ଏହାକୁ ନେଇ କମ୍ପନ ସୃଷ୍ଟି ହୋଇଛି। ପୂରା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଲାଗିବା ସହିତ ବିରୋଧୀ ରାଜନୈତିକ ଦଳ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି।

ମନ୍ତ୍ରୀଙ୍କୁ ସୁରକ୍ଷା ଦେଇପାରିଲେନି ପିଏସ୍‌ଓ
ହତ୍ୟାର କାରଣ ଏଯାଏ ଜଣାପଡ଼ିନାହିଁ
ସାରା ରାଜ୍ୟ ସ୍ତବ୍ଧ, ରାଜନୈତିକ ମହଲରେ କମ୍ପନ

publive-image

ଅନ୍ୟପକ୍ଷରେ କାହିଁକି ଓ କେଉଁ କାରଣ ପାଇଁ ସଂପୃକ୍ତ ପୁଲିସ ଏଏସ୍‌ଆଇ ଗୋପାଳ ଦାସ ମନ୍ତ୍ରୀଙ୍କୁ ହତ୍ୟା କଲେ, ସେ ସଂପର୍କରେ ଏଯାଏ କୌଣସି ଠୋସ୍ ସୂଚନା ମିଳିନାହିଁ। ସବୁଠାରୁ ବଡ଼ କଥା ହେଲା, ମନ୍ତ୍ରୀଙ୍କ ପାଖରେ ତାଙ୍କର ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ମଧ୍ୟ ଗୁଳିକାଣ୍ଡ ବେଳେ ଉପସ୍ଥିତ ଥିଲେ। ହେଲେ ମନ୍ତ୍ରୀଙ୍କୁ ସୁରକ୍ଷା ଦେବା ତ ଦୂରର କଥା, ଭାଇରାଲ୍ ଭିଡ଼ିଓରୁ ସ୍ପଷ୍ଟ ଜଣାପଡ଼ୁଛି, ସେ ଏ ସଂପର୍କରେ ସାମାନ୍ୟ ସୁରାକ୍ ମଧ୍ୟ ପାଇପାରିଲେ ନାହିଁ। ଏପରିକି ଏଏସ୍‌ଆଇ ଗୋଟିଏ ରାଉଣ୍ଡ ଗୁଳି କରିବା ପରେ ବି ପିଏସ୍‌ଓ କୌଣସି ପଦକ୍ଷେପ ନେଇନଥିଲେ, ବରଂ ପରକୁ ପର ଅଭିଯୁକ୍ତ ଶ୍ରୀ ଦାସ ଚାରି ରାଉଣ୍ଡ ଗୁଳି ଚଳାଇବାକୁ ସକ୍ଷମ ହେଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାର ଗମ୍ଭୀରତାକୁ ଲକ୍ଷ୍ୟ କରି କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଛନ୍ତି। ବିଳମ୍ବିତ ରାତିରେ ଏହି ରିପୋର୍ଟ ଲେଖାହେବା ବେଳକୁ କ୍ରାଇମବ୍ରାଞ୍ଚ ଏଡ଼ିଜି ଅରୁଣ ବୋଥ୍ରା ଘଟଣାସ୍ଥଳ ପରିଦର୍ଶନ କରିବା ପରେ ଅଭିଯୁକ୍ତ ଏଏସ୍‌ଆଇ ଗୋପାଳକୁ ପଚରାଉଚରା ଆରମ୍ଭ କରିଛନ୍ତି। ସେପଟେ କ୍ରାଇମବ୍ରାଞ୍ଚ ଟିମ୍ ଏହି ଘଟଣାରେ ତନାଘନା ଆରମ୍ଭ କରିଛି।

