ଭୁବନେଶ୍ୱର : ଓଡ଼ିଶା ବିଧାନସଭାରେ ସମସ୍ତ କାର୍ଯ୍ୟ ବିନା କାଗଜରେ ସମ୍ପାଦନ ହେବ। ଏହି ଇ-ବିଧାନସଭା ପ୍ରକଳ୍ପ ପାଇଁ କେନ୍ଦ୍ର ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ସମଗ୍ର ଦେଶରେ କେବଳ ଓଡ଼ିଶା ଓ ପଞ୍ଜାବ ବିଧାନସଭା ଏହି ଇ-ବିଧାନସଭା ପ୍ରକଳ୍ପ କାର୍ଯ୍ୟକାରୀ କରାଉଛନ୍ତି।
ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏଥି ନିମିତ୍ତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଜାତୀୟ ଇ-ବିଧାନ ଆପ୍ଲିକେସନ୍ ‘ନେଭା’ ପାଇଁ କେନ୍ଦ୍ର ସଂସଦୀୟ ବ୍ୟାପାର ବିଭାଗକୁ ୧୨ କୋଟି ୫୨ ଲକ୍ଷ ଟଙ୍କାର ଏକ ପ୍ରକଳ୍ପ ପ୍ରେରଣ କରାଯାଇଥିଲା। ବିଭାଗ ତରଫରୁ ୮ କୋଟି ୫୨ ଲକ୍ଷ ୩୬ ହଜାର ୬୪୨ ଟଙ୍କାର ବ୍ୟୟ ଅଟକଳ ଅନୁମୋଦିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଏଥି ନିମିତ୍ତ ୧ କୋଟି ୨ ଲକ୍ଷ ୯୬ ହଜାର ୪୦୮ ଟଙ୍କାର ପ୍ରଥମ କିସ୍ତି ଅର୍ଥ ଆବଣ୍ଟିତ ହୋଇଛି। ଏହି ମିସନ୍ ମୋଡ୍ କାର୍ଯ୍ୟକ୍ରମକୁ ସମ୍ପନ୍ନ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଆଗେଇ ଚାଲିଛି। ୱାଇ-ଫାଇ, ଲୋକାଲ୍ ଅନ୍ ନେଟ୍ୱର୍କ ଏବଂ ଭିଡିଓ କନ୍ଫରେନ୍ସିଂ କାର୍ଯ୍ୟ ଇତି ମଧ୍ୟରେ ସମ୍ପୂର୍ଣ୍ଣ କରାଯାଇଛି। ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି ବୋଲି ବିଧାନସଭା ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ଯେ ଏହି କାର୍ଯ୍ୟ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ୬୦% ଓ ରାଜ୍ୟ ସରକାରଙ୍କ ତରଫରୁ ୪୦% ଅର୍ଥ ବିନିଯୋଗ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/Odisha-Assembly.jpg)