publive-image

ମିଳିଥିବା ସୂଚନା ଅନୁଯାୟୀ ମନ୍ତ୍ରୀ ଶ୍ରୀ ଦାସ ରବିବାର ଝାରସୁଗୁଡ଼ା ୧ ନମ୍ବର ୱାର୍ଡ ସ୍ଥିତ କିସାନପଡ଼ାଠାରେ ଦିନ ୧୧ ଟାରେ ମାଇକ୍ରୋ ଆକ୍ଟିଭିଟି ସେଣ୍ଟର ଉଦ୍‌ଘାଟନ କରିବା ସହିତ ସେଠାରେ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେଇଥିଲେ। ସେଠାରୁ  ବ୍ରଜରାଜନଗର ଅଭିମୁଖେ ଯାଇଥିଲେ ଏବଂ ମନ୍ତ୍ରୀଙ୍କ କାର୍‌ ଆଗରେ ଦୁଇଟି ପୁଲିସ ପାଇଲଟିଂ ଜିପ୍‌ ବାଟ କଢ଼ାଇ ନେଉଥିଲା। ପଛରେ ଅନ୍ୟ କାର୍‌ ଗୁଡ଼ିକରେ ତାଙ୍କର ସମର୍ଥକ ଓ ବିଜେଡିର ପଦାଧିକାରୀମାନେ ମଧ୍ୟ ମନ୍ତ୍ରୀଙ୍କୁ ଅନୁସରଣ କରୁଥିଲେ। ବ୍ରଜରାଜନଗର ରାସ୍ତାରେ ୧୦ କିମି ଗଲା ପରେ ଗାନ୍ଧୀଛକଠାରେ ମନ୍ତ୍ରୀ ପହଞ୍ଚି ସେଠାରୁ ବାମପଟକୁ ଥିବା ରାସ୍ତାରେ ମାତ୍ର ଅଧ କିଲୋ ମିଟର ଯିବା ପରେ ସେଠାରେ ମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ଶତାଧିକ ଲୋକ ରୁଣ୍ଡ ହୋଇଥିବା ଦେଖି ଅଟକିଥିଲେ।

୧୨ଟା ବେଳେ ମନ୍ତ୍ରୀ ବ୍ରଜରାଜନଗରରେ ବ୍ରଜରାଜନଗର ପୌରାଧ୍ୟକ୍ଷା ଓ ଉପ-ନଗରପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟାଳୟ ଉଦ୍‌ଘାଟନ ସମାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। ଏହି ସଭାରେ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ମଧ୍ୟ ଯୋଗ ଦେଇଥାନ୍ତେ। ସଭାସ୍ଥଳଠାରୁ ମାତ୍ର ଅଳ୍ପ ଦୂରରେ ରୁଣ୍ଡ ହୋଇଥିବା ବିଜେଡି କର୍ମକର୍ତ୍ତା ଓ କର୍ମୀ ମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ଆସିବାରୁ ମନ୍ତ୍ରୀ କାର ଅଟକାଇଥିଲେ। କାର୍‌ର ଆଗ ସିଟ୍‌ରେ ବସିଥିବା ମନ୍ତ୍ରୀ ଶ୍ରୀ ଦାସ ଗେଟ୍ ଖୋଲି ତଳକୁ ଓହ୍ଲାଇବା ପରେ ଉପସ୍ଥିତ ଲୋକମାନେ ତାଙ୍କୁ ଫୁଲମାଳ ପିନ୍ଧାଇବା ଆରମ୍ଭ କରିଥିଲେ। ଗୋଟିଏ ଫୁଲମାଳ ପଡ଼ିଛି, ଏହି ସମୟରେ ମନ୍ତ୍ରୀ ମାରିଦେଲେ ବୋଲି ଚିତ୍କାର କରି କାର୍‌ରେ ବସିପଡ଼ିଥିଲେ। ମନ୍ତ୍ରୀ ଛାତିକୁ ଚାପି ଧରିଥିଲେ ହେଁ ଝର ଝର ହୋଇ ରକ୍ତସ୍ରାବ ହୋଇଥିଲା। ସେବେ ସମସ୍ତେ ଜାଣିପାରିଥିଲେ େଯ ମନ୍ତ୍ରୀଙ୍କୁ ଗୁଳିମାଡ଼ ହୋଇଛି ଓ ଗୋପାଳଙ୍କ ପରକୁ ପର ଗୁଳି ସଂପର୍କରେ ଉପସ୍ଥିତ ଲୋକମାନେ ସତର୍କ ହୋଇଯାଇଥିଲେ।

publive-image

ସେପଟେ ମନ୍ତ୍ରୀ ଅଳ୍ପ କେଇ ସେକେଣ୍ଡ ପାଇଁ ଛିଡ଼ା ହେବା ପରେ ଅଚେତ ହୋଇ ପଡ଼ିଯାଇଥିଲେ। ଦୁଇ ସହଯୋଗୀ ତଳୁ ଉଠାଇ କାରକୁ ନେବା ବେଳେ ମନ୍ତ୍ରୀଙ୍କ ଧଳାରଙ୍ଗର ସାର୍ଟ ରକ୍ତ ଜୁଡ଼ୁବୁଡ଼ୁ ହୋଇ ଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଝାରସୁଗୁଡ଼ା ଡାକ୍ତରଖାନାକୁ ନିଆଯାଇଥିଲା। ମୁଖ୍ୟ ଚିକିତ୍ସାଳୟରେ ଗୁଳିମାଡ଼ ଆହତଙ୍କ ପାଇଁ କୌଣସି ଚିକିତ୍ସା ସୁବିଧା ନଥିବାରୁ ତାଙ୍କୁ ଭୁବନେଶ୍ବର ନେବା ପାଇଁ ଯୋଜନା କରାଯାଇଥିଲା। ଆହତ ମନ୍ତ୍ରୀଙ୍କୁ ମୁଖ୍ୟ ଚିକିତ୍ସାଳୟଠାରୁ ଆମ୍ବୁଲାନ୍ସ ଯୋଗେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରକୁ ନିଆଯାଇଥିଲା। ବିମାନ ବନ୍ଦରରେ ପ୍ରାୟ ଏକ ଘଣ୍ଟା ରଖିବା ପରେ ଭୁବନେଶ୍ବରରୁ ଏୟାର ଆମ୍ବୁଲାନ୍ସ ଆସିଥିଲା। ତାଙ୍କୁ ଅପରାହ୍‌ଣ ୨ଟା ୧୩ମିନିଟରେ ଏୟାରଲିଫ୍ଟ କରାଯାଇଥିଲା।

ଘଟଣାର ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ଅଭିଯୁକ୍ତ ପୁଲିସ ଅଧିକାରୀ ଗୋପାଳ ଦାସ ମନ୍ତ୍ରୀଙ୍କ ଉପ‌ରେ ୪ ରାଉଣ୍ଡ ଗୁଳି କରିଥିଲେ। ତେବେ ମନ୍ତ୍ରୀଙ୍କ ଛାତିର ବାମ ପଟେ ଗୋଟିଏ ଗୁଳି ବାଜିଥିବା ବେଳେ ଗୋଟିଏ ଗୁଳି ପାଖରେ ଥିବା ବ୍ରଜରାଜନଗର କାଳିନଗର ଅଞ୍ଚଳର ଜୀବନ ନାଏକଙ୍କ ବେକକୁ ଛୁଇଁ ଚାଲି ଯାଇଥିଲା। ଏଥିରେ ଜୀବନ ମଧ୍ୟ ଆହତ ହୋଇ ମୁଖ୍ୟ ଚିକିତ୍ସାଳୟରେ ଅଛନ୍ତି। ଏହି ସମୟରେ କିଛି ଲୋକ ଗୋପାଳଙ୍କୁ ପଛରୁ ଧରି ହାତକୁ ଟେକି ଦେବାରୁ ଆଉ ଦୁଇ ରାଉଣ୍ଡ ଗୁଳି କାହାରି ଦେହରେ ବାଜି ନଥିବା ଜଣାଯାଇଛି। ଏହି ଗୁଳିକାଣ୍ଡ ପରେ ସେହି ସ୍ଥାନରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଯୁକ୍ତ ଏଏସ୍‌ଆଇଙ୍କୁ ପୁଲିସ ଓ ବିଜେଡି କର୍ମକର୍ତ୍ତାମାନେ କାବୁ କରି ନେଇଥିଲେ। ଗୋପାଳଙ୍କୁ ପୁଲିସ ଝାରସୁଗୁଡ଼ା ଠାରେ ଏକ ଅଜଣା ସ୍ଥାନରେ ରଖି ପଚରାଉଚରା କରୁଛି। ଶ୍ରୀ ଦାସ ଆଜି ମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ଥିଲେ।

ଆଜି ଝାରସୁଗୁଡ଼ାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